ସାଲା ମୈଁ ତୋ ସାବ ବନ ଗୟା!……..

ସମସ୍ତଙ୍କୁ ଜନରାଜ୍ୟ ଦିବସର ଅଭିନନ୍ଦନ । ଭାରତୀୟ ସମ୍ବିଧାନରେ ସଭିଙ୍କୁ ବାକ ସ୍ୱାଧିନତା ପ୍ରଦାନ କରାଯାଇଛି । ମାତ୍ର ଅଧିକାଂଶ ସମୟରେ ଆମେ ଏହି ସାମ୍ବିଧାନିକ ଅଧିକାରର ଅପ ପ୍ରୟୋଗ କରିବାରେ ପଶ୍ଚାତପଦ ହୋଇ ନଥାଉଁ । ଯାହା ପରୋକ୍ଷରେ ଅପରାଧ ସୃଷ୍ଟିର କାରଣ ସାଜିଥାଏ । ସୋସିଏଲ ମିଡ଼ିଆରେ ଏଭଳି ଅପବ୍ୟବହାର ଅଧିକ ପରିଲକ୍ଷିତ ହୋଇଥାଏ । କାରଣ ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର ଅପରାଧୀଙ୍କ ପାଇଁ ବେଶ ସହାୟକ ହୋଇଥାଏ । ସୋସିଏଲ ମିଡ଼ିଆ ବ୍ୟବହାର ସମୟରେ ମୁଁ ପାରୁ ପର୍ଯ୍ୟନ୍ତ ସଂଜମତା ଅବଳମ୍ବନ କରିଆସୁଛି । ଏହା ସତ୍ୱେ ସୋସିଏଲ ମିଡ଼ିଆରେ ମୋ ପ୍ରୋଫାଇଲ ଫଟୋର ଅପବ୍ୟବହାର ହେଉଥିବା ସମ୍ପର୍କରେ ଗତକାଲି ମୁଁ ଜାଣିବାକୁ ପାଇଲି ।ପ୍ରଥମେ ବରଗଡ଼ ସାମ୍ବାଦିକ ସଂଘର ସଭାପତି ତଥା ବର୍ଷିୟାନ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର ମୋର ଏକ ନକଲି ପ୍ରୋପାଇଲରୁ ତାଙ୍କୁ ପ୍ରେଣ୍ଡ ରିକୁଏଷ୍ଟ ପଠାଯାଇଥିବାର ସୂଚନା ଦେଇଥିଲେ । ମୁଁ ତାହାକୁ ଗୁରୁତ୍ୱ ଦେଇ ନଥିଲି କାରଣ ଅନେକ ସମୟରେ ଆର୍ଟିଫିସିଏଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ବିଭିନ୍ନ ଗୃପରେ ସାମିଲ ହେବା ପାଇଁ ଖୋଦ ଫେସବୁକ ଓ ଅନ୍ୟ ମିଡ଼ିଆ ମଧ୍ୟ ବ୍ୟବସାୟିକ କାରଣରୁ ଏଭଳି ରିକୁଏଷ୍ଟ ପଠାଇଥାନ୍ତି ।ତା ପର ଦିନ ସୋହେଲା ଓ ବରପାଲିରୁ ମୋର କିଛି ଶୁଭେଚ୍ଛୁ ମୋତେ ଫୋନରେ ଜଣାଇଲେ ଯେ କେହି ଜଣେ ମୋର ଫେସବୁକ ପ୍ରୋଫାଇଲର ଅବିକଳ ନକଳରେ ଆଇଡ଼ି କ୍ରିଏଟ କରି ମେସେଞ୍ଜର ମାଧ୍ୟମରେ ଟଙ୍କା ମାଗୁଛି । ଟଙ୍କା ମାଗିବା କାରଣରୁ ସେମାନଙ୍କର ସନ୍ଦେହ ହେବାରୁ ସେମାନେ ମୋ ସହ ଯୋଗାଯୋଗ କରିଥିଲେ । ସେତେବେଲେ ମୁଁ ଜାଣିପାରିଥିଲି ଯେ ଏହା ‘ସାଇବର କ୍ରାଇମ’ ଅଟେ । ଏହା ଶୁଣି ମୋର ହଠାତ ଚଳଚିତ୍ର ଅଭିନେତା ଦିଲ୍ଳିପ କୁମାରଙ୍କ ୧୯୭୩ରେ ମୁକ୍ତି ଲାଭ କରିଥିବା ‘ଗୋପୀ’ ଚଳଚିତ୍ରର ଗୀତଟିଏ ମନେ ପଡ଼ିଗଲା । ଯେଉଁଥିରେ ଦୁର୍ଦିନରେ କଳାତିପାତ କରୁଥିବା ଗରିବ ଶ୍ରମିକ ନେତାଟିଏ କିଭଳି ସୁଟ ବୁଟ ପିନ୍ଧି ବିଦେଶୀ ପିଇ ଖୁସି ହୋଇ ଗାଇ ଉଡିଥିଲା ‘‘ସାଲା ମୈଁ ତୋ ସାବ୍ ବନଗୟା… ସାବ ବନକେ କୈସା ତନ ଗୟା, ୟେ ବୁଟ ମେରା ଦେଖୋ , ୟେ ସୁଟ ମେରା ଦେଖୋ .. ଜୈସେ ଗୋର କୋଇ ଲଣ୍ଡନ କା! ସାଲା ମୈ ତୋ ସାବ ବନଗୟା….. ଏ ଗିତଟି ହଠାତ ମୁଣ୍ଡକୁ ଆସିବାର କାରଣ ଥିଲା ଯେ କିଛି ଦିନ ପୂର୍ବରୁ ବିକାଶ ଗୃପ ଅଫ ଇନଷ୍ଟିଚ୍ୟୁଟର ଚେୟାରମେନ ‘ଡ଼ି. ମୂରଲି କ୍ରିଷ୍ଣା’ ଏକ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଅବିକଲ ପ୍ରୋଫାଇଲକୁ କପି କରି କେହି ନକଲି ଫେସବୁକ ଆଇଡ଼ି କ୍ରିଏଟ କରିଛି ଏବଂ ସେଥିରେ ଲୋକଙ୍କୁ ଟଙ୍କା ମାଗୁଛି । ମୁଁ ଭାବୁଥିଲି ସାଇବର ଅପରାଧି ମାନେ ଏଭଳି କରୋଡ଼ପିତି ,ଅରବପତି ଅଥବା ପ୍ରତିପତିଶାଳୀ ପବ୍ୟକ୍ତିଙ୍କ ଫେକ ଆଇଡ଼ି ତିଆରି କରିଥାନ୍ତି । ହେଲେ ମୋ ପରି ଏକ ଫୁକ୍କଡ଼ରାମ ଗିରଧାରୀଙ୍କ ନକଲି ଫେସବୁକ ପ୍ରୋଫାଇଲ ସୃଷ୍ଟି କରିବା ଦ୍ୱାରା ପରୋକ୍ଷରେ ସାଇବର ଅପରାଧି ମାନେ ମୋତେ ବି ସେମାନଙ୍କ ଷ୍ଟାଟସର ବୋଲି ମନେ କରୁଛନ୍ତି ।ଏହି କାରଣରୁ ମନେ ମନେ ଖୁସି ହେଉଥିଲି ‘ ସାଲା ମୈ ଭି ସାବ ବନଗୟା!’ । ଅପର ପକ୍ଷରେ ନକଲି ଫେସବୁକ ଆଇଡ଼ି ସୃଷ୍ଟିକର୍ତାଙ୍କ ମୂର୍ଖତା ପାଇଁ ହସ ବି ଲାଗୁଥିଲା । କାରଣ ସେମାନଙ୍କର ଏତେ ପରିଶ୍ରମ ବୃଥାରେ ଗଲା । କାରଣ ମୁଁ ନିଜେ ନିଜକୁ ‘ଭିଖମଗା’ ଷ୍ଟାଟସର ବୋଲି ବିଚାରି ନାହିଁ ଏବଂ ମୋର ଫେସବୁକ ଫଲୋୟର ହୁଅନ୍ତୁ ବା ଯିଏ ମୋତେ ନିକଟରୁ ଜାଣିଛି ସେ କେବେ ବି ବିଶ୍ୱାସ କରିବ ନାହିଁ ଯେ ମୁଁ ଏଭଳି ଭିକମଗା କ୍ୟାଟାଗୋରୀକୁ ଯାଇ ପାରିବି । ଏହା ବ୍ୟତିତ ମୋର ବି ଆତ୍ମବିଶ୍ୱାସ ନାହିଁ ଯେ , ଯଦି ବି ମୁଁ ବାସ୍ତବରେ କାହାରିକୁ ମାଗିବି ତାହେଲେ ମୋତେ କିଏ ଟଙ୍କାଟିଏ ଦେବ! କାରଣ ମାଗିବାର ଯୋଗ୍ୟତା ଓ କଳା କୌଶଳ ମୋ ପାଖରେ ନାହିଁ । ଠିକ ସେହିପରି ମୋର ବ୍ୟାଙ୍କ ବାଲାନ୍ସ ନାହିଁ ଯେ ସାଇବର କ୍ରାଇମ ଦ୍ୱାରା କେହି ମୋ ଏକାଉଣ୍ଟରୁ ଟଙ୍କା ଉଠାଇ ପାରିବ । କାରଣ ମୋ ପ୍ୟାଣ୍ଟ ପକେଟର ପର୍ସ ହିଁ ମୋର ବ୍ୟାଙ୍କ ବ୍ୟାଲେନ୍ସ । ଏ ପର୍ଯ୍ୟନ୍ତ ଯଦି କାହାରି ଆଗରେ ହାତ ନ ପତେଇ ଚଲି ପାରୁଛି ତାହେଲ ବୟସର ଅପରାହ୍ନରେ କାହିଁକି କାହା ପାଖରେ ହାତ ପତେଇବି । ଏଣୁ ମୋର ଅନୁରୋଧ ଯଦି ମୋ ନାମରେ କିଏ କିଛି ମାଗୁଛି ଏପରିକି ମୁଁ ନିଜେ ବି ଯଦି କେବେ କାହାକୁ କିଛି ମାଗିବି ଦୟାକରି କେହି ଦେବେ ନାହିଁ । ଯଦି କୌଣସି କ୍ଷେତ୍ରରେ ସନ୍ଦେହ ହୁଏ ଦୟାକରି ମୋତେ ୯୪୩୭୧୧୦୨୫୦ରେ ସମ୍ପର୍କ କରି ନିଶ୍ଚିତ କରିବେ । ମୋ ନାମରେ ଫେକ ଆଇଡ଼ି କ୍ରିଏଟ କରି ଲୋକଙ୍କୁ ଟଙ୍କା ମାଗୁଥିବା ବ୍ୟକ୍ତି ନିଜେ ଅସୁସ୍ଥ ଥିବା ଦର୍ଶାଇ ୬୩୯୧୨୨୭୪୬୦ ରେ ପେଟିଏମ କରିବାକୁ ପରାମର୍ଶ ଦେଇଥିଲେ ।ଏହି ନମ୍ବରଟି ଉତରପ୍ରଦେଶର ଜନୈକ ମୁସିଲମ ବ୍ୟକ୍ତିଙ୍କ ନାମରେ ରହିଛି । ସାଇବର କ୍ରାଇମ ସହ ଜଡ଼ିତ ଅଧିକାଂଶ ଗ୍ୟାଙ୍ଗ ଉତ୍ତରପ୍ରଦେଶ ସହ ଜଡ଼ିତ । ଏଣୁ ମୋର ଅନୁରୋଧ ଏପ୍ରକାର କେହି ଯଦି ଫେସବୁକ୍ ମେସେଞ୍ଜର କିମ୍ବା ଅନ୍ୟ ସୋସିଏଲ ମିଡ଼ିଆ ମେସେଞ୍ଜର କଥାରେ ପଡ଼ିି କାହାରିକୁ ଫୋନପେ, ପେଟିଏମ ଅଥବା ଅନ୍ୟ ୟୁପିଆଇରେ ଟଙ୍କା ପଠାନ୍ତୁ ନାହିଁ କିମ୍ବା କାହାରିକୁ ନିଜର ସିକ୍ରେଟ ପାସୱାର୍ଡ଼ ଅଥବା ଓଟିପି ଦିଅନ୍ତୁ ନାହିଁ । କାରଣ ଏହା ଗୋଷ୍ଠିଗତ ସାଇବର କ୍ରାଇମ ଅଟେ । ସୋସିଆଲ ମିଡ଼ିଆରେ ଫେକ ଆଇଡ଼ି କିଏ କାହିଁକି କରେ ? ସୋସିଆଲ ମିଡ଼ିଆରେ ଫେକ ଆଇଡ଼ି କିଏ କାହିଁକି କରେ ଏବଂ ଏହାର ସଂଖ୍ୟା କେତେ? ଏ ପ୍ରଶ୍ନ ଉଠିବା ସ୍ୱାଭାବିକ ।୨୦୧୯ ରେ ସ୍ୱିଡେନର ଇ-କମର୍ସ ଷ୍ଟାର୍ଟ ଅପ୍‌୍ କମ୍ପାନୀ ଏବଂ ଆନାଲିଟିକ୍ସ ଫାର୍ମ ଦ୍ୱାରା ଏ ସମ୍ପର୍କରେ ଭାରତ ସମେତ ବିଶ୍ୱର ୮୨ଟି ଦେଶରେ ତଥ୍ୟ ସଂଗ୍ରହ କରାଯାଇଥିଲା । ସଂଗୃହୀତ ତଥ୍ୟ ଅନୁଯାୟୀ, ୮୨ ଟି ଦେଶରେ ୧.୮୪ ନିୟୁତରୁ ଅଧିକ ସୋସିଆଲ ଆକାଉଣ୍ଟର ବିଷ୍ଲେଷଣ ଓ ମୂଲ୍ୟାଙ୍କନ କରାଯାଇଥିଲା । ବିଶ୍ୱରେ ସର୍ବାଧିକ ନକଲି ଆକାଉଣ୍ଟ ଥିବା ପ୍ରଥମ ତିନୋଟି ରାଷ୍ଟ୍ର ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ତେବେ ପ୍ରଥମ ସ୍ଥାନରେ ରହିଛି ଯୁକ୍ତରାଷ୍ଟ୍ର (୪୯ ନିୟୁତ), ବ୍ରାଜିଲ (୨୭ ନିୟୁତ) ଏବଂ ଭାରତ (୧୬ ନିୟୁତ) । ଅଧିକନ୍ତୁ, ଫେସବୁକର କାର୍ଯ୍ୟକାରୀ ଆନାଲିଟିକ୍ସ ରିପୋର୍ଟ ଅନୁଯାୟୀ, ସେମାନଙ୍କ ପ୍ଲାଟଫର୍ମରେ ପ୍ରାୟ ୫% (ଅର୍ଥାତ୍ ପ୍ରାୟ ୯୦ ମିଲିୟନ୍‌) ପ୍ରୋଫାଇଲ୍ ନକଲି ବୋଲି ଆକଳନ କରାଯାଇଛି । ଏ ନକଲି ଆକାଉଣ୍ଟ କିଏ କାହିଁକି କରେ । ନକଲି ଆକାଉଣ୍ଟ୍‌ର ପ୍ରକାରଗୁଡିକ ଏବଂ ସେଗୁଡ଼ିକ କ’ଣ ପାଇଁ ବ୍ୟବହୃତ ହେଉଛି ତାହା ହିଁ ବିଚାର୍ଯ୍ୟର ବିଷୟ । ସାଧାରଣତଃ ଅନେକ ସମୟରେ ପୁଅ ମାନେ ଝିଅକୁ ପଟାଇବା ପାଇଁ ସେମାନଙ୍କ ଲିିଙ୍ଗ ପରିବର୍ତନ କରି ଫେକ ଆଇଡ଼ି ତିଆରି କରି ଝିଅମାନଙ୍କ ସହ ବନ୍ଧୁତା କରିଥାନ୍ତି ।ସେହିପରି ଝିଅ ମାନେ ମଧ୍ୟ ସୁନ୍ଦରୀ ପ୍ରତିଛବିଟିଏ ଲଗାଇ ନକଲି ପ୍ରୋଫାଇଲ ସୃଷ୍ଟି କରିଥାନ୍ତି । ମାତ୍ର ଏହି ଉଭୟ ପ୍ରକାରର ଫେକ ଆଇଡ଼ି ସଂଖ୍ୟା ବିଶେଷ ନୁହେଁ । ମୁଖ୍ୟତଃ ସଂପ୍ରତି ଭାରତରେ ରାଜନୈତିକ ଉଦ୍ଦେଶ୍ୟରେ ଫେକ ଆଇଡ଼ିର ବ୍ୟାପକ ବ୍ୟବହାର ହେଉଛି ।ସୋସିଆଲ୍ ନେଟୱାର୍କିଂ ସାଇଟରେ ବିଭିନ୍ନ ପ୍ରକାରର ନକଲି ଆକାଉଣ୍ଟ୍ ଭରି ରହିଛି । ତେବେ ଅଧିକାଂଶ ନକଲି ଆକାଉଣ୍ଟ୍ ଅନ୍ୟ ଉପଭୋକ୍ତାମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନାକୁ ବ୍ୟବହାର କରି ତିଆରି କରାଯାଇଥାଏ । ସାଇବର କ୍ରାଇମ ସହ ଜଡ଼ିତ ଅପରାଧି ମାନେ ଏଭଳି ସାଇଟ ମାଧ୍ୟମରେ ଅନ୍ୟର ବ୍ୟକ୍ତିଗତ ବିବରଣୀ ଓ ସୂଚନା ସଂଗ୍ରହ କରି ଅପରାଧିକ କାର୍ଯ୍ୟ କରିଥାନ୍ତି ।ସେହିପରି ରାଜନୈତିକ ଉଦ୍ଦେଶ୍ୟରେ ଗଣମାଧ୍ୟମର ଟ୍ରେଣ୍ଡକୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳ ଏବଂ କର୍ପୋରେସନ୍ ଦ୍ୱାରା ମଧ୍ୟ ଏଭଳି ନକଲି ଆକାଉଣ୍ଟ୍ ସୃଷ୍ଟି କରାଯାଇଥାଏ ।ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରା କିମ୍ବା ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଖାତାଗୁଡ଼ିକ ସାଧାରଣତଃ ବଟ୍ ଦ୍ୱାରା ସୃଷ୍ଟି ହୋଇଥାଏ ଯାହା ମାନବ ଆଚରଣକୁ ଅନୁକରଣ କରିଥାଏ । ଏହି ଆକାଉଣ୍ଟଗୁଡିକ କ୍ରମାଗତ ଭାବରେ ହ୍ୟାସ୍ ଟ୍ୟାଗ୍ ବ୍ୟବହାର କରନ୍ତି ଏବଂ ସେମାନଙ୍କର ଦୃଶ୍ୟମାନତା ଏବଂ ଲୋକପ୍ରିୟତା ବଢ଼ାଇବା ପାଇଁ ବିଷୟବସ୍ତୁକୁ ପୁନଃ ପୋଷ୍ଟ କରିଥାନ୍ତି ।ଅନେକ ସମୟରେ ସେଲିବ୍ରିଟି ମାନଙ୍କ ନାମରେ ନକଲି ଆକାଉଣ୍ଟ ବ୍ୟବହାର କରାଯାଇଥାଏ ।ଏହିପରି ଆକାଉଣ୍ଟଗୁଡିକ ଏକ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ତଥ୍ୟ ଏବଂ ସୂଚନାକୁ ଏକ ଅଫିସିଆଲ୍ ଆକାଉଣ୍ଟ୍ ସୃଷ୍ଟି କରିବାକୁ ବ୍ୟବହାର କରାଯାଇଥାଏ ।ପ୍ରଶଂସକ /ସମର୍ଥକଙ୍କୁ ଠକିବା ଏବଂ ଠକିବା ପାଇଁ ଇମ୍ପୋଷ୍ଟର ମାନେ ଏହି ନକଲି ଆକାଉଣ୍ଟଗୁଡିକ ବ୍ୟବହାର କରିଥାନ୍ତି । ନକଲି ଆକାଉଣ୍ଟ ବିରୁଦ୍ଧରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକର ନିୟମାବଳୀ ଏ ପର୍ଯ୍ୟନ୍ତ ଏଭଳି କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ଯାହା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେମାନଙ୍କ ନେଟୱାର୍କ ମଧ୍ୟରେ ନକଲି ଆକାଉଣ୍ଟ ସୃଷ୍ଟି ପାଇଁ ଦାୟୀ କରିଥାଏ । ଏହାର କାରଣ ହେଉଛି ନେଟୱର୍କ କେବଳ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥାଏ ଏବଂ ସିଧାସଳଖ ଏକାଉଣ୍ଟ ସୃଷ୍ଟି କରେ ନାହିଁ । ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ର ଧାରା ୭୯ ଅନୁଯାୟୀ ଦିଆଯାଇଥିବା ମଧ୍ୟସ୍ତି ସୋସିଆଲ ମିଡିଆ ନେଟୱାର୍କକୁ ତୃତୀୟ ପକ୍ଷ ଦ୍ୱାରା ପୋଷ୍ଟ କରାଯାଇଥିବା ବିଷୟବସ୍ତୁ ପାଇଁ ଦାୟିତ୍ୱରୁ ରକ୍ଷା କରିଥାଏ ।ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମ, ୨୦୦୦ ର ଧାରା ୭୯ ଅନୁଯାୟୀ ଏକ ଅନଲାଇନ୍ ପୋର୍ଟାଲ ଯାହା ମଧ୍ୟସ୍ଥି ଭାବରେ କାର୍ଯ୍ୟ କରେ ଯଥା ଏକ ଇଲେକ୍ଟ୍ରୋନିକ୍ ରେକର୍ଡ ଗ୍ରହଣ କରେ, ଗଚ୍ଛିତ କରେ, ପ୍ରସାରଣ କରେ କିମ୍ବା ଯୋଗାଯୋଗ କରେ ତୃତୀୟ ପକ୍ଷ ସୂଚନା କିମ୍ବା ଯୋଗାଯୋଗ ପାଇଁ ଏହା ଦାୟୀ ରହିବ ନାହିଁ ।ଅବଶ୍ୟ, ନିୟମାବଳୀରେ ଦର୍ଶାଯାଇଛି ଯେ ‘ପ୍ରକୃତ ଜ୍ଞାନ’ ପାଇବା ପରେ ପୋର୍ଟାଲରେ ରହୁଥିବା କୌଣସି ସୂଚନା, ତଥ୍ୟ କିମ୍ବା ଯୋଗାଯୋଗ ଲିଙ୍କ୍ ଏକ ବେଆଇନ୍ କାର୍ଯ୍ୟ କରିବା ପାଇଁ ବ୍ୟବହୃତ ହୁଏ, ତେବେ ମଧ୍ୟସ୍ଥି ଏହିପରି ବିଷୟବସ୍ତୁକୁ ନେବାକୁ ଦାୟୀ ହୁଅନ୍ତି ।ଦୁର୍ଭାଗ୍ୟବଶତଃ ଏହି ‘ପ୍ରକୃତ ଜ୍ଞାନ’ ବିଷୟରେ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମରେ କୌଣସି ସ୍ପଷ୍ଟତା ପ୍ରଦାନ କରାଯାଇ ନାହିଁ । ଅବଶ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ନୈତିକ ସଙ୍କେତ) ନିୟମ ୨୦୨୧ ବିଭିନ୍ନ ନିୟମାବଳୀକୁ ଅନ୍ତର୍ଭୁକ୍ତ କରିଛି ଯାହା ନକଲି ଆକାଉଣ୍ଟଗୁଡିକର ଉପଦ୍ରବକୁ ମୁକାବିଲା କରିବାରେ ସହାୟକ ହେବ ।ଏହି ଗାଇଡଲାଇନ ଅନୁଯାୟୀ, ପ୍ରତ୍ୟେକ ସୋସିଆଲ ମିଡିଆ ସାଇଟର ଏକ ଅଭିଯୋଗର ସମାଧାନ ବ୍ୟବସ୍ଥା ସ୍ଥାପନ କରିବାର ଦାୟିତ୍ୱ ଅଛି । ଯେଉଁଥିରେ ସେହି ସାଇଟରେ ଉପଲବ୍ଧ ଯେ କୌଣସି ବିଷୟବସ୍ତୁ ବିରୁଦ୍ଧରେ ଅଭିଯୋଗ କରାଯାଇପାରିବ । ସାଧାରଣତଃ ଟଙ୍କା ଠକିବା ପାଇଁ ଦୁଇଟି ଉପାୟରେ ଫେସବୁକ୍ ପ୍ରୋଫାଇଲ୍ ସୃଷ୍ଟି କରି ସାଇବର ଅପରାଧୀମାନେ ଫେସବୁକରେ ପ୍ରତାରଣା କରନ୍ତି ।ପ୍ରଥମେ, ଫେସବୁକ୍ ବ୍ୟବହାରକାରୀଙ୍କ ନକଲି ପ୍ରୋଫାଇଲ୍ ସୃଷ୍ଟି କରି, ଫେସବୁକ୍ ମେସେଞ୍ଜର ମାଧ୍ୟମରେ ଉପଭୋକ୍ତାଙ୍କ ପରିଚିତ ବ୍ୟକ୍ତିଙ୍କୁ (ବନ୍ଧୁ ଏବଂ ସମ୍ପର୍କୀୟ) ବାର୍ତ୍ତା ପଠାଇବା, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅସୁସ୍ଥ କିମ୍ବା ପରିବାର ସଦସ୍ୟଙ୍କ ପରି ସମ୍ପର୍କୀୟଙ୍କୁ ଟଙ୍କା ମାଗିବା । ନକଲି ଫେସବୁକ ପ୍ରୋଫାଇଲ ତିଆରି କରିବା ପାଇଁ ସାଇବର ଅପରାଧୀମାନେ ବ୍ୟବହାରକାରୀଙ୍କ ଫଟୋ ଚୋରି କରିଥାନ୍ତି ।ଯଦି କେହି ଆପଣଙ୍କୁ ଫେସବୁକ୍ ମେସେଞ୍ଜର ମାଧ୍ୟମରେ ଯେ କୌଣସି ପେଟିଏମ୍‌, ଗୁଗୁଲ୍ ପେ, ଫୋନ୍ ପେ କିମ୍ବା କୌଣସି ୱାଲେଟକୁ ଟଙ୍କା ସ୍ଥାନାନ୍ତର କରିବାକୁ କୁହନ୍ତି, ତେବେ ତାଙ୍କୁ ଟଙ୍କା ଦିଅନ୍ତୁ ନାହିଁ । ସାଇବର କ୍ରାଇମ୍ ରିପୋର୍ଟିଂ ହେଲ୍ପଲାଇନ ନମ୍ବର (୧୫୫୨୬୦) କୁ କଲ କରି ଏହାକୁ ତୁରନ୍ତ ରିପୋର୍ଟ କରନ୍ତୁ ।ଠକେଇରେ ପଡ଼ିଥିବା ବ୍ୟକ୍ତି ୧୫୫୨୬୦ କୁ କଲ କରିବା ଦ୍ୱାରା ଜାଲିଆତି ଟଙ୍କା ଫେରସ୍ତ ପାଇବାର ମଧ୍ୟ ସମ୍ଭାବନା ରହିଛି ।ଫେସବୁକ୍ ଆକାଉଣ୍ଟକୁ ହ୍ୟାକିଂରୁ କିପରି ରକ୍ଷା କରିବେ । ୧. ସମୟ ସମୟରେ ଫେସବୁକ୍ ପ୍ରୋଫାଇଲ୍ ଏକାଉଣ୍ଟର ପାସୱାର୍ଡ ପରିବର୍ତ୍ତନ କରନ୍ତୁ ଫଶକ୍ତିଶାଳୀ ଚରିତ୍ର ସହିତ ପାସୱାର୍ଡ ସୃଷ୍ଟି କରନ୍ତୁ, ଆପଣଙ୍କର ପାସୱାର୍ଡରେ ଅନନ୍ୟ ପ୍ରତୀକ, ସଂଖ୍ୟା, ଛୋଟ ଅକ୍ଷର ତିଆରି କରନ୍ତୁ । ୨. କୌଣସି ଅଜ୍ଞାତ ସ୍ଥାନରେ ଆପଣଙ୍କର ଫେସବୁକ୍ ଆକାଉଣ୍ଟ ଖୋଲନ୍ତୁ ନାହିଁ ।ଆପଣଙ୍କର ଫେସବୁକ୍ ଆକାଉଣ୍ଟ୍ ସେଟିଂସମୂହକୁ ଯାଇ ସୁରକ୍ଷା ଏବଂ ଲଗଇନ୍ କୁ ଯାଇ ଯେ କୌ ଣସି ଡିଭାଇସରେ ଆପଣଙ୍କର ଆକାଉଣ୍ଟ୍ କେଉଁଠାରେ ଲଗ୍ ଇନ୍ ହୋଇଛି ଯାଞ୍ଚ କରନ୍ତୁ । ଯଦି ଆପଣ ଏକ ଅଜ୍ଞାତ ସ୍ଥାନକୁ ଲଗ୍ ଇନ୍ କରନ୍ତି, ଏଥିରୁ ଲଗ୍ ଆଉଟ୍ କରନ୍ତୁ ଏବଂ ଆପଣଙ୍କର ଫେସବୁକ୍ ଆକାଉଣ୍ଟ୍ ପାସୱାର୍ଡ ପରିବର୍ତ୍ତନ କରନ୍ତୁ । ୩. ଯଦି ଆପଣ ଏକ କାଫେ କିମ୍ବା ଅନ୍ୟ କୌଣସି କମ୍ପ୍ୟୁଟରରେ ଆପଣଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତି, ତେବେ ଆପଣଙ୍କର ପାସୱାର୍ଡ ସଞ୍ଚୟ କରନ୍ତୁ ନାହିଁ ଏବଂ କାମ ସାରିବା ପରେ ସଠିକ୍ ଉପାୟରେ ଲଗ୍ ଆଉଟ୍ କରନ୍ତୁ । ନକଲି ଫେସବୁକ୍ ପ୍ରୋଫାଇଲ୍ ସୃଷ୍ଟି ହୋଇଥିଲେ ସେହି ଫେସବୁକ୍ ପ୍ରୋଫାଇଲକୁ ରିପୋର୍ଟ କରିବାକୁ ଅନୁରୋଧ । ଏଣୁ ଏ କ୍ଷେତ୍ରରେ ମୋର ଫେସବୁକ ବନ୍ଧୁ ମାନଙ୍କୁ ଅନୁରୋଧ ସେମାନେ ଏଦିଗରେ ସତର୍କ ରହନ୍ତୁ । ସାଧାରଣତଃ ମୁଁ କାହାରିକୁ ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଏ ନାହିଁ । ଏଣୁ ମୋର ନାମରେ ଅଥବା ମୋ ପରି ଅନ୍ୟ କାହାରି ନାମରେ ଯଦି କାହା ନିକଟକୁ ଫ୍ରେଣ୍ଡ ରିକୁଏଷ୍ଟ ଯାଉଛି ତାହାକୁ ଗ୍ରହଣ କରନ୍ତୁ ନାହିଁ ଭଳକରି ଚେକିଙ୍ଗ କରି ରିପୋର୍ଟ କରନ୍ତୁ ଓ ବ୍ଳକ କରନ୍ତୁ । ଅନେକ ସମୟରେ ମୁଁ ଦେଖିଛି ଅନେକ ଛଦ୍ମନାମରେ ସୁନ୍ଦରୀ ଯୁବତୀଙ୍କ ଛବି ଥିବା ଯୁବତୀ ଆମର ବହୁ ଖ୍ୟାତନାମା ସାମ୍ବାଦିକ ଅଥବା ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଫ୍ରେଣ୍ଡଲିଷ୍ଟରେ ଅଉନ୍ତି ।ଏଣୁ ସେମାନଙ୍କର ସହ ବନ୍ଧୁତା ଥିବା କାରଣରୁ ମୋ ପରି ଅନେକେ ସେମାନଙ୍କ ଫ୍ରେଣ୍ଡ ରିକୁଏଷ୍ଟକୁ ଗ୍ରହଣ କରି ନେଇଥାନ୍ତି । ପରେ ଜଣାଯାଏ ଯେ ସମ୍ପୃକ୍ତ ଏକାଉଣ୍ଟଟି ନିକଟରେ କ୍ରିଏଟ ହୋଇଛି ଏବଂ ଏହା ଏକ ଫେକ ଆଇଡ଼ି । ଏଭଳି କୌଣସି ଅଜଣା ସୁନ୍ଦରୀ ଯୁବତୀଙ୍କ ଫେସବୁକ ଫ୍ରେଣ୍ଡସିପ ଏସେପ୍ଟ କରିବା ଅର୍ଥ ତାହା ପରୋକ୍ଷରେ ଆମ ସାମାଜିକ ଦୁର୍ବଳତାର ପରିପ୍ରକାଶକରୁଛି ଏବଂ ଯାହା ଆଗାମୀ ଦିନରେ ସାଇବର କ୍ରାଇମ ପାଇଁ ପ୍ରଥମ ଦୁର୍ବଳ ଦ୍ୱାର ଉନ୍ମୁକ୍ତ କରିଥାଏ । ଏଣୁ ଫେସବୁକ ଫ୍ରେଣ୍ଡ ମାନଙ୍କୁ ମୋର ଅନୁରୋଧ ଆପଣମାନେ ନିୟମିତ ରୂପେ ନିଜର ଫ୍ରେଣ୍ଡସିପ ପରୀକ୍ଷା କରନ୍ତୁ ଓ ଆବଶ୍ୟକ ସ୍ଥଳରେ ଡ଼ିଲିଟ କରନ୍ତୁ । ମନେ ରଖନ୍ତୁ ଫେସବୁକରେ ଏକ ରିପୋଟିଙ୍ଗ ଫିଚର ଅଛି । ଆପଣମାନେ ଅବାଞ୍ôଛତ ଛବି, ଅବାଞ୍ଛିତ ପୋଷ୍ଟ ଅଥବା ବ୍ୟକ୍ତିଙ୍କ ସମ୍ପର୍କରେ ରିପୋର୍ଟ କରି ପାରିବେ । ଯଦି ଏକାକାଳିନ ଅନେକ ଫେସବୁକ ବ୍ୟବହାରକାରୀ କାହାରିକୁ ବ୍ଳକ କରିବାକୁ ଚାହିଁଲେ ଫେସବୁକ ଆପେ ଆପେ ସେହି ଏକାଉଣ୍ଟକୁ ସାମୟିକ ଅଥବା ସ୍ଥାୟୀ ରୂପେ ବ୍ଳକ କରିଦେଇଥାଏ । ଫେସବୁକର ଏହି ଫିଚର ବ୍ୟବହାର କରିବାକୁ ଅନୁରୋଧ । ସର୍ବଦା ସାମୁହିକ ହିତ ଓ ଭାବର ଆଦାନ ପ୍ରଦାନ ପାଇଁ ସାମାଜିକ ଗଣମାଧ୍ୟମର ବ୍ୟବହାର ଯୁକ୍ତିଯୁକ୍ତ । ଘୃଣା ,ବିଦ୍ୱେଶ ପାଇଁ ଏହାର ବିନିଯୋଗ ମାରତ୍ମକ । ପରିଶେଷରେ ପିଲାଦିନର କଥାଟିଏ ମନେପଡ଼ିଲା । ବରଗଡ଼ର ସ୍ୱର୍ଗତ ଯଦୁ ପ୍ରଧାନଙ୍କ ପ୍ରଧାନ ମୋଟର ଟ୍ରାନ୍ସପୋର୍ଟ ହେଉ କି ସ୍ୱର୍ଗତ ଦୟାଲାଲ ଯୋଷୀଙ୍କ କଛି ମୋଟର ଟ୍ରାନ୍ସପୋର୍ଟ /ଅଶୋକ ମୋଟର ଟ୍ରାନ୍ସପୋର୍ଟ ସେମାନେ ତାଙ୍କ ବସରେ ଯାତ୍ରୀ ମାନଙ୍କୁ ଯେଉଁ ଛପା ଟିକଟ ଦେଉଥିଲେ ତହିଁର ଶେଷ ଧାଡ଼ିରେ ବୈଧାନିକ ସତର୍କତାଟିଏ ଲେଖା ଯାଉଥିଲା ‘ ଦୈବି ଦୁର୍ଘଟଣା ପାଇଁ କମ୍ପାନୀ ଦାୟୀ ନୁହେଁ’ । ଅର୍ଥାତ ବାଟରେ ଗାଡ଼ି ଖରାପ ହେଷଳ ପଇସା ଫେରସ୍ତ ଦ୍ରିାଯିବ ନାହିଁ କିମ୍ବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ନେବା ପାଇଁ ଗାଡ଼ି ମାଳିକ ବାଧ୍ୟ ନୁହନ୍ତି । ଠିକ ସେହିପରି ମୋର ଅନୁରୋଧ ସୋସିଆଲ ମିଡ଼ିଆର ପୋଷ୍ଟିଙ୍ଗ ଦେଖି କାହାରିକୁ ଟଙ୍କା ଦିଅନ୍ତୁ ନାହିଁ । ଉତ୍ସାହିତ ହେଇ ଅଥବା ଭାବ ପ୍ରବଣ ହୋଇ ଫଟୋରେ ଲାଇକ ମଧ୍ୟ କରନ୍ତୁ ନାହିଁ । ଲାଇକ କରିବା ଅର୍ଥ ଆମେ ସମ୍ପୃକ୍ତ ଚିନ୍ତାଧାରାକୁ ଅନୁମୋଦନ କରୁଛୁଁ । ଭଦ୍ରଖ ସାଂପ୍ରଦାୟିକ ଦଙ୍ଗା ସମୟରେ ଏଭଳି ସୋସିଆଲ ମିଡ଼ିଆରେ ଲାଇକ କରିଥିବାରୁ ଜଣକୁ ଅନେକ ମାସ ପର୍ଯ୍ୟନ୍ତ ଜେଳରେ ମଧ୍ୟ ରହିôାକୁ ପଡ଼ିଥିଲା । ଆଉ ସୋସିଏଲ ମିଡ଼ିଆ ମେସେଞ୍ଜରରେ ଆର୍ଥିକ ସହାୟତା ପାଇଁ ଆସୁଥିବା ମେସେଜ ଦେଖି କାହାରିକୁ ପଇସା ପଠାନ୍ତୁ ନାହିଁ । ବିଶେଷ କରି ଭିକମଗା ସାମ୍ବାଦିକ ମାନଙ୍କୁ ତ ଆଦୌ ନୁହେଁ । ଆଉ ଆମର ବାରଣ ସତ୍ୱେ ଯଦି କେହି ଦେଉଛି ସେଥି ପାଇଁ ଆମେ ଦାୟୀ ରହିବୁ ନାହିଁ । ଏ ପ୍ରକାର କୌଣସି ଲେଣ ଦେଣ ପାଇଁ ଆମେ ଦାୟୀ ରହିବୁ ନାହିଁ ।

ସୁରେନ୍ଦ୍ର ହୋତା, ସାମ୍ବାଦିକ ବରଗଡ଼

୨୬ ଜାନୁୟାରୀ ୨୦୨୨,ଜନରାଜ୍ୟ ଦିବସ

ସମ୍ପର୍କ ୯୪୩୭୧୧୦୨୫୦

Leave a Reply

Your email address will not be published.