SAVE ‘ଟଣ୍ଢେଇ’! ଟଣ୍ଢେଇ ମାନଙ୍କ ସୁରକ୍ଷା ଆବଶ୍ୟକ

ମୁଁ ଯେତେବେଲେ ‘ସେଭ ଟଣ୍ଢେଇ’ ବା ଟଣ୍ଢେଇ ମାନଙ୍କ ସୁରକ୍ଷା କଥା କହୁଛି ଅନେକେ ଆଶ୍ଚର୍ଯ୍ୟ ହେଉଥିବେ । ଏପରିକି ମୋର ମାନସିକ ବିକୃତି ବା ମତ ଭ୍ରମ ହୋଇଥିବା ବି ଚିନ୍ତା କରି ପାରନ୍ତି । କାରଣ ଟଣ୍ଢେଇ ଶବ୍ଦ ସହ ଆମ ଶିକ୍ଷିତ ସମାଜର ଘୃଣା ଜଡ଼ିତ । କାରଣ ମନେ କରାଯାଏ ଯେ ସମାଜର କିଛି ନିମ୍ନ ବର୍ଗର ମହିଳା ଭୌତିକ ସୁଖ ସମୃଦ୍ଧିର କାମନା କରି ତନ୍ତ୍ରବିଦ୍ୟା ଶିକ୍ଷା ମାଧ୍ୟମରେ ଟଣ୍ଢେଇ ପାଲଟି ଯାଇଥାନ୍ତି । ଏମାନେ ରାତ୍ରୀରେ ନିରୋଳରେ ପୋଖରୀ ହିଡ଼କୁ ଯାଇ ଓଲଟିଆ ‘ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି’ ନିଜ ଚଣ୍ଡ (ଲିପ)ରେ ତୈଳଦୀପ ପ୍ରଜ୍ୱଳନ କରି ସାଧାନା କରନ୍ତି । ସେହି ତାନ୍ତ୍ରିକ ସିଦ୍ଧି ଉପରାନ୍ତେ ସେମାନେ ବହୁ ଅସାଧ୍ୟ ସାଧନା କରିବାରେ ସାମର୍ଥ୍ୟ ରଖିଥାନ୍ତି । ଏଭଳି ମହିଳା ମାନଙ୍କୁ ସମାଜ ‘ଟଣ୍ଢେଇ’ ଆଖ୍ୟା ଦିଆଯାଇଥାଏ । ଆଜିକାଲିକାର ଡ଼କ୍ଟରେଟ ପରି ହୁଏତ ଏହା ଏକ ସାମାଜିକ ଉପାଧି । ଯେଉଁମାନେ ଏକ ସ୍ୱତନ୍ତ୍ର ଜ୍ଞାନ ବିଜ୍ଞାନର ଅଧିକାରୀ । ତେବେ ସମାଜ ସମାନଙ୍କୁ ଭୟ ଓ ଘୃଣା କରିଥାଏ । କାରଣ ଏମାନେ ମଣିଷ ରକ୍ତ ଶୋଷଣ କରି ‘ଚକୁଳି’ ପିଠା କରି ଖାଇବା ,ନିଶାର୍ଦ୍ଧରେ ପୋଖରି ହୁଡ଼ାରେ ‘ଶୁଷ୍କ ବିଷ୍ଠା (ଶୁକୁଟି) ଭକ୍ଷଣ କରିବା ଆଦି କାର୍ଯ୍ୟ କରିଥାନ୍ତି ।ତେବେ ଏମାନେ ବଶିକରଣ ଓ ମାରଣ ବିଦ୍ୟାରେ ଧୁରନ୍ଧର ବୋଲି କୁହାଯାଇଥାଏ । ଏପରିକି ଜୀବନ୍ତ ଗଛକୁ ମନ୍ତ୍ର ଶକ୍ତି ମାଧ୍ୟମରେ ଶୁଖାଇ ଦେବା, ଶୁଖିଲା ଗଛକୁ ପୁଣି ଜୀବନ୍ତ ସ୍ୱରୂପ ଦେବା ଏମାନଙ୍କର ତାନ୍ତ୍ରିକ ପ୍ରୟୋଗର ନମୂନା ବୋଲି କୁହାଯାଏ । ତେବେ କେବଳ ପଶ୍ଚିମ ଓଡ଼ିଶାରେ ଟଣ୍ଢେଇ ମାନେ ଏଭଳି କରିପାରନ୍ତି ତାହା ନୁହେଁ ସମଗ୍ର ଦକ୍ଷିଣ ଭାରତରେ ମଧ୍ୟ ଏକଦା ଏଭଳି ତାନ୍ତ୍ରିକ ପ୍ରୟୋଗ କରାଯାଉଥିବା ଜଣାପଡ଼ିଛି । ତେବେ ଏଭଳି ତାନ୍ତ୍ରିକ ପ୍ରୟୋଗ ନକାରାତ୍ମକ ଉର୍ଜା ଦ୍ୱାରା କରାଯାଉଥିବାରୁ ଯେତେବେଳେ କୌଣସି କନˆୁ ମନ୍ଦିରରେ ବ୍ୟବହାର କରାଯାଏ କିମ୍ବା ସେଥିରେ ଦେବତାଙ୍କ ମୂର୍ତି ନିର୍ମାଣ କରାଯାଏ ଦକ୍ଷିଣ ଭାରତର କୌଳିକ ବଢ଼େଇ ମାନେ ମୂର୍ତି ନିର୍ମାଣ ପାଇଁ ବ୍ୟବହୃତ ହେବାକୁ ଥିବା ଗଛକୁ ଛୁଇଁ ତନ୍ମଧ୍ୟରେ ଅର୍ନ୍ତନିହିତ ନକାରତ୍ମକ ଅଥବା ସକରାତ୍ମକ ଶକ୍ତିର ଅନୁଭବ କରିବା ପରେ ଯାଇ ସେହି କାଠକୁ ବ୍ୟବହାର କରିଥାନ୍ତି ।ଏଣୁ ଏଭଳି ତନ୍ତ୍ର ବିଦ୍ୟାର ପ୍ରଚଳନ କେବଳ ପଶ୍ଚିମ ଓଡ଼ିଶା କାହିଁକି ସମଗ୍ର ଭାରତ ବର୍ଷରେ ବିଭିନ୍ନ ସ୍ୱରୂପରେ ରହିଛି । ମୁଁ ପିଲାଟି ଦିନରୁ ‘ଟଣ୍ଢେଇ’ ଶବ୍ଦ ସହ ପରିଚିତ ଅଛି । ମୋର ବାଲ୍ୟକାଳ ଅଧୁନା ବରଗଡ଼ ଜିଲ୍ଲାର ସରସରାରେ କଟିଛି ।ସେ ସମୟରେ ମୋତେ କୁହାଯାଉଥିଲା ଅମୁକ ଅମୁକ ଟଣ୍ଢେଇ ବିଦ୍ୟାରେ ପାରଙ୍ଗମ । ସେମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଉଥିଲା । ଏପରି କି ଓଡ଼ିଶାର ପ୍ରଖ୍ୟାତ କବି ଖଗେଶ୍ୱର ସେଠ ମୂଳତଃ ସରସରାରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଆମେ ତାଙ୍କ ଘର ନିକଟରେ ରହୁଥିଲୁଁ । ଖଗେଶ୍ୱର ସେଠ ତାଙ୍କ ‘ପଏଛା ସତୀ’ କାବ୍ୟ ପାଇଁ ସର୍ବତ୍ର ପରିଚିତ । ହେଲେ ଖୁବ କ୍ୱଚିତ ଲୋକ ଜାଣନ୍ତି ଯେ ତାଙ୍କ ରଚିତ ପଏଚ୍ଛା ସତୀର କାବ୍ୟିକ ନାୟିକା ବାସ୍ତବରେ ଜଣେ ଅନନ୍ୟ ସୁନ୍ଦରୀ ବିଧବା ମହିଳା । ତାଙ୍କର ନାଁ ଥିଲା ‘କଇଁପୁଲ ମେହେର’ । ତାଙ୍କ ପାଖକୁ ଲଗି ଥିଲା ଗାଁ ଗଉନ୍ତିଆଙ୍କ ଘର । ତାର ପାଖରେ ଏକ ଝୋପଡ଼ି ପରି କୁଡ଼ିଆରେ ଆଉ ଏକ ନିସନ୍ତାନ ବ୍ୟାଧ ଦମ୍ପତି ରହୁଥିଲେ । ଯିଏ ବିଭିନ୍ନ ପ୍ରକାର ପକ୍ଷୀ ଶିକାର କରି ନିଜର ଜିବୀକା ନିର୍ବାହ କରୁଥିଲେ । ତାଙ୍କ ଘର ସମ୍ମୁଖରେ ରାସ୍ତାର ଅପର ପାଶ୍ୱର୍ରେ କବି ଖଗେଶ୍ୱର ସେଠଙ୍କ ପୈତୃକ ଘର ଥିଲା । ବ୍ୟାଧ ଦମ୍ପତିଙ୍କ ଭୂସମ୍ପତି ଉପରେ ଗୌନ୍ତିଆ ମାନଙ୍କ ନଜର ଥିଲା । ଏଣୁ ତାଙ୍କ ଘରକୁ ପୋଡ଼ି ଦିଆଯାଇ ଜମି ଅକ୍ତିଆର କରି ନିଆଯାଇଥିଲା । ବାଲ୍ୟକାଳରେ ଏ ଘରପୋଡ଼ି ଦୃଶ୍ୟ ମୁଁ ନିଜେ ଦେଖିଛି । ବ୍ୟାଧଦମ୍ପତିଙ୍କ ଦୁର୍ଦଶା ମଧ୍ୟ ଦେଖିଛି । କବି ଖଗେଶ୍ୱର ସେଠଙ୍କ ସରସରା କାବ୍ୟ ହେଉଛି ପରଛାସତୀ କାବ୍ୟରେ ଏସବୁ ବାସ୍ତବ ଘଟଣାର ନିଛକ କାବ୍ୟିକ ବର୍ଣ୍ଣନା ଥିବାରୁ ତାହା ଅଧିକ ଗ୍ରହଣୀୟ ହୋଇଛି । ଯେହେତୁ ଖଗେଶ୍ୱର ସେଠଙ୍କ ଏହି କାବ୍ୟ ଗୁଡ଼ିକ ସତ୍ୟର ପରିପ୍ରକାଶ କରୁଛି ଆମେ ଏହାକୁ ସାମ୍ବାଦିକତାର ଏକ ସୃଜନଶୀଳ ଉପସ୍ଥାପନ ରୂପେ ଗ୍ରହଣ କରି ପାରିବା ।ଖଗେଶ୍ୱର ସେଠଙ୍କ ‘ପଏଛାସତୀ’ କାବ୍ୟର ନାୟିକା ‘କଇଁଫୁଲ’କୁ ମଧ୍ୟ ଲୋକେ ‘ଟଣ୍ଢେଇ’ ଶ୍ରେଣୀର ଅର୍ନ୍ତଭୁକ୍ତ କରୁଥିଲେ । ତାଙ୍କର ଏକ କିରାନା ଦୋକାନ ଥିଲା । ସେ ବିଭିନ୍ନ ରୋଗ ବଇରାଗର ‘ଫୁକା ଝରା’ ଚିକିତ୍ସା ବି କରୁଥିଲେ । ସୁନ୍ଦର କଣ୍ଠରେ ‘କୃଷ୍ଣଗୁରୁ ଭଜନ’ ଗାଉଥିଲେ । ବାସ୍ତବରେ ସେଥିଲେ ସର୍ବଗୁଣ ସମ୍ପନ୍ନା ଜଣେ ନାରୀ । ଆଜି ସକାଲୁ ସକାଳୁ ଅମ୍ବାଭନା କପାସିରାର ବୈଷ୍ଣବ ଭୋଇଙ୍କ ଏକ ଫେସବୁକ ପୋଷ୍ଟିଙ୍ଗ ଦେଖୁଥିଲି । ସେ ସେଥିରେ ଗାଁ ପୋଖରୀ ତୁଠ ଏବଂ ସାତ ବହନୀ ଦେବୀ ମାନଙ୍କ କଥା ଉଲ୍ଲେଖ କରିଛନ୍ତି । ତାଙ୍କ ବର୍ଣ୍ଣିତ ସାତ ଭଉଣୀ ହେଲା ୧-ଚକିଟି ଚମାରେନ,୨- ପତରପିନ୍ଧୀ ସଉରେନ,୩-ଲୁହୁକୁଟି ଲୁହୁରେନ,୪-ଜ୍ଞାନଦେଇ ମାଲେନ, ୫- ନିତେଇ ଧୋବେନ, ୬-ଗାଙ୍ଗି ଗଉରେନ ଏବଂ ୭-ସୁକୁଟି ତେଲେନ । ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡା ନିକଟସ୍ଥ ପଣ୍ଡରିପାନି ଗାଁରେ ସାତ ଶାଖା ବିଶିଷ୍ଟ ଏକ ବିରାଟ ମହୁଲ ଗଛ ରହିଛି । ସାତ ଶାଖାର ସନ୍ଧି ମଧ୍ୟସ୍ଥଳରେ ଏକ ଗାତ ରହିଛି । ଯେଉଁଥିରେ ବର୍ଷସାରା ପାଣି ଭର୍ତିି ହୋଇ ରହିଥାଏ ।ଏଠାରେ ପ୍ରତିବର୍ଷ ସାତ ଭଉଣୀ ଯାତ୍ରା ହୋଇଥାଏ ।ଏହି ସମୟରେ ବରୁଆ ପୁଜାର୍ଚ୍ଚନା କରି ଗଛର ପାଣି ଭର୍ତି କୋରଡ଼ରେ ପଶି ବୁଡ଼ିଯାଏ । ସେ ଉପରକୁ ବାହାର କଳା ସମୟରେ ବିଭିନ୍ନ ପ୍ରକାଶ ଫଳମୂଳ ଏପରିକି ଅନେକ ସମୟରେ ପାଣିଭିତରୁ ଜଳନ୍ତା ଦୀପ ମଧ୍ୟ ଧରି ଉପରକୁ ଉଠିଥାଏ । ଏହାକୁ ସେଠାରେ ପୂଜା ପାଉଥିବା ଅଲୌକିକ ଶକ୍ତିପ୍ରଦାନକାରୀ ସାତ ଭଉଣୀ ପ୍ରଦାନ କରିଥାନ୍ତି ବୋଲି କୁହାଯାଏ । ତେବେ ନାମକରଣ ଦୃଷ୍ଟିରୁ ବୈଷ୍ଣବ ଭୋଇଙ୍କ ସାତ ବହନୀର ନାମକରଣ ଠାରୁ ପଣ୍ଡରୀପାଣି ସାତ ବହନୀଙ୍କ ନାମକରଣ ସାମାନ୍ୟ ପୃଥକ । ପଣ୍ଡରିପାନିର ସାତ ବହନୀ ହେଲେ ୧- କରମସାନି,୨- ଉର୍ମିଳା,୩-ବିମଳା, ୪-ଦୁର୍ମିଳା, ୫-ଚଞ୍ଚଳା, ୬-ଶୁଭ୍ରକେଶୀ ଓ ୭- ରହେଲା । ନାମରେ ଭିନ୍ନତା ସତ୍ୱେ ଉଭୟଙ୍କ କାର୍ଯ୍ୟଶୈଳୀ ଓ ଉଦ୍ଦେଶ୍ୟରେ ସମାନତା ରହିଛି । ପଣ୍ଡରୀପାଣିର ଏହି ଅଲୌକିକ ବୃକ୍ଷ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଆମେ ଅଗ୍ରଗାମୀ ବାୟୋଡ଼ାଇଭରସିଟି ସେଲର କିଛି ସଦସ୍ୟ ବିଶିଷ୍ଟ ଉଦ୍ଭ୍‌ିଦ ବିଜ୍ଞାନୀ ତଥା ବାୟୋଡ଼ାଇଭରସିଟି ସେଲର ଅଧ୍ୟକ୍ଷ ନେତ୍ରବନ୍ଧୁ ପ୍ରଧାନଙ୍କ ନେତୃତ୍ୱରେ ଯାଇଥିଲୁଁ । ଆମ ଦଳରେ ଥିଲେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ଡ଼ାକ୍ତର ରାମକୃଷ୍ଣ ପୁରୋହିତ, ରସାୟନ ବିଦ ଡ଼କ୍ଟର ବେଣୁଧର ସାହୁ, ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ରବିନ୍ଦ୍ର ପଧାନ, ପ୍ଳାଣ୍ଟ ଟେକ୍ସେନୋମିଷ୍ଟ ପାରେଶ୍ୱର ସାହୁ,ଜୀବବିଜ୍ଞାନୀ ମହେଶ ମିଶ୍ର ,ପରିବେଶ ବିଦ ଜେଠୁ ଭୋଇ, ତ୍ରିନାଥ ପ୍ରସାଦ ତ୍ରିପାଠୀ ଇତ୍ୟିାଦି ସାମିଲ ଥିଲେ । ଏହି ଅବସରରେ ଗଛ କୋରଡ଼ରେ ଥିବା ପାଣିର ରାସାୟନିକ ପରୀକ୍ଷା କରାଯିବାରୁ ତାହାର ପିଏଚ ଭେଲ୍ୟୁ ୬.୭ ଅର୍ଥାତ ପାନୀୟ ଜଳ ସହ ସମାନ ରହିଥିଲା । ଏହି ପାଣିରେ ଜୀବନ ସୃଷ୍ଟିକାରୀ ଉପାଦାନ ରହିଥିବାରୁ ମଶା ମଧ୍ୟ ବଂଶବିସ୍ତାର କରୁଥିବା ଦେଖାଯାଇଥିଲା । ପାଖରେ ପଡ଼ିଥିବା ଏକ ବାଉଁଶ ବାଡ଼ି ପୁରାଇ ଗଛ କୋରଡ଼ର ପାଣିର ଗଭୀରତା ମାପିବାର ଚେଷ୍ଟା କରିଥିଲୁଁ ଏହି ଗଛ କୋରଡ଼ରେ ସାତଫୁଟରୁ ଅଧିକ ପାଣି ଥିବା ଜଣାପଡ଼ିଥିଲା । ତେବେ ଏହାର ବାସ୍ତବ ଗଭୀରତା ଆମେ ମାପି ପାରି ନଥିଲୁଁ । ବୈଜ୍ଞ୍ୟାନିକ ବିଧିରେ ସାତ ଭଉଣୀଙ୍କ ଆସ୍ଥାନ ଆମର ନଜରକୁ ଆସି ନଥିଲା । ମାତ୍ର ଶହ ଶହ ବର୍ଷ ଧରି ଏହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି । ପଶ୍ଚିମ ଓଡ଼ିଶାର ପୁର ପଲ୍ଲୀରେ ଏ ପଅକାର ‘ସାତବହେନ’ ବା ସାତ ଭଉଣୀ କଥା ପ୍ରଚଳିତ ଅଛି ।କଥେନ ଓ ଲୋକଗୀତ ଲୋକ ସାହିତ୍ୟରେ ବହୁ ପ୍ରସଙ୍ଗ ଉଲ୍ଲେଖ ରହିଛି । ଏମାନେ ସଭିଏଁ ତନ୍ତ୍ରସିଦ୍ଧ । ବୌଦ୍ଧ ତନ୍ତ୍ରରେ ନାରୀ ଶକ୍ତିକୁ ତନ୍ତ୍ରଶକ୍ତିର ମାର୍ଗ ରୂପେ ଅବିହିତ କରାଯାଇଛି । ଯେହେତୁ ପଶ୍ଚିମ ଓଡ଼ିଶାରେ ତାନ୍ତ୍ରିକ ବୌଦ୍ଧଧର୍ମର ବହୁଳ ପ୍ରଚଳନ ଥିଲା ହୁଏତ ଏମାନେ ବୌଦ୍ଧଧର୍ମ ବର୍ଣ୍ଣିତ ଡ଼ାକିନି ହୋଇ ପାରନ୍ତି । କାରଣ ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ଼ ଅଞ୍ଚଳରେ ବହୁଳ ପ୍ରଚଳିତ ମନ୍ତ୍ର ଗୁଡ଼ିକରେ ମଧ୍ୟ ‘ଡ଼ାକିନୀ’ ଶବ୍ଦର ଉଲ୍ଲେଖ ରହିଛି ଯଥା ‘ଡ଼ହ ଡ଼ହ ଡ଼ାକିନୀ’ । ଆମେ ଏମାନଙ୍କୁ ସାତ ଭଉଣୀ କହୁଛୁଁ । ହେଲେ ଆପଣ ଊଲ୍ଲେଖ କରିଥିବା ଏହି ସାତ ଭଉଣୀ ବାସ୍ତବରେ ଭିନ୍ନ ଭିନ୍ନ ଜାତିର ଅଟନ୍ତି । ଏଣୁ ଏମାନେ ଏକ ପରିବାରର ହେଲେ କେମେତି? ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମ୍ଭବତଃ ସେ ସମୟରେ ଜାତି ପରିବର୍ତେ ହୁଏତ ତାହା କର୍ମକୁ ସୂଚାଇ ଥାଇ ପାରେ । ପଶ୍ଚିମ ଓଡ଼ିଶାରେ ‘ଟଣ୍ଡେଇ’ଏକ ବହୁଳ ପରିଚିତ ଶବ୍ଦ । ଏମାନେ ମଧ୍ୟ ତନ୍ତ୍ର ବିଦ୍ୟାରେ ଧୁରନ୍ଧର ।ତାନ୍ତ୍ରିକ ପ୍ରୟୋଗ ମାଧ୍ୟମରେ ସବୁଜ ଗଛକୁ ଶୁଖାଇ ଦେବା ,ବଶୀକରଣ ସହାୟତାରେ ଅନ୍ୟକୁ ବସ କରି ନିଜର ସ୍ୱାର୍ଥ୍ୟସିଦ୍ଧି ପାଇଁ ବ୍ୟବହାର କରିବା ପରି ଅସାଧ୍ୟ କାର୍ଯ୍ୟ କରନ୍ତି । ଆପଣଙ୍କ ଲିଖିତ ‘ଶୁକୁଟି ତେଲୁଣି’ ଶବ୍ଦଟି ମୋତେ ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଏମାନେ ଶୁକୁଟି (ଶୁଷ୍କ ବିଷ୍ଠା) ଭକ୍ଷଣ କରୁଥିଲେ କି? ଅଘୋରୀ ମାନଙ୍କ ଅଘୋର ତନ୍ତ୍ରରେ ସବୁକିଛି ଖାଦ୍ୟ । ଯାହା ଆମ ପାଇଁ ଅଖାଦ୍ୟ ତାହା ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ । ଅଘୋର ତନ୍ତ୍ରରେ ଏହାର ବର୍ଣ୍ଣନା ରହିଛି । ଏଣୁ ଅଘୋରୀ ମାନେ ମଲା ମଣିଷର ଦରପୋଡ଼ା ମାଂସ ମଧ୍ୟ ଭକ୍ଷଣ କରନ୍ତି । ଏଣୁ ପ୍ରଶ୍ନ ଉଠୁଛି ଆମେ ଯଦି ସାତ ଭଉଣୀଙ୍କୁ ବୌଦ୍ଧ ତନ୍ତ୍ରରୁ ଉତ୍ପନ୍ନ ବୋଲି ବିଚାର କରିବା ,ତାହେଲେ ଏହା ଅଘୋରତନ୍ତ୍ର ଦ୍ୱାରା ପ୍ରଭାବିତ ବୋଲି କୁହାଯାଇ ପାରିବ କି । କାରଣ ଗୋରଖନାଥଙ୍କ ଉଡ୍ଡିୟନ ତନ୍ତ୍ର ବିଦ୍ୟା ପରି ଆମ ‘ସମ୍ମଳକ ରାଜା ଇନ୍ଦ୍ରଭୂତି’ ଯାହାଙ୍କୁ ତାନ୍ତ୍ରିକ ବୌଦ୍ଧଧର୍ମର ଅନ୍ୟତମ ପ୍ରବର୍ତକ କୁହାଯାଉଛି । ତାଙ୍କ ପୁତ୍ର ପଦ୍ମସମ୍ଭବ ଯିଏ ପରବର୍ତି ସମୟରେ ତିବ୍ଦତରେ ଲାମା ବୌଦ୍ଧଧର୍ମର ପ୍ରତିଷ୍ଠା କରିଥିଲେ ସେ ଉ୍‌ଡ୍ଡିୟନ ତନ୍ତ୍ରରେ ସିଦ୍ଧହସ୍ତ ଥିଲେ । ଏଦୃଷ୍ଟିରୁ ବିଚାର କରାଗଲେ ପଶ୍ଚିମ ଓଡ଼ିଶାର ‘ଟଣ୍ଡେଇ ପରମ୍ପରା’କୁ ଘୃଣା କରିବା ପରିବର୍ତେ ସେ ସମ୍ଭର୍କରେ ଗବେଷଣା କରିବାର ଆବଶ୍ୟକତା ରହିଛି । ଟଣ୍ଢେଇ ମାନଙ୍କ ଦ୍ୱାରା ଏକ ପୁଆଲ କାଠି ସହାୟତାରେ ମଣିଷ ରକ୍ତ ଟାଣିବା ,ସେମାନଙ୍କ ରକ୍ତ ଟାଣିବା ସମୟରେ କୌଣସି ଯନ୍ତ୍ରଣା ନହେବା କୁହାଯାଏ । ଅନେକ ସମୟରେ ମଷା ମାନେ ରକ୍ତ ଶୋଷିବା ସମୟରେ ଅନ୍ୟର ଶରୀରରେ ଏକ ରସାୟନ ଛାଡ଼ିଥାନ୍ତି ଯଦ୍ୱାରା ତାହାକୁ କଷ୍ଟ ଜଣାପଡ଼େ ନାହିଁ । ଏହି ବୈଷୟିକ ଜ୍ଞାନ କୌଶଳ ତ ବାସ୍ତବରେ ତନ୍ତ୍ର ବା ମେକାନିଜମ । ଟଣ୍ଢେଇ ମାନଙ୍କ ରକ୍ତ ଚକୁଲି ଖିଆ ପ୍ରସଙ୍ଗ କିଛି ଅବାସ୍ତବ ନୁହେଁ । ଏବେ ବି ବରଗଡ଼ ଜିଲ୍ଲାର ଅନେକ ଢ଼ାବାରେ କଟାଯାଉଥିବା ଛେଲିର ରକ୍ତ ଭଜା ମିଲୁଛି । ଯାହାକୁ ‘ରକ୍ତେଇ’ କୁହାଯାଉଛି । ଉଭୟ ପୁରୁଷ ଓ ମହିଳା ତାହାକୁ ଆଗ୍ରହର ସହ ଖାଉଛନ୍ତି । ଯେଉଁ ମହିଳା ଥରେ ଏହି ‘ରକ୍ତେଇ’ ଚାଖିଛି ସେ ବାରମ୍ବାର ଖାଇବାର ଇଚ୍ଛା ପ୍ରକଟ କରୁଛି । ସମ୍ଭବତଃ ଏହା ଶରୀର ଆବଶ୍ୟକ କରୁଥିବା ଲୌହ ବା ଆଇରନ ଆବଶ୍ୟକତା ମେଣ୍ଟାଇବାରେ ସହାୟକ ହୋଇପାରେ । ଟଣ୍ଢେଇ ବା ମହିଳା ମାନଙ୍କ ରକ୍ତ ଶୋଷଣ ସମ୍ପର୍କରେ କିଛି ପ୍ରାମାଣିକ ତଥ୍ୟ ରହିଛି କି? ଏହାର ଉତରରେ ମୁଁ କହିବି ହଁ । କାରଣ ପ୍ରାୟ ତିନି ଦଶନ୍ଧୀ ତଲେ ଗୋଡ଼ଭଗା ଅଞ୍ଚଳର ଜଣେ ମହିଳା ତାର ନିଜ ଶିଶୁପୁତ୍ରର ରକ୍ତ ଶୋଷୁଥିବା କୋର୍ଟରେ ସ୍ୱୀକାର କରିଥିଲା । ତାର ଶିଶୁ ପୁତ୍ରର ଅସ୍ୱାଭିବକ ମୃତ୍ୟୁ ପରେ ଏହି ମାମଲାଟି ଥାନାକୁ ଆସିଥିଲା ।’ଜୀବନ୍ତ ଡ଼ାହାଣୀ ଶୀର୍ଷକ’ରେ ମୁଁ ଏହି ଘଟଣାର ରିପୋଟିଙ୍ଗ ମଧ୍ୟ କରିଥିଲି । କୋର୍ଟରେ ମହିଳା ଜଣକ ଶିଶୁର ରକ୍ତ ଶୋଷୁଥିବା ସ୍ୱୀକାର କରିବା ପରେ ତାଙ୍କୁ ସମ୍ବଲପୁର ଜେଲରେ ରଖାଯାଇଥିଲା । ମୋର ସ୍ପଷ୍ଟ ମନେହେଉ ନଥିଲେ ମଧ୍ୟ ମହିଳା ଜଣକ ନାଁ ସମ୍ଭବତଃ ସୁମିତ୍ରା ଥିଲା । ସତରେ ହେଉ ବି ମିଛରେ ହେଉ ସମାଜରେ ‘ଟଣ୍ଢେଇ’ ସଂସ୍କୃତିର ପ୍ରଚଳନ ରହିଛି । ଏହା ଏକ ତନ୍ତ୍ର ବିଦ୍ୟା ବା ‘ପ୍ରାଚୀନ ଟେକନୋଲୋଜି’ ସମ୍ପର୍କିତ ବିଷୟ । ଆମେ ସ୍ଥୁଳ ବିଚାରରେ ଏହି ପ୍ରାଚୀନ ଜ୍ଞାନ ବା ବିଜ୍ଞାନକୁ ଅସ୍ୱୀକାର ନକରି ତା ଭିତରେ ରହିଥିବା ଗୁଢ଼ ରହସ୍ୟକୁ ଉନ୍ମୋଚନ କରିବାର ଆବଶ୍ୟକତା ରହିଛି ।ଏଣୁ ଏହି ରହସ୍ୟ ଉନ୍ମୋଚନ ପାଇଁ ବିଶ୍ୱାସ ହେଉ କି ଅନ୍ଧବିଶ୍ୱାସ ଆଗାମୀ ଦିନରେ ଏହାର ବୈଜ୍ଞାନିକ ଓ ତାତ୍ୱିକ ଅଧ୍ୟୟନ ପାଇଁ ଁ ‘ଟଣ୍ଢେଇ’ ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ଆବଶ୍ୟକ ।

ସୁରେନ୍ଦ୍ର ହୋତା, ସାମ୍ବାଦିକ ,ବରଗଡ଼

୬ ଜାନୁୟାରୀ ୨୦୨୨

ସମ୍ପର୍କ ୯୪୩୭୧୧୦୨୫୦

Leave a Reply

Your email address will not be published. Required fields are marked *