ଆସନ୍ନ ମୃତ୍ୟୁକୁ ଡ଼ାକୁଥିବା ଏକ ଅଭିଶପ୍ତ ପୁସ୍ତକ ‘ନୀଲବନ୍ତୀ’
+ ଏହି ପୁସ୍ତକ ଯିଏ ପଢ଼ିବ ତାର ମୃତ୍ୟୁ ହେବ ଅଥବା ପାଗଳ ହେବ ବୋଳି ଜନ ବିଶ୍ୱାସ ରହିଛି
+ ୧୯୩୫ ମସିହାରେ ବିବେକାନନ୍ଦ ତାଙ୍କ ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଏହି ପୁସ୍ତକ ପଢ଼ିଥିଲେ ।ଏହା ପରଠାରୁ ଭାରତରେ ଏହି ପୁସ୍ତକକୁ ନିଷିଦ୍ଧ ଘୋଷଣା କରାଯାଇଥିଲା
+ ନୀଳବନ୍ତି ନାମକ ଜନୈକ ଯକ୍ଷିଣୀ ପିଶାଚୀ ଲିପିରେ ଏହାର ରଚନା କରିଥିଲେ
+ ପରବର୍ତ୍ତି ସମୟରେ ଜଣେ ଋଷି ସଂସ୍କୃତ ଭାଷାରେ ଏହାର ଅନୁବାଦ କରିଥିଲେ
+ ନୀଳବନ୍ତୀ ପୁସ୍ତକରେ ଜୀବନ ଓ ମୃତ୍ୟୁର ରହସ୍ୟ ସହିତ ଆର‌୍ୟୁବେଦ ଓ ତନ୍ତ୍ରର ବର୍ଣ୍ଣନା ରହିଛି
ବରଗଡ଼ ପୁସ୍ତକ ମେଳା ଉପଲକ୍ଷେ ସଭି ପୁସ୍ତକ ପ୍ରେମୀଙ୍କୁ ସ୍ୱାଗତ କରୁଛି । ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ‘ବରଗଡ଼ ପୁସ୍ତକ ମେଳା’ ଏବେ ବରଗଡ଼ର ପରିଚୟ ପାଲଟିଛି ।ବରଗଡ଼ ପୁ୍‌ସ୍ତକ ମେଳା ବ୍ୟବସାୟିକ ଦୃଷ୍ଟିରୁ ମଧ୍ୟ ସଫଳ । ଏବକାର ଯୁବପିଢ଼ୀ ଇଣ୍ଟରନେଟରେ ବ୍ୟସ୍ତ ଥିବାରୁ ପୁସ୍ତକ ପଠନରୁ ଦୂରେଇ ରହୁଛନ୍ତି । ଏହା ସତ୍ୱେ ବରଗଡ଼ ପୁସ୍ତକ ମେଳା ଯୁବ ପିଢ଼ୀକୁ ପୁସ୍ତକମନସ୍କ କରିଛି । ଯାହାକୁ ବରଗଡ଼ ତଥା ବିଭିନ୍ନ ପୁସ୍ତକ ମେଳାର ସଫଳତା ବୋଲି କୁହାଯାଇ ପାରିବ । ଆବଶ୍ୟକୀୟ ସଂରକ୍ଷଣ ଓ ପ୍ରୋତ୍ସାହନ ଅଭାବରୁ ପ୍ରାଚୀନ ଭାରତୀୟ ସାହିତ୍ୟ ଏବେ ଲୋପ ହୋଇ ଗଲାଣି । ଆଉ କେତେକ ଭାରତୀୟ ପୁସ୍ତକ ଉପରେ ବ୍ରିଟିଶ କାଳରୁ ପ୍ରତିବନ୍ଧକ ଲଗାଯାଇଛି । ସ୍ୱାଧିନ ଭାରତରେ ମଧ୍ୟ ବିଭିନ୍ନ ସମୟରେ ଭାରତୀୟ ରହସ୍ୟମୟ ଜ୍ଞା ସମ୍ପର୍କରେ ସୂଚନା ଦେଉଥିବା ପୁସ୍ତକ ‘ଲାଲ କିତାବ’କୁ ୧୯୫୨ରେ ପ୍ରତିବନ୍ଧିତ ଘୋଷଣା କରାଯାଇଥିଲା । ସେହିପରି ୧୯୬୯ରେ ସଲମାନ ରସଦିଙ୍କ ଇଂରାଜୀ ପୁସ୍ତକ ‘ସାଟାନିକ ଭର୍ସେସ’, ୧୯୯୬ରେ ହିମ ମେକଡ଼ୋନାଲଟଙ୍କ ଇଂରାଜୀ ପୁସ୍ତକ ‘ପୋଲିଷ୍ଟର ପ୍ରିନ୍ସ’, ୧୯୯୭ରେ ଏ.ମେନନଙ୍କ ଇଂରାଜୀ ପୁସ୍ତକ ‘ରାମ ରିଟୋଲ୍‌ଡ଼’,୨୦୦୫ରେ ଜୁଡ଼ିସ .ଏମ ବ୍ରାଉନଙ୍କ ଇଂରାଜୀ ପୁସ୍ତକ ‘ନେହେରୁ ଏ ପୋଲିଟିକାଲ ବ୍ରାୟୋଗ୍ରାଫି’, ୨୦୦୩ରେ ତସଲିମା ନସରିନଙ୍କ ବେଙ୍ଗଲି ପୁସ୍ତକ ‘ଦ୍ୱିଖଣ୍ଡିତ’,୧୯୭୩ରେ ଭି.ଏସ ନାଇପଲଙ୍କ ଇଂରାଜୀ ପୁସ୍ତକ ‘ଏନ ଏରା ଅଫ ଡ଼ାର୍କନେସ’,୨୦୧୪ରେ ୱାଲଟର କେ ଏଣ୍ଡରସନଙ୍କ ଇଂରାଜୀ ପୁସ୍ତକ ‘ଦ ଆରଏସଏସ ଏ ଭେରି ସର୍ଟ ଇଣ୍ଟ୍ରୋଡ଼କସନ’, ୨୦୦୪ରେ ନୋବେଳ ପ୍ରାଇଜ ବିଜେତା ଅର୍ମତ୍ୟ ସେନଙ୍କ ଇଂରାଜୀ ପୁସ୍ତକ ‘ଦ ଆଚ୍ୟମେଣ୍ଟିଭ ଇଣ୍ଡିଏନ’,୨୦୦୮ରେ ପିଟର ହେରିସଙ୍କ ଇଂରାଜୀ ପୁସ୍ତକ ‘ଦ ଲାଇଫ ଅଫ ଶ୍ରୀ ଅରବିନ୍ଦୋ’, ୧୯୫୬ରେ ରାମ ମନୋହର ଲୋହିଆଙ୍କ ଇଂରାଜୀ ପୁସ୍ତକ ‘ଇଣ୍ଡିଆ ଆଫଟର ଗାନ୍ଧୀ’ ପୁସ୍ତକକୁ ଭାରତରେ ପ୍ରତିବନ୍ଧିତ ଘୋଷଣା କରାଯାଇଥିଲା । ତେବେ ଭାରତରେ ବ୍ରିଟିଶ ସରକାରଙ୍କ ଅମଳରେ ୧୯୩୭ରେ ନିରଦ ଚୌଧୁରୀଙ୍କ ରଚିତ ଇଂରାଜୀ ପୁସ୍ତକ ‘ ଦ ଅଟୋବାୟୋଗ୍ରାଫି ଅଫ ଏନ ଅନନୋନ ଇଣ୍ଡିଏନ’ ଏବଂ ତତପୂର୍ବରୁ ୧୯୩୫ରେ ପ୍ରାଚୀନ ଭାରତୀୟ ତନ୍ତ୍ର ସାହିତ୍ୟ ‘ନୀଳବନ୍ତୀ’ ଉପରେ ନିଶେଧାଜ୍ଞା ଜାରୀ କରାଯାଇଥିଲା । ସ୍ୱାଧିନୋତ୍ତର ଭାରତରେ କିଛି ପୁସ୍ତକ ଉପରୁ ପ୍ରତିବନ୍ଧକ ହଟା ଯାଇଥିଲେ ମଧ୍ୟ ୧୯୩୨ରେ ପ୍ରତିବନ୍ଧିତ ‘ନୀଳବନ୍ତୀ’ ପୁସ୍ତକ ଏବେ ଦୁଷ୍ପାପ୍ର‌୍ୟ । ଜନ ବିଶ୍ୱାସ ଅନୁଯାୟୀ ଯିଏ ମନ୍ଦ ଉଦେଶ୍ୟ ନେଇ ଏହି ବହି ପଢ଼େ ସେ ପାଗଳ ହୋଇଯାଏ ଏବଂ ଯିଏ ତାର ରହସ୍ୟ ଭେଦ କରେ ସେ ଜ୍ଞାନ ପ୍ରାପ୍ତ ହୋଇ ଇହଳୀଳା ସମ୍ମରଣ କରେ । କେହି ପୁସ୍ତକଟିକୁ ଅଧା ପଢ଼ି ଛାଡ଼ିଦେଲେ ବାଚାଳ ହୋଇଥାଏ । ଏଣୁ କେହି ‘ନୀଳବନ୍ତୀ’ ପୁସ୍ତକଟିକୁ ପଢ଼ିବାର ସାହସ ଜୁଟାଇ ପାରି ନାହାନ୍ତି ଏବଂ ପ୍ରତିବନ୍ଧିତ ଏହି ବହିଟି କାହା ପାଖରେ ନାହିଁ । କାଁ ଭାଁ କେଉଁଠି ଉପଲବ୍ଧ ଥିଲେ ତାହା ନୀଳବନ୍ତୀର ମରାଠୀ କିମ୍ବା ହିନ୍ଦୀ ଭାଷାନ୍ତର ବୋଲି ଜଣାପଡ଼ିଛି ।ଏହି ପ୍ରତିବନ୍ଧିତ ‘ନୀଳବନ୍ତୀ’ ପୁସ୍ତକର ହିନ୍ଦୀ ଭାଷାନ୍ତର ମୋ ଅଜା ଅମଳରୁ ରହିଛି । ମାତ୍ର ଏହି ପୁସ୍ତକଟିକୁ ପଢ଼ିବାକୁ ମନା କରାଯାଇଥିବାରୁ ବହିର ମଲାଟ ଦେଖିବା ଛଡ଼ା ଭିତରର ବିଷୟବସ୍ତୁ ପଢ଼ିବାର ସାହସ ଜୁଟାଇ ପାରିନାହିଁ । ହୁଏତ ଯେବେ ମରିବାର ଇଚ୍ଛା ହେବ ‘ନୀଳବନ୍ତୀ’ ପୁସ୍ତକଟିକୁ ପଢ଼ିଦେବି । କାରଣ ୧୯୩୫ରେ ମୃତ୍ୟୁର ଚାରି ଘଣ୍ଟା ପୂର୍ବରୁ ସ୍ୱାମୀ ବିବେକାନନ୍ଦ ‘ନୀଳବନ୍ତୀ’ ପୁସ୍ତକ ପଢ଼ିଥିଲେ । ଏହି ପୁସ୍ତକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ପରେ ଭାରତରେ ରାଜୁତି କରୁଥିବା ତତ୍କାଳିନ ବ୍ରିଟିଶ ସରକାର ‘ନୀଳବନ୍ତୀ’ ପୁସ୍ତକର ପ୍ରକାଶନ ଓ ପଠନ ଉପରେ ୧୯୩୫ରେ ଏହା ଉପରେ ନିଷେଧାଜ୍ଞା ଜାରି କରିଥିଲେ । ତେବେ ଏବେ ‘ନୀଳବନ୍ତୀ’ ପୁସ୍ତକ ଦୁଷ୍ପ୍ରାପ୍ୟ ହୋଇଥିବାରୁ ତାର ପ୍ରକାଶନ ଉପରେ ପୂର୍ବରୁ ଲାଗିଥିବା କଟକଣା ହଟାଯାଇ ନାହିଁ । ତେବେ ୧୯୩୫ ପୂର୍ବରୁ ପ୍ରକାଶିତ ତଥା ମରାଠୀ ଓ ହିନ୍ଦୀ ଭାଷାରେ ଅନୁଦିତ କିଛି ପୁସ୍ତକ କେତେକ ପ୍ରାଚୀନ ଲାଇବ୍ରେରୀ ଓ ପୁସ୍ତକ ପ୍ରେମୀଙ୍କ ନିକଟରେ ରହିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହାର ମୂଳ ଲେଖାଟି ‘ପିଶାଚୀ’ ଲିପି (ଏନକ୍ରିପଟେଡ଼ ଲେଙ୍ଗୁଏଜ)ରେ ଲିଖିତ ଏବଂ ଭାରତରୁ ଏହି ଲିପିର ସମ୍ପୂର୍ଣ୍ଣ ବିଲୋପ ହୋଇ ସାରିଛି । ଏହି ଲିପି ପଢ଼ିବା ପାଇଁ ଭାରତରେ କୌଣସି ଜୀବିତ ବ୍ୟକ୍ତି ନାହାନ୍ତି । ତେବେ ଜଣେ ଋଷିଙ୍କ ଦ୍ୱାରା ଏହାର ସଂସ୍କୃତ ଅନୁବାଦ ପରେ ଏହା ଲୋକ ଲୋଚନକୁ ଆସିଥିଲା । ସପ୍ତଦଶ ଶତାବ୍ଦୀରେ ଏହା ଲିଖତ ପୁସ୍ତକର ରୂପ ନେଇଥିଲା । ଏଣୁ ମୂଳ (ଏନକ୍ରିପଟେଡ଼ ଲେଙ୍ଗୁଏଜ)ର ଡ଼ିକୋଡ଼ କରାଯାଇ ପ୍ରସ୍ତୁତ ସଂସ୍କୃତ ଅନୁବାଦକୁ ଅନେକେ ମୂଳ ପୁସ୍ତକ ସହ ତୁଳନା କରିଥାନ୍ତି । ସାତ୍ୱିକ ପଠନ ଓ ତାର ଭାବାର୍ତ୍ତ ବୁଝିପାରିଲେ ଜଣେ ପାଠକ ବିଭିନ୍ନ ଜୀବବନ୍ତୁ, ବୃକ୍ଷଲତାଙ୍କ ସଙ୍କେତ ଓ ଭାଷାକୁ ବୁଝି ପାରିବା ସହ ସ୍ମୃଷ୍ଟିର ରହସ୍ୟ ସମ୍ପର୍କରେ ଅବଗତ ହୋଇ ପାରିବ ।ଏହି ପୁସ୍ତକଟି ଆର‌୍ୟୁବେଦ ଓ ତନ୍ତ୍ର ସମ୍ପର୍କିତ ହେବା ସହ ପାଠକ ’ଟାଇମ ମେସନ’ ପରି ଅତୀତ ଓ ଭବିଷ୍ୟତକୁ ଯାତ୍ରା କରି ପାରିବ ବୋଲି ଜନ ବିଶ୍ୱାସ ରହିଛି । ଏହାର ହିନ୍ଦୀ ଭାଷାନ୍ତର ମୋ ପାଖରେ ଥିଲେ ମଧ୍ୟ ମୁଁ ଏହାର ପୃଷ୍ଠା ଓଲଟାଇବାର ସାହସ କରି ପାରି ନାହିଁ ।
+ ନୀଳବନ୍ତି ପୁସ୍ତକର ପ୍ରକୃତ ରଚୟିତା ନୀଳବନ୍ତୀର ବାସ୍ତବ ପରିଚୟ
+ପୁସ୍ତକ ରଚୟିତାଙ୍କ ଦ୍ୱାରା ପାଠକଙ୍କୁ ଦେଇଥିବା ଅଭିଶାପର ପୃଷ୍ଠଭୂମୀ
ପ୍ରାଚୀନ ଭାରତୀୟ ପୁସ୍ତକ ‘ନୀଳବନ୍ତୀ’ର ବାସ୍ତବ ରଚୟିତା ହେଉଛନ୍ତି ‘ନୀଳବନ୍ତୀ’ ନାମକ ଜନୈକା ଯକ୍ଷିଣୀ । ମୋ ଦୃଷ୍ଟିରେ ଯକ୍ଷ ଓ ଯକ୍ଷିଣୀ ହେଉଛନ୍ତି ଅନ୍ୟ ଗ୍ରହରୁ ଆସିଥିବା ଏକ ରକମ ଏଲିଏନ । ଏଣୁ ନୀଳବନ୍ତୀଙ୍କ ଦ୍ୱାରା ମୂଳ ପିଶାଚୀ ଭାଷାରେ ଲିଖିତ ଏହି ପୁସ୍ତକ ଅନ୍ୟଗ୍ରହ ଏବଂ ପୃଥିବୀ ଉପରେ ତାର ପ୍ରଭାବ ସମ୍ପର୍କିତ ଜ୍ଞାନ । ଯାହା କୌଣସି ଦୁଷ୍ଟ(ସଇତାନ) ହାତରେ ନପଡ଼ିବା ଅଥବା ଅସଦ ବିନିଯୋଗ ନ ହେବା ପାଇଁ ପୁ୍‌ସ୍ତକ ରଚୟିତା ନୀଳବନ୍ତୀ ଯକ୍ଷିଣୀ ଅଭିଷାପ ହେଇଥିଲେ ଯେ ଯିଏ ମନ୍ଦ ଉଦ୍ଦେଶ୍ୟ ନେଇ ଏହି ପୁସ୍ତକ ପଢ଼ିବ ତାର ମାନସିକ ବିକୃତି ଘଟିବ । ଆଉ ଯିଏ ସତ ଉଦ୍ଦେଶ୍ୟ ଓ ଜ୍ଞାନ ପ୍ରାନ୍ତି ଉଦ୍ଦେଶ୍ୟରେ ପଢ଼ିବ ତାର ଜ୍ଞାନପ୍ରାପ୍ତି ହେବା ସହ ନଶ୍ୱର ଭୌତିକ ଶରୀର ତ୍ୟାଗ କରିବ । ପୁସ୍ତକକୁ ସମ୍ପୂର୍ଣ୍ଣ ନ ପଢ଼ିଲେ କିମ୍ବା ଅଧାପଢ଼ିଲେ ପାଗଳ ହେବ ବୋଲି ଅଭିଶାପ ଦେଇଥିଲେ । ତେବେ ନୀଳାମ୍ବରୀ ଯକ୍ଷିଣୀ ଏତେ କଷ୍ଟରେ ଜୀବନବ୍ୟାପୀ ସାଧନା କରିବା ପରେ ଏଭଳି ଅଭିଶାପ ଦେବା ମଧ୍ୟ ତତ୍କାଳୀନ ଆବଶ୍ୟକତା ରହିଥିଲା । କାରଣ ଏହି ଜ୍ଞାନପ୍ରାପ୍ତି ପାଇଁ ସଇତାନ ନୀଳାମ୍ବରୀଙ୍କ ପଛରେ ପଡ଼ିଥିଲା । ନୀଳାମ୍ବରୀ ଚାହୁଁ ନଥିଲେ ଯେ ଏହି ବିଜ୍ଞାନ ଏବଂ ଟେକ୍‌ନୋଲୋଜୀ ସଇତାନର ହାତରେ ପଡ଼ୁ । କାରଣ ଏହି ଟେନନୋଲୋଜିର ବ୍ୟବହାର କରି ଜଣେ ସମୟକୁ ସଙ୍କୁଚିତ କିମ୍ବା ବ୍ୟାପକ କରିବା, ବିଜ୍ଞାନ କାହାଣୀ ‘ଟାଇମ ମେସନ’ ପରି ଟେଲିପୋର୍ଟ ମାଧ୍ୟମରେ ଅତୀତ ଓ ଭବିଷ୍ୟତରେ ବିଚରଣ କରିବାର ବ୍ୟବସ୍ଥା ରହିଥିଲା । ସଇତାନର ପ୍ରଭାବରେ ଯେତେବେଲେ ଲୋକମାନେ ପୁସ୍ତକର ରଚୟିତା ‘ନୀଳବନ୍ତୀ’ଙ୍କୁ ଡ଼ାହାଣୀ ଓ ରାକ୍ଷସୀ ବୋଲି ଅପମାନିତ କଲେ ସେ ସମୟରେ ଏହି ଅଲୌକିକ ଜ୍ଞାନକୁ ସଂରକ୍ଷିତ ରଖିବା ପାଇଁ ‘ନୀଳବନ୍ତୀ’ ଏ ପ୍ରକାର ଅଭିଶାପ ଦେଇଥିବା ଜଣାଯାଏ । ଏହି କାରଣରୁ ମୂଳ ପିଶାଚୀ ଭାଷା (ଏନକ୍ରିପଟେଡ଼ ଲେଙ୍ଗୁଏଜ)ଭାଷାରେ ରଚିତ ରହସ୍ୟ ବିଜ୍ଞାନ ’ନୀଳବନ୍ତୀ’ ପୁସ୍ତକକୁ ବାସ୍ତବରେ ପଢ଼ିବା ଓ ତହିଁର ଅର୍ଥକୁ ‘ଡ଼ିକୋଡ଼’ କରିବାରେ ଅଦ୍ୟବଧି କେହି ସମର୍ଥ୍ୟ ହୋଇ ନାହାନ୍ତି । ଭାରତୀୟ ଚନ୍ଦ୍ରାୟନ ୩ ପରେ ପ୍ରମାଣିତ ହୋଇ ଯାଇଛି ଯେ ପୃଥିବୀ ବାହାରେ ଜୀବସତ୍ତା ଯାହାକୁ ଆଧୁନିକ ବିଜ୍ଞାନ ଏଳିୟନ କହୁଛି ।ସମ୍ଭବତଃ ପୁରାଣ କଳ୍ପିତ ଯକ୍ଷ-ଯକ୍ଷିଣୀ , ଗନ୍ଧର୍ବ, ଖେଚରୀ ଆଦି ଶବ୍ଦ ବହନ କରୁଥିବା ପ୍ରାଣୀ, ମାନବ ଏବଂ ଏଲିୟାନଙ୍କ ଜୈବିକ ମିଶ୍ରଣ ହୋଇପାରେ । ଯାହାଫଳରେ ମାନବ ଶରୀର ସହ ବର୍ହିଜଗତର ଜ୍ଞାନ ସେମାନଙ୍କର ଅର୍ନ୍ତନିହିତ ଗୁଣସୁତ୍ରକୁ ଆସିଥାଏ । ଏଠାରେ ଆଳୋଚ୍ୟ ଚରିତ୍ର ‘ନିଳବନ୍ତୀ’ ଏହିପରି ଏକ ଯକ୍ଷିଣୀ । ଯେଉଁମାନେ ସ୍ୱଳ୍ପ ସମୟ ପାଇଁ ପୃଥିବୀ ପୃଷ୍ଠକୁ ଆସିଥାନ୍ତି । ପୃଥିବୀ ପୃଷ୍ଠରେ ଏମାନଙ୍କ ଜୀବସତ୍ତା ଅଳ୍ପ ସମୟ ପାଇଁ ରହିଥାଏ । ଏହି କାରଣରୁ ଭାରତୀୟ ପୌରାଣିକ କିମ୍ବଦନ୍ତୀରେ ଗନ୍ଧର୍ବ, ଅପସରା, ଯକ୍ଷିଣୀ ମାନେ ଅଳ୍ପ ଆୟୁ ସମ୍ପନ୍ନ ହୋଇଥାନ୍ତି ।ଏ ପ୍ରକାର ଜୀବ ମାନଙ୍କର ଇଚ୍ଛା ମୃତ୍ୟୁ ରହିଥିବା ଓ ମୃତ୍ୟୁ ଉପରାନ୍ତେ ସେମାନଙ୍କର ମୋକ୍ଷ ହୋଇ ମୂଳ ଲୋକକୁ ଗମନ କରିବାର ଯୋଗ୍ୟତା ରହିଥିବା ଜଣାଯାଏ ।
+ ନୀଳବନ୍ତୀ ଯକ୍ଷିଣୀର ବାଲ୍ୟ ବୃତାନ୍ତ ଓ ପୁସ୍ତକ ରଚନାର ପୃଷ୍ଠଭୂମୀ
‘ନୀଳବନ୍ତୀ’ ବାସ୍ତବରେ ଜଣେ ଯକ୍ଷିଣୀ । ବର୍ଣ୍ଣନା ଅନୁଯାୟୀ ଉତ୍ତର ଭାରତର ଦେବଭୂମୀର ଏକ ଦୁର୍ଗମ ବନାନୀର କ୍ଷୁ୍‌ଦ୍ର ଗ୍ରାମରେ ଆର‌୍ୟୁବେଦ ଚିକିତ୍ସକଙ୍କ ଅଳିଅଳ କନ୍ୟା ହେଉଛି ‘ନୀଳବନ୍ତୀ’ । ତାଙ୍କର ମାତା ଜଣେ ଯକ୍ଷିଣୀ ଥିଲେ । ଏହି କାରଣରୁ ଶିଶୁର ଜନ୍ମ ପରେ ମାତାଙ୍କର ମୃତ୍ୟୁ ହୋଇଥିଲା ଏବଂ ‘ନୀଳବନ୍ତୀ’ ପିତାଙ୍କ ଦେଖାଶୁଣାରେ ବଢ଼ିଥିଲେ । ପିତାଙ୍କ ସୁତ୍ରରୁ ଆର‌୍ୟୁବେଦର ଜ୍ଞାନ ତାଙ୍କ ନିକଟକୁ ଆସିଥିଲା ସେହିପରି ମାତାଙ୍କ ଗୁଣ ସୁତ୍ରରୁ ସେ ବିଭିନ୍ନ ବୃକ୍ଷଲତା ଓ ପଶୁ ପକ୍ଷୀଙ୍କ ଭାଷା ବୁଝି ପାରୁଥିଲେ । ଆର‌୍ୟୁବେଦ ଚିକିତ୍ସକ ହୋଇଥିବାରୁ ଅଧିକାଂଶ ସମୟରେ ତାଙ୍କ ପିତା ଜଙ୍ଗଳକୁ ଔଷଧ ସନ୍ଧାନରେ ଯାଉଥିଲେ ।ଏଣୁ ଏକାକିନୀ ଥିବା ‘ନୀଳବନ୍ତୀ’ ବୃକ୍ଷ ଲତାଙ୍କ ସହ କଥୋପକଥନ କରୁଥିଲେ । ଏହି ସମୟରେ ସ୍ୱପ୍ନରେ ଭୂତ ଓ ପିଶାଚ ମାନେ ତାଙ୍କ ସହ କଥାବର୍ତ୍ତା ହୋଇ ମାଟି ତଲେ କେଉଁଠି କଣ ରହିଛି ତାହା ‘ନୀଳବନ୍ତୀ’ଙ୍କୁ କହୁଥିଲେ । ଯାହାକୁ ନୀଳବନ୍ତୀ କୁଟିଲ ପିଶାଚ ଭାଷା (ଏନକ୍ରିପଟେଡ଼ ଲେଙ୍ଗୁଏଜ)ରେ ରଚନା କରିବା ସହ ସେ ସମ୍ପର୍କରେ ତାଙ୍କ ପିତାଙ୍କ ସହ ଆଲୋଚନା କରୁଥିଲେ । ‘ନୀଳାମ୍ବରୀ’ଙ୍କୁ ଯେତେବେଲେ ୨୦ ବର୍ଷ ହେଲା ସେ ସ୍ୱପ୍ନରେ ଦେଖୁଥିବା ଭୂତ ଓ ପିଶାଚ ମାନଙ୍କୁ ସ୍ୱଚକ୍ଷୁରେ ଦେଖିବାର ସାମର୍ଥ୍ୟ ହାସଲ କରିଥିଲେ । ସେ ସମୟରେ ଯୌବନରେ ପର୍ଦାପଣ କରିଥିବା ନୀଲବନ୍ତୀ ୍ ଜାଣିବାକୁ ପାଇଲା ଯେ ସେ ଜଣେ ଅଭିଶପ୍ତ ଯକ୍ଷିନୀ ଏବଂ ନିର୍ଦ୍ଧିଷ୍ଟ ସମୟ ଉପରାନ୍ତେ ତାକୁ ପୃଥିବୀ ତ୍ୟାଗ କରି ତାଙ୍କୁ ଯକ୍ଷ ଲୋକକୁ ଯିବାକୁ ପଡ଼ିବ । ତାଙ୍କ ପିତା ଏହା ଜାଣିଥିବାରୁ କହିଥିଲେ ଯେ, ଏହା ନିୟତି ଲିଖନ ହୋଇଥିବାରୁ ସେ ତାଙ୍କୁ ଅଟକାଇବେ ନାହିଁ । ଏଣୁ ସ୍ୱେଚ୍ଛାକୃତ ରୂପେ ତାଙ୍କୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ । ପିତାଙ୍କ ଅନୁମତି ପାଇବା ପରେ ନୀଳବନ୍ତୀ ଗାଁ ଛାଡ଼ି ଏକାକିନୀ ଚାଲିବାକୁ ଆରମ୍ଭ କରିଥିଲେ । ଯିବା ବାଟରେ ସେ ଶଗଡ଼ରେ ଆସୁଥିବା ଜଣେ ବ୍ୟବସାୟୀଙ୍କୁ ଭେଟିଲେ । ନୀଳବନ୍ତୀ ତାଙ୍କୁ ଶଗଡ଼ରେ ଅନ୍ୟ ଗାଁରେ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ ଏବଂ ତହିଁର ପ୍ରତି ବଦଳରେ କିଛିବାଟ ପରେ ବାଦାମ ଗଛ ତଳେ ଥିବା ମୂଲ୍ୟବାନ ରତ୍ନପଥର ନେଇ ଯିବାକୁ କହିଥିଲେ ।
ରତ୍ନ ପଥର ଲୋଭି ଚାଲାକ ବ୍ୟବସାୟୀ ଜଣକ ‘ନୀଳବନ୍ତୀ’ଙ୍କୁ ବିବାହର ପ୍ରସ୍ତାବ ଦେଥିଲେ । ନୀଲବନ୍ତୀ ଏହାକୁ ସସର୍ତ୍ତ ସ୍ୱିକାର କରିଥିଲେ । ସେ ସର୍ତ୍ତ ରଖିଥିଲେ ଯେ ନୀଳାମ୍ବରୀ ରାତିରେ ତାଙ୍କ ସହିତ ରହିବେ ନାହିଁ , ଏହା ବ୍ୟତିତ ସେ କଣ କରୁଛନ୍ତି କେଉଁଠି ରହୁଛନ୍ତି ସେ ପ୍ରଶ୍ନ ତାଙ୍କୁ ପଚରାଯିବ ନାହିଁ । ବ୍ୟବସାୟୀ ଜଣକ ଏଥିରେ ରାଜି ହୋଇ ଶଗଡ଼ ଗାଡ଼ିରେ ତାଙ୍କୁ ନେଇ ଯାଇ ବିବାହ କରିଥିଲେ ।ଏଣେ ପ୍ରତିଦିନ ରାତିରେ ନୀଲବନ୍ତୀ ତନ୍ତ୍ର କରିବା ପାଇଁ ବାଉଁଶ ଗଛ ତଳେ ଯାଉଥିଲେ । ସେଠାରେ ସେ ନିଜ ରକ୍ତ, ପଶୁ ଏବଂ ପକ୍ଷୀମାନଙ୍କୁ ମଧ୍ୟ ବଳି ଦେଇ ତନ୍ତ୍ର ସାଧନା କରୁଥିଲେ । ଦିନେ ରାତିରେ, ଯେତେବେଳେ ନୀଲବନ୍ତୀ ସେହି ବାଉଁଶ ଗଛ ତଳେ ତନ୍ତରାମଣ କରୁଥିଲେ, ସେତେବେଳେ ସେହି ଗାଁର କିଛି ଲୋକ ନୀଲବନ୍ତୀଙ୍କୁ ପଶୁ ଓ ପକ୍ଷୀ ବଳି ଦେଉଥିବାର ଦେଖି ଘଟଣା ସମ୍ପର୍କରେ ବ୍ୟବସାୟୀଙ୍କୁ ପ୍ରକାଶ କରିବା ସହ ନୀଲବନ୍ତୀ ଜଣେ ତାନ୍ତ୍ରିକ ଡ଼ାହାଣୀ ବୋଲି ଅଭିଯୋଗ କରିଥିଲେ । ପରଦିନ ରାତିରେ ଯେତେବେଳେ ନୀଲବନ୍ତୀ ତାଙ୍କ ସମୟ ଅନୁଯାୟୀ ତନ୍ତ୍ର ସାଧନା ପାଇଁ ବାହାରକୁ ଯାଇଥିଲେ ସେ ସମୟରେ ବ୍ୟବସାୟୀ ମଧ୍ୟ ତାଙ୍କୁ ଅନୁସରଣ କରି ନୀଲବନ୍ତୀଙ୍କୁ ତନ୍ତ୍ର ସାଧନା କରୁଥିବା ଦେଖିଥିଲେ । ଏହା ଫଳରେ ବ୍ୟବସାୟୀଙ୍କୁ ଦୁର୍ବୁଦ୍ଧି ଘୋଟିଥିଲା । ପରଦିନ ଶୟତାନ ନୀଲୱନ୍ତୀଙ୍କ ସ୍ୱପ୍ନରେ ଆସି ତାଙ୍କୁ କହିଥିଲା ଯେ ଆସନ୍ତାକାଲି ନୀଲବନ୍ତୀ, ଯେତେବେଳେ ତନ୍ତ୍ର ସାଧନା ପାଇଁ ବାଉଁଶ ଗଛ ତଳକୁ ଯିବେ ସେ ସମୟରେ ନଦୀରେ ଏକ ମୃତ ଦେହ ଭାସୁଥିବା ଦେଖିବେ । ସେହି ମୃତ ଦେହର ବେକରେ ଥିବା ଅମୃତ କଙ୍କଣ ଖୋଲବା ପରେ ସେହି ନଦୀରେ ଡଙ୍ଗାରେ ଚଢ଼ୁଥିବା ଜଣେ ବ୍ୟକ୍ତିଙ୍କୁ କଙ୍କଣଟି ଦେବାକୁ ପଡିବ ଯିଏ ‘ନିଳବନ୍ତୀ’ଙ୍କୁ ଯକ୍ଷଲୋକରେ ପହଞ୍ଚାଇ ଦେବ । ତେବେ ନୀଳବନ୍ତିଙ୍କ ଯକ୍ଷଲୋକ ଯାତ୍ରା ପାଇଁ ଏହା ଏକମାତ୍ର ଓ ଅନ୍ତିମ ସୁଯୋଗ ହୋଇଥିବାରୁ ସେ ସୁଯୋଗ ହାତଛଡ଼ା କରିବା ଉଚିତ ନୁହେଁ । ପରଦିନ ନୀଲବନ୍ତୀ ବହୁତ ଖୁସି ହୋଇ ରାତିରେ ବାଉଁଶ ଗଛ ତଳକୁ ଯିବା ସମୟରେ ସତକୁ ସତ ନଦୀ କୂଳରେ ଏକ ମୃତ ଦେହ ଭାସୁଥିବା ଦେଖି ତନ୍ତ୍ର ସାଧନା କରି ନିଜ ରକ୍ତ ଏବଂ ପଶୁ ଓ ପକ୍ଷୀମାନଙ୍କୁ ବଳି ଦେଇଥିଲେ । ନୀଲବନ୍ତୀ ମୃତଦେହକୁ ଯାଇ ବେକରେ ଥିବା ଅମୃତ କଙ୍କଣକୁ ବାହାର କରିବାକୁ ଚେଷ୍ଟା କରିବା ସମୟରେ ବ୍ୟବସାୟୀଙ୍କ ଶରୀରରେ ସଇତାନ ସବାର ହୋଇ ଗ୍ରାମବାସୀଙ୍କ ସହ ସେଠାରେ ପହଞ୍ôଚ ଅମୃତ କଙ୍କଣ ମାଗିଲା । ସେତେବେଳକୁ ‘ନୀଳବନ୍ତୀ’ ଅମୃତ କଙ୍କଣର ପ୍ରଥମ ଗଣ୍ଠୀ ଖୋଲି ଦ୍ୱିତୀୟ ଗଣ୍ଠି ଖୋଲିବାକୁ ଯାଉଥିଲେ । ମାତ୍ର ଉତ୍ୟକ୍ତ ବ୍ୟବସାୟୀ ଓ ଗ୍ରାମବାସୀ ତାଙ୍କୁ ଡ଼ାହାଣୀ ମନେକରି ହତ୍ୟା କରିବାର ଉଦ୍ୟମ କରିଥିଲେ । ଇତି ମଧ୍ୟରେ ସଇତାନ ରୂପୀ ଭୂତ ବାହାରୀ ନୀଳବନ୍ତୀଙ୍କୁ ପିଶାଚ ଭାଷା (ଏନକ୍ରିପଟେଡ଼ ଲେଙ୍ଗୁଏଜ)ରେ ଲେଖିଥିବା ‘ନୀଳବନ୍ତୀ’ଗ୍ରନ୍ଥ ମାଗିଥିଲା । ଏହି ସମୟରେ ନୀଲବନ୍ତୀ ଭାବିଲେ ଯେ ଯଦି ଏହି ଶୟତାନ ଏହି ପୁସ୍ତକ ପାଏ ତେବେ ଏହା ବିଶ୍ୱ ପାଇଁ ଏକ ବିପର୍ଯ୍ୟୟ ହେବ ।ଅପର ପକ୍ଷରେ ଗ୍ରାମବାସୀ ନିଳବନ୍ତୀଙ୍କୁ ହତ୍ୟାକଲେ ପୁସ୍ତକଟି ଅପାତ୍ର ହାତକୁ ଯାଏ ତେବେ ମଧ୍ୟ ତାହା ବିଶ୍ୱପାଇଁ ସଙ୍କଟ ସୃଷ୍ଟି କରିବ । ଏଣୁ ନୀଲବନ୍ତୀ ସେହି ପୁସ୍ତକକୁ ଅଭିଶାପ ଦେଇ କହିଥିଲେ ଯେ ଲୋଭରୁ ଏହି ପୁସ୍ତକ ପଢ଼ୁଥିବା ବ୍ୟକ୍ତି ତୁରନ୍ତ ମରିବ ଏବଂ ଯିଏ ଏହି ପୁସ୍ତକକୁ ଅଧା ବାଟରେ ଛାଡିବ ।ସେ ପୁସ୍ତକ ପଢ଼ିବା ପରେ ପାଗଳ ହୋଇଯିବ । ଏହା କହି ନୀଲବନ୍ତୀ ସେହି ପୁସ୍ତକ ସହିତ ଅର୍ନ୍ତଧ୍ୟାନ ହୋଇଥିଲେ । ଏହା ପରେ, ଆଜି ପର୍ଯ୍ୟନ୍ତ ନୀଳବନ୍ତୀଙ୍କ କୌଣସି ସନ୍ଧାନ ମିଳି ନାହିଁ । ପରେ କୌଣସି ପ୍ରକାରରେ ଜଣେ ସାଧୁ ତାହାକୁ ଡ଼ିକୋଡ଼ କରି ସଂସ୍କୃତ ଭାଷାରେ ରଚନା କରିଥିଲେ । ତେବେ ଏ ପର୍ଯ୍ୟନ୍ତ ମୂଳ ଏନକ୍ରିପଟେଡ଼ ପୁସ୍ତକଟି ଏବେ ମଧ୍ୟ ରହସ୍ୟମୟ ଅବସ୍ଥାରେ ରହିଛି । ବାସ୍ତବରେ ଯଦି ଏହାର ମୂଳ ଏନକ୍ରିପଟେଡ଼ ଲେଙ୍ଗୁଏଜରେ ରଚିତ ପୁସ୍ତକଟି ମିଳନ୍ତା ତା ହେଲେ ହୁଏତ ଭାରତୀୟ ମାନେ ଅନ୍ତରୀକ୍ଷ ଯାତ୍ରା କରିବା ଓ ବିଶ୍ୱବ୍ରହ୍ମାଣ୍ଡ ରହସ୍ୟ ଭେଦ କରିବାରେ ସକ୍ଷମ ହୋଇ ପାରନ୍ତେ ।
ସୁରେନ୍ଦ୍ର ହୋତା, ସାମ୍ବାଦିକ ବରଗଡ଼
୨୦ ନଭେମ୍ବର ୨୦୨୩
ସମ୍ପର୍କ : ୯୪୩୭୧୧୦୨୫୦
www.navratnanews.com