ତନ୍ତ୍ର ସାଧନାରେ ମନ୍ତ୍ରର ଭୂମିକା ଏବଂ ବୈଜ୍ଞାନିକ ଦୃଷ୍ଟିରେ ତାହାର ପ୍ରଭାବ

ସୁ ପ୍ରଭାତ ! ବାସ୍ତବରେ ତନ୍ତ୍ର ମନ୍ତ୍ରରେ କିଛି ଶକ୍ତି ଅଛି କି? ଅନେକଙ୍କ ପରି ମୋର ମଧ୍ୟ ଏ ସନ୍ଦେହ ରହିଛି । ଏ ପ୍ରସଙ୍ଗରେ ମୁଁ ମୋର ଅନୁଭୂତି ସେୟାର କରିବାକୁ ଚାହିଁବି । ମୋ ମାମୁଁ ଘରର ଅଜା ତାଙ୍କ ଜିବିତାବସ୍ଥାରେ ଜଣେ ଭଳ ତାନ୍ତ୍ରିକ ଥିଲେ । ଭାରତର ବିଭିନ୍ନ ସ୍ଥାନକୁ ଯାଇ ସେ ତନ୍ତ୍ରଶିକ୍ଷା କରିଥିଲେ । ତାଙ୍କ ନିକଟରେ ତନ୍ତ୍ର ସମ୍ବନ୍ଧୀୟ ହାତଲେଖା ବହୁ ପୋଥିଥିଲା । ତନ୍ତ୍ରମନ୍ତ୍ର ସମ୍ପର୍କରେ ମୋର ଆଗ୍ରହ ଦେଖି ସେ ସଦାସର୍ବଦା ମୋତେ ବାରଣ କରୁଥିଲେ ଏସବୁ ପୋଥି ନ ପଢ଼ିବା ପାଇଁ । ସେ କହୁଥିଲେ ତନ୍ତ୍ରବିଦ୍ୟା ଅତି ଶକ୍ତିଶାଲୀ ମାତ୍ର ଏହା ଅନ୍ୟର ହାନୀ କରିବା ଅପେକ୍ଷା ନିଜର ହାନି ଅଧିକ କରିଥାଏ ।ସେହିପରି କୌଣସି ସିଦ୍ଧ ତାନ୍ତ୍ରିକଙ୍କ ଘରେ ପୁଅ ହୋଇ ନଥାଏ ଏବଂ ଦେବୀ କୃପାରେ ତା ଘରେ କେବଳ ଝିଅ ହିଁ ହୋଇଥାନ୍ତି । ଏକଥା କେତେ ସତ ମୁଁ ଜାଣେନା , ହେଲେ ମୋର ମଧ୍ୟ ନିଜସ୍ୱ ମାମୁଁ ନାହାନ୍ତି ।ଏଭଲି ଅନେକ ତାନ୍ତ୍ରିକ ଓ ଚଣ୍ଡୀ ସାଧକଙ୍କୁ ମୁଁ ଜାଣେ ଯେଉଁମାନଙ୍କ କେବଳ ଝିଅ ଅଛନ୍ତି । ମୋର ବିଗତ ପୋଷ୍ଟିଙ୍ଗରେ ମୁଁ ଲେଖିଥିଲି ‘ଏହି ପୋଷ୍ଟ ଟି କେବଳ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ’ । ତେବେ ମୁଁ ଜାଣେ ଏହି ସତର୍କ ସୂଚନା ଯୋଗୁଁ ଅନେକ ନାବାଳକ କୌତୁହଳ ବସତଃ ଏହି ପୋଷ୍ଟିଙ୍ଗଟିକୁ ପଢ଼ିଛନ୍ତି । କାରଣ ଏହା ମଣିଷ ପ୍ରବୃତି , ଯାହା କରିବାକୁ ବାରଣ କରାଯାଇଥାଏ ଲୋକେ ତାହାକୁ ହିଁ ପ୍ରଥମେ ପରୀକ୍ଷା କରିଥାନ୍ତି । ଏହିଭଳି ମୁଁ ବି ଦିନେ ଅଜାଙ୍କ ଅନୁପସ୍ଥିତିରେ ତାଙ୍କ ପୁରୁଣା ବାଉଁଶ ଝାମ୍ପିରେ ରଖାଯାଇଥିବା ତନ୍ତ୍ରମନ୍ତ୍ର ଲେଖା ଖୋଜିଲି । ସେଥିରେ ବିଭିନ୍ନ ପ୍ରକାର ତାନ୍ତ୍ରିକ ସାଧାନର ବିଧିବିଧାନ ଲେଖା ଯାଇଥିଲା ।ସେ ସବୁ ମୋର ବୁଝିବାର ଶକ୍ତି ବାହାରେ ଥିଲା । ହଠାତ ଗୋଟିଏ ପୃଷ୍ଠାରେ ଲେଖାଯାଇଥିଲା ‘ନଖ ଦର୍ପଣ କରିବା ତନ୍ତ୍ର’ ।ସେଥିରେ ସିନ୍ଦୁର ଓ ଘିଅର ପ୍ରଲେପ ପ୍ରସ୍ତୁତ କରି ନିଦ୍ଦିଷ୍ଟ ରୂପେ ପର୍ଯ୍ୟାୟ କ୍ରମେ ଚାରୋଟି ମନ୍ତ୍ର ୨୧ ଥର ଲେଖାଏଁ ପଢ଼ିବା ପାଇଁ କୁହାଯାଇଥିଲା । ମନ୍ତ୍ରସିଦ୍ଧ କରିବା ପରେ ଏକ କଂସା କଳସରେ ଜଳ ଭର୍ତିକରି ସେଥିରେ ଅଭିମନ୍ତ୍ରିତ ସିନ୍ଦୁରର ଏକ ଆସ୍ତରଣ ସୃଷ୍ଟି କରିବା କିମ୍ବା ନଖରେ ଏକ ଗାଢ଼ ପ୍ରଲେପ ଲଗାଇବାକୁ କୁହାଯାଇଥିଲା । ଏହା ଉପରାନ୍ତେ କୌଣସି ଶିଶୁ ବା ନାବାଳକ ମାଧ୍ୟମରେ ଅଭିଷ୍ଟ ଜାଣିବାକୁ ଚାହିଁଲେ ତାକୁ ଚିତ୍ର ଆକାରରେ ତାହା ଦେଖାଯିବ ବୋଲି ଲେଖା ଯାଇଥିଲା । ଅଜାଙ୍କ ଅନୁପସ୍ଥିତିରେ ବର୍ଣ୍ଣିତ ପ୍ରକ୍ରିୟା ଅନୁଯାୟୀ ମୁଁ ପ୍ରସ୍ତୁତ କରିବା ପରେ ଆମ ଘରେ ରହୁଥିବା ଏକ ଚାରି ବର୍ଷର ଝିଅକୁ କହିଲି ‘ତୁ ଯାହା ଚାହିଁବୁ ଏଥିରେ ଦେଖି ପାରିବୁ’ ସେ ଏରୋପ୍ଳେନ ଦେଖିବାକୁ ଚାହିଁଲା ଏବଂ ସତକୁ ସତ ତାକୁ ତାହା ଦେଖାଗଲା । ମାତ୍ର ମୋତେ କିଛି ଦେଖା ଗଲା ନାହିଁ । ତାକୁ ମୁଁ ପଚାରିଲି ତୋତେ ଦେଖାଯାଉଥିବା ଏରୋପ୍ଳେନଟି ବ୍ଳେକ ଏଣ୍ଡ ହ୍ୱାଇଟ ଦେଖାଯାଉଛି ନାଁ ରଙ୍ଗୀନ? ତାର ଉତର ଥିଲା ରଙ୍ଗୀନ । କିଛି ସମୟ ମଧ୍ୟରେ ସାନ ଝିଅଟି ପାଣିଗଡ଼ୁ ଭିତରେ ଏରୋପ୍ଳେନ ଦେଖିଥିବା କଥା ଘରେ ପ୍ରଚାର କରିଦେଲା । ଏହା ସହିତ ଆମ ଘରେ ପ୍ରଚାରିତ ହୋଇଗଲା ଯେ ମୁଁ ନଖଦର୍ପଣ ଜାଣେ । କିଛି ଦିନ ପରେ ମୋର ପିଉସି ଆସି କହିଲେ ଯେ ତାଙ୍କ ରୂପା ପାଇଝଲ ହଜି ଯାଇଛି । ମାସାଧିକ କାଳ ହେଲା ପାଉ ନାହାନ୍ତି । ତୁ ତ ନଖ ଦର୍ପଣ ଜାଣିଛୁ ଦେଖ କେଉଁଠି ଅଛି ।ନିଜର ଅନିଚ୍ଛା ସତ୍ୱେ ମୁଁ କଲି । ଜଣେ ଛୋଟ ଛୁଆ ଗଡ଼ୁ ଭିତରେ ଦେଖିପାରିଲା ଯେ ହଜି ଯାଇଥିବା ରୂପା ପାଇଝଳଟି ତାଙ୍କ ଢ଼ବା ଘର ମଚାନ ଚାଉଲ ପୁରା ତଲେ ପଡ଼ିଛି । ସତକୁ ସତ ସେମାନେ ଯାଇ ପାଇଝଲଟି ସେଠାରୁ ଆଣିଥିଲେ ।ଏହା ସତ୍ୱେ ମୋର ବିଶ୍ୱାସ ହୋଇ ନଥିଲା । କାରଣ ଛୁଆଟି ଦେଖି ପାରୁଛି ମାତ୍ର ମୋତେ କାହିଁକି ଦେଖାଯାଉ ନାହିଁ ଏକଥା ମୁଁ ବୁଝି ପାରୁ ନଥିଲି । ଏହା ପରେ ଗାଁରେ ରାଷ୍ଟ୍ର ହୋଇଗଲା ଯେ ମୁଁ ନଖଦର୍ପଣ ଶିଖିଛି । ଲୋକେ ଛୋଟ ଛୋଟ କଥାରେ ନଖ ଦର୍ପଣ ପାଇଁ ମୋ ପାଖକୁ ଧାଇଁଲେ । ଏପରି କି ଗାଁରେ କାର ପୋଢ଼ ମହିଁଷି ସନ୍ଧ୍ୟାରେ ଘରକୁ ନ ଆସିଲେ ମୋ ପାଖକୁ ଧାଇଁଲେ । ତନ୍ତ୍ର ସମ୍ପର୍କରେ ମୋର ବିଶ୍ୱାସ ନଥିବା ସତ୍ୱେ ମୋତେ ଏସବୁ କରିବାକୁ ପଡ଼ୁଥିଲା ।ଏଣୁ ମୁଁ ମଧ୍ୟ ଏକ ପରୀକ୍ଷା କରିବାକୁ ଚାହିଁଲି । କ୍ରମାନ୍ୱୟରେ ଯେଉଁ ଚାରୋଟି ମନ୍ତ୍ର ପାଖ କରିବାକୁ କୁହାଯାଇଥିଲା ତହିଁରୁ ଗୋଟିଏ ମନ୍ତ୍ର ଛାଡ଼ିଦେଲି ତାସତ୍ୱେ ମଧ୍ୟ ତାହା ଶିଶୁ ମାନଙ୍କୁ ଦୃଶ୍ୟମାନ ହେଲା ।ଗୋଟିକ ପରେ ଗୋଟିଏ ମନ୍ତ୍ର ବାଦ ଦେବା ପରେ ମନ୍ତ୍ର ବଦଳରେ ମୁଁ ୨୧ ଥର ଖାଣ୍ଟି ସମ୍ବଲପୁରୀ ଅଶ୍ଲିଲ ଭାଷାରେ ଗାଲି ଗୁଲଜ କଲି ତା ସତ୍ୱେ ମଧ୍ୟ ଛୋଟ ଛୁଆମାନେ ପ୍ରତିଛବି ଦେଖିବାରେ ସକ୍ଷମ ହୋଇ ଥିଲେ । ସେହି ଦିନଠାରୁ ମୋର ନଖଦର୍ପଣ ଦେଖା ବନ୍ଦ ରହିଲା । ଏ ସମ୍ପର୍କରେ ମୁଁ ମୋର ଅଜାଙ୍କୁ ପ୍ରଶ୍ନ କରିଥିଲି ତମ ମନ୍ତ୍ରତନ୍ତ୍ର କିଛି ନାହିଁ କେବଲ ଲୋକଙ୍କୁ ଭଣ୍ଡୁଛ । ମୁଁ ମନ୍ତ୍ର ସ୍ଥାନରେ ସମ୍ବଲପୁରୀ ଭାଷାରେ ଅଶ୍ଲିଲ ଶବ୍ଦର ପ୍ରୟୋଗ କଲେ ମଧ୍ୟ ଯଦି ଅନ୍ୟକୁ ଦେଖାଯାଉଛି ଆଉ ମୋତେ ଦେଖାଯାଉନାହିଁ ତାହା କି ମନ୍ତ୍ର? ସେ ମୋତେ ଆକଟ କରି କହିଥିଲେ ଯେ ‘ ମୁଁ ମନା କରିବା ସତ୍ୱେ ତୁ କାହିଁକି ଏପରି କଲୁ । ଯେହେତୁ ପୂର୍ବରୁ ମନ୍ତ୍ରଟି ସିଦ୍ଧି ହୋଇ ଯାଇଛି ତା ପରେ ଆଉ ମନ୍ତ୍ର ପାଠର ଆବଶ୍ୟକତା ନାହିଁ । ମନ୍ତ୍ର ଶକ୍ତି ଅତ୍ୟନ୍ତ ପ୍ରଭାବଶାଲୀ । ଗୋଟିଏ ଅକ୍ଷର ବିଶିଷ୍ଟ ବୀଜ ମନ୍ତ୍ରରେ ମଧ୍ୟ ବହୁ ଅସାଧ୍ୟ ସାଧନ କରିଦେବ । କାହା ଦ୍ୱାରା କେଉଁ ତନ୍ତ୍ର ସିଦ୍ଧି ହେବ ତାର ମଧ୍ୟ ଏକ ବିଧି ରହିଛି ।ରାଶି ନକ୍ଷତ୍ର ଅନୁସାରେ ତନ୍ତ୍ର ସାଧନ କରାଯାଏ । ତନ୍ତ୍ରରେ ପ୍ରତ୍ୟେକ ସ୍ୱରବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ଭିନ୍ନଭିନ୍ନ ତନ୍ତ୍ରର ପ୍ରତିନିଧିତ୍ୱ କରିଥାଏ । ସାଧାରଣତଃ ପ୍ରତ୍ୟେକ ମନ୍ତ୍ରର ପ୍ରାରମ୍ଭରେ ଓଁ ଉଚ୍ଚାରଣ ହୋଇଥାଏ ଏବଂ ତତ ପରବର୍ତି ଅକ୍ଷର ଅନୁସାରେ ସାଧକର ସାଧନା ସିଦ୍ଧିର ମେଳକ ବିଚାର କରା ଯାଇଥାଏ । ସ୍ଥୁଲ ଭାବରେ ଯେଉଁ ମନ୍ତ୍ରର ଶେଷରେ ସ୍ୱାହା ଲାଗିଥାଏ ତାହା ବୈଦିକ ମନ୍ତ୍ର ଅଟେ ଓ ତାହାକୁ ଶୁଦ୍ଧତାର ସହ ଉଚ୍ଚାରଣ କରାଯାଇଥାଏ ଆଉ ସେହି ମନ୍ତ୍ର ଶେଷରେ ଯଦି ‘ଫଟ’ ଲଗାଯିବ ତାହା ତାନ୍ତ୍ରିକ ମନ୍ତ୍ର ହୋଇଯିବ ବୋଲି ମୋତେ ବୁଝାଇ ଦେଇଥିଲେ ଏବଂ ସେହିଦିନ ହିଁ ସେ ତାଙ୍କ ତନ୍ତ୍ରମନ୍ତ୍ରର ସବୁ ପୋଥି ନେଇ ବରଗଡ଼ କେନାଲରେ ଭସାଇ ଦେଇଥିଲେ । ତାହା ପରଠାରୁ ମୋର ତନ୍ତ୍ରଶିକ୍ଷା ବନ୍ଦ ରହିଲା । ବାସ୍ତବରେ ମନ୍ତ୍ର ପ୍ରଭାବି କି? ଏ ପ୍ରଶ୍ନ ଏବେ ବି ମୋତେ ଘାରୁଛି । କେବଳ ମୋତେ କାହିଁକି ବହୁ ବୁଦ୍ଧିଜୀବୀ ଓ ବୈଜ୍ଞାନିକ ଏହାର ଉତର ଖୋଜିବାରେ ଲାଗିଛନ୍ତି । ବେଦରେ ଶବ୍ଦକୁ ‘ନାଦ ବ୍ରହ୍ମ’ କୁହାଯାଇଛି । ସେହିପରି ପ୍ରଣବ ନାଦ ‘ଓଁ’କାରରୁ ସୃଷ୍ଟି ରଚନା ହୋଇଥିବା କୁହାଯାଉଛି । ଏ ସମ୍ପର୍କରେ ମଧ୍ୟ ବୈଜ୍ଞାନିକ ଅନୁସନ୍ଧାନ ଜାରି ରହିଛି । ଶବ୍ଦ ବା ନାଦରୁ ଧ୍ୱନି ତରଙ୍ଗ ସୃଷ୍ଟି ହୋଇଥାଏ । ଏସବୁ ତରଙ୍ଗର ନିଦ୍ଧିଷ୍ଟ ଫ୍ରିକ୍ୟୁଏନ୍ସି ରହିଛି । ଏହିି ଶବ୍ଦତରଙ୍ଗକୁ ଦୃଶ୍ୟମାନ କରିବା ପାଇଁ ଆଧୁନିକ ବିଜ୍ଞାନରେ ସାଇମେଟିକ୍ସ (Cymaticis) ନାମକ ଶାଖା ରହିଛି । ମେଟା ଫିଜିକ୍ସକୁ କିଭଲି ବାୟୋଫିଜିକ୍ସରେ ପରିବର୍ତିତ କରଯାଇ ପାରିବ ତାହା ସାଇମେଟିକ୍ସ ମାଧ୍ୟମରେ ବୁଝା ଯାଇଥାଏ । ଏର୍ନଷ୍ଟ ଫ୍ଲୋରେନ୍ସ ଫ୍ରିଡ୍ରିଚ୍ ଚ୍ଲାଡନୀ ଜଣେ ଜର୍ମାନ ପଦାର୍ଥ ବିଜ୍ଞାନୀ ଏବଂ ସଂଗୀତଜ୍ଞ । ସେ ହେଉଛନ୍ତି ସାଇମେଟିକ୍ସ ବିଜ୍ଞାନର ଜନ୍ମଦାତା । ସେ ଧ୍ୱନିତରଙ୍ଗର କମ୍ପନକୁ ପ୍ଲେଟ ମାଧ୍ୟମରେ ଦୃଶ୍ୟମାନ କରିବାରେ ସକ୍ଷମ ହୋଇଥିଲେ । ଏହା ଫଳରେ ବିଭିନ୍ନ ଶବ୍ଦକୁ ଚିତ୍ରରୂପ ଦେବାରେ ଆଧୁନିକ ବିଜ୍ଞାନ ସକ୍ଷମ ହୋଇଛି ।ଏଥିରେ ମୁଖ୍ୟତଃ ଜଳ କିମ୍ବା ଅନ୍ୟ ତରଳ ପଦାର୍ଥର ବ୍ୟବହାର କରି ଶବ୍ଦତରଙ୍ଗକୁ ଆଲୋକ ରୂପେ ପରିବର୍ତିତ କରିବାର ବ୍ୟବସ୍ଥା ରହିଛି ।ଏହି ଯନ୍ତ୍ର ସହାୟତାରେ ଯେତେବେଲେ ଭାରତୀୟ ପ୍ରଣବ ନାଦ ‘ଓଁକାର’କୁ ଶୁଦ୍ଧରୂପେ ଉଚ୍ଚାରଣ କରାଗଲା ସେତେବେଲେ ସାଇମେଟିକ୍ସ ଚିତ୍ରରେ ତାହା ‘ଶ୍ରୀଯନ୍ତ୍ର’ ରୂପରେ ଦୃଶ୍ୟମାନ ହୋଇଥିଲା । ଏଣୁ ମନ୍ତ୍ର ଉଚ୍ଚାରଣ ସମୟରେ ଉଚ୍ଚାରଣ ଗତ ଶୁଦ୍ଧତା ଆବଶ୍ୟକ । ଶୁଦ୍ଧ ଉଚ୍ଚାରଣ ଦ୍ୱାରା ମନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ତେବେ ବିନା ମନ୍ତ୍ର ଉଚ୍ଚାରଣରେ ଆନ୍ତରିକ ମନ୍ତ୍ର ଜପ ଦ୍ୱାରା ମନ୍ତ୍ରଶକ୍ତି ପ୍ରଭାବି ରୂପେ କାର୍ଯ୍ୟକରିବ କି? ଚିକିତ୍ସା ବିଜ୍ଞାନ ଓ ଫିଜିକ୍ସ ଅନୁଯାୟୀ ମାନବ ମସ୍ତିଷ୍କରୁ ସର୍ବତା ବ୍ରେନ ୱେଭ ସୃଷ୍ଟି ହୋଇଥାଏ । ବୈଜ୍ଞାନିକ ମାନେ ଏହାକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି । ପ୍ରଥମଟି ହେଲା ‘ବିଟା ୱେଭ’ ଯାହାର ପ୍ରିକ୍‌ୁଏନ୍ସି ୧୩ରୁ ୩୦ ହର୍ଜ ଅଟେ ଏହି ସମୟରେ ମଣିଷ ପ୍ରତି ମିନିଟରେ ୪୮ରୁ ୬୦ଟି ପ୍ରସଙ୍ଗ ଚିନ୍ତା କରିଥାଏ । (ଏହାକୁ ଟିପିଏମ କୁହାଯାଉଛି ଅର୍ଥାତ (Thoughts per minute ) । ଅଧିକାଂଶ ମଣିଷ ଏହି ଶ୍ରେଣୀର ।ଏ ପ୍ରକାର ମଣିଷଙ୍କ ମସ୍ତିଷ୍କ ବାରମ୍ବାର ଚିନ୍ତନରେ ପରିବର୍ତନ କରୁଥିବାରୁ ସେମାନଙ୍କର ଏକାଗ୍ରତା ନଥାଏ । ସେହିପରି ଦ୍ୱିତୀୟ ପ୍ରକାର ବ୍ରେନ ୱେଭ ହେଉଛି ‘ଆଲଫା ୱେବ’ ଯାହାର ଫ୍ରିକ୍ୟୁଏନ୍ସି ୮ରୁ ୧୩ ହର୍ଜରେ ସିମିତ ଥାଏ । ଏମାନଙ୍କ କ୍ଷେତ୍ରରେ ମସ୍ତିଷ୍କରେ ପ୍ରତି ମିନିଟରେ ୩୦ଟି ଚିନ୍ତନ ଆସିଥାଏ ବା ବିଟା ୱେଭର ଟିପିଏମ ମୂଲ୍ୟ ୩୦ ଅଟେ । ତୃତୀୟ ବ୍ରେନ ୱେଭ ହେଉଛି ‘ଥିଟା ୱେଭ’ ଯାହାର ଫ୍ରିକ୍ୟୁଏନ୍ସି ହେଉଛି ୪-୮ ହର୍ଜ ଓ ଟିପିଏମ ୧୫ ଏହି ଶ୍ରେଣୀର ମସ୍ତଷ୍କ ଧାରୀ ବ୍ୟକ୍ତିମାନେ ସୁପର ବ୍ରିଳିଏଣ୍ଟ ହୋଇଥାନ୍ତି ଏବଂ ସାଧାନାରେ ସିଦ୍ଧିଲାଭ କରିଥାନ୍ତି । ମାନବ ମସ୍ତିଷ୍କରୁ ନିର୍ଗତ ଚତୁର୍ଥ ବ୍ରେନ ୱେଭ ହେଉଛି ‘ଡ଼େଲଟା ୱେଭ’ ଯାହାର ଫ୍ରିକ୍ୟୁଏନ୍ସି ୦.୫ରୁ ୪ ହର୍ଜ ମଧ୍ୟରେ ସୀମିତ ଏବଂ ଟିପିଏମ ମୂଲ୍ୟ ୧୦ ଅଟେ ।ଏମାନେ ଚିନ୍ତନ ଦୃଷ୍ଟିରୁ ଏକାଗ୍ର ସିଦ୍ଧ ପୁରୁଷ ହୋଇଥାନ୍ତି । ତେବେ ଏମାନଙ୍କ ସଂଖ୍ୟା ଅତି ନଗଣ୍ୟ । ଏହା ବ୍ୟତିତ ମାନବ ମସ୍ତିଷ୍କରୁ ନିର୍ଗତ ୩୦ ହର୍ଜ ବା ତଦୁର୍ଦ୍ଧ ଫ୍ରିକ୍ୟୁଏନ୍ସିକୁ ‘ଗାମା ବ୍ରେନ ୱେଭ’ ଶ୍ରେଣୀଭୁକ୍ତ କରାଯାଇଛି । ଜଣେ ସାଧାରଣ ମଣିଷର ମସ୍ତିଷ୍କକୁ ଦୈନିକ ହାରାହାରି ୬୦ ହଜାର ଭାବନା ଆସିଥାଏ । ମଣିଷ ଶୋଇବା ସମୟରେ ଏହି ଭାବନା କମ ଆସୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଭାବନା ଶୂନ୍ୟ ହୋଇ ନ ଥାଏ । ବିଟା ବ୍ରେନୱେଭ ବିଶିଷ୍ଟ ମଣିଷ ଚିନ୍ତନ ସମୟରେ ଦୁଇ ପ୍ରକାର ତରଙ୍ଗ ସୃଷ୍ଟି ହୋଇଥାଏ ଗୋଟାଏ ହେଲା ‘ଲୋୟର ବିଟା ବ୍ରେନ ୱେଭ’ ଓ ଅନ୍ୟଟି ‘ହାଇ ବିଟା ବ୍ରେନ ୱେଭ’ । ଏହି ପ୍ରକ୍ରିୟାରେ ମସ୍ତିଷ୍କରେ ଡ଼ିଏମଟି (. n-dimethyltryptamine (C12H16N2 ).) ନାମକ ରାସାୟନ ସୃଷ୍ଟି ହୋଇଥାଏ ଓ ମସ୍ତିସ୍କ ଡ଼ିଏମଏନ(default mode network) ରୂପେ କାର୍ଯ୍ୟକରିଥାଏ । n-dimethyltryptamine (C12H16N2 ) ହେଉଛି ଏକ ବଦଳାଯାଇଥିବା ଟ୍ରାଇପଟାମାଇନ୍ ଯାହା ପ୍ରାଣୀଶରୀରରେ ଦେଖାଯାଏ ଏବଂ ଏହା ଉଭୟ ଡେରିଭେଟିଭ୍ ଏବଂ ଟ୍ରାଇପଟାମାଇନ୍ ର ଏକ ଗଠନମୂଳକ ଆନାଲଗ ସ୍ୱରୂପ । ମସ୍ତିଷ୍କ ତରଙ୍ଗର ପ୍ରଭାବ ମାନବ ମସ୍ତିଷ୍କର ନ୍ୟୁରନକୁ ମଧ୍ୟ ପ୍ରଭାବିତ କରୁଛି ଏବଂ ମଣିଷର ସୃଜନଶୀଳତାକୁ ପ୍ରଭାବିତ କରୁଛି । ମଣିଷର ମସ୍ତିଷ୍କ ଉପରେ ମନ୍ତ୍ରର କିଭଳି ପ୍ରଭାବ ପଡ଼ୁଛି ଏ ସମ୍ପର୍କରେ କ୍ରେମିଜ ୟୁନିଭାରସିଟିର ଡ଼କ୍ଟର ରମା ଜୟଶଙ୍କର ଗବେଷଣା କରିଥିଲେ । ସେ ନିଜେ ଜଣେ ବୈଜ୍ଞାନିକ ହେବା ସାଙ୍ଗକୁ ଜଣେ ଡ଼ିଗ୍ରୀଧାରୀ ଚିକିତ୍ସକ ମଧ୍ୟ ଅଟନ୍ତି । ସେ ତାଙ୍କ ଗବେଷଣା ସମୟରେ ମାନବ ମସ୍ତିସ୍କ ଉପରେ ‘ଗାୟତ୍ରୀ ମନ୍ତ୍ର’ର ପ୍ରଭାବ ସମ୍ପର୍କରେ ଅଧ୍ୟୟନ କରିଥିଲେ । ଏଥି ସକାଶେ କିଛି ସ୍ୱେଚ୍ଛାସେବୀ ଛାତ୍ର ଛାତ୍ରୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରିଥିଲେ ।ସେମାନଙ୍କ ମଧ୍ୟରୁ ଗୋଟିଏ ବର୍ଗକୁ ଶୁଦ୍ଧ ସଂସ୍କୃତ ଭାଷାରେ ତିନିମାସ ପର୍ଯ୍ୟନ୍ତ ପ୍ରତିଦିନ ପ୍ରତ୍ୟୁଷରେ ୧୦୮ ଥର ଗାୟତ୍ରୀ ମନ୍ତ୍ର ପାଠ କରିବାକୁ କୁହାଯାଇଥିଲା । ଆଉ ଗୋଟିଏ ବର୍ଗ ଇଂରାଜୀ ଭାଷାରେ ଅନୁଦିତ ଗାୟତ୍ରୀ ମନ୍ତ୍ରକୁ ଇଂରାଜି ଶୈଳୀରେ ପାଠକରିବାକୁ ଦିଆଯାଇଥିଲା ଏବଂ ତୃତୀୟ ବର୍ଗଙ୍କୁ ଗାୟତ୍ରୀ ମନ୍ତ୍ରଠାରୁ ଦୂରେଇ ରଖାଯାଇଥିଲା । ଏହି ସମୟରେ ଗାୟତ୍ରୀ ମନ୍ତ୍ର ପ୍ରଭାବ ମାନବ ମସ୍ତିଷ୍କକୁ କିଭଳି ପ୍ରଭାବିତ କରୁଛି ତହିଁର ବ୍ରେନ ମେପିଙ୍ଗ କରାଯାଇଥିଲା । ଅନୁଧ୍ୟାନରୁ ଦେଖାଯାଇଥିଲା ଯେ ମସ୍ତଷ୍କର ବାମ ଓ ଡ଼ାହାଣ ଲୋବର ଇଲେଟ୍ରିକାଲ ଷ୍ଟିମୁଲେସନ ଓ ଉତେଜନା ହ୍ରାସ ପାଉଛି ।ଉଭୟ ସଂସ୍କୃତ ଭାଷାରେ ପଠିତ ଓ ଇଂରାଜୀ ଶୈଳୀରେ ପଠିତ ଗାୟତ୍ରୀ ମନ୍ତ୍ର କ୍ଷେତ୍ରରେ ବିଶେଷ ଅନ୍ତର ନଥିଲା । ଏହି ସମୟରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଜଳତରଙ୍ଗ ଉପରେ କିଭଳି ପଡ଼ୁଛି ତାହା ସାଇମେଟିକ୍ସ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲା । କାରଣ ମାନବ ଶରୀର ଓ ମାନବ ମସ୍କିଷ୍କରେ ମଧ୍ୟ ଜଳୀୟ ଅଂଶର ପ୍ରାବଲ୍ୟତା ରହିଛି । ପ୍ରଣବ ନାଦ ‘ଓଁ’କାରର ବିଶୁଦ୍ଧ ଉଚ୍ଚାରଣ ସମୟରେ ସାଇମେଟିକ୍ସ ଚିତ୍ର ଶ୍ରୀଯନ୍ତ୍ରର ଅନୁରୂପ ଅଟେ । ନିକଟରେ ଆଧୁନିକ ବିଜ୍ଞାନ ଏବେ ସାଇମେଟିକ୍ସ ମାଧ୍ୟମରେ ଧ୍ୱନୀକୁ ଚିତ୍ରରୂପ ଦେବାରେ ସକ୍ଷମ ହୋଇଥିବା ସମୟରେ ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ମୁନି ଋଷି ମାନେ ଅକ୍ଷର ଓ ଶବ୍ଦର ସ୍ୱରୂପ ଜାଣି ସାରିଥିଲେ । ଏଣୁ ଭାରତୀୟ ତନ୍ତ୍ର ମନ୍ତ୍ର ଯନ୍ତ୍ର ଆଦିକୁ ବାଜେ କଥା ବୋଲି ଏଡ଼ାଇ ଦିଆ ନଯାଇ ତାହାକୁ ବୈଜ୍ଞାନିକ ଦୃଷ୍ଟିରେ ଅନୁଧ୍ୟାନ କରିବା ଆବଶ୍ୟକ । ଶବ୍ଦ ତରଙ୍ଗକୁ ଯେଭଳି ସାଇମେଟିକ୍ସ ମାଧ୍ୟମରେ ଦୃଶ୍ୟମାନ ତରଙ୍ଗରେ ରୂପାନ୍ତରିତ କରାଯାଇ ପାରୁଛି ମାନବ ମସ୍ତିଷ୍କରୁ ନର୍ଗତ ବ୍ରେନୱେଭ ଦ୍ୱାରା ମଧ୍ୟ ନିଶ୍ଚିତ ରୂପେ ଅସାଧ୍ୟ ସିଦ୍ଧି କରାଯାଇ ପାରିବ । ମଣିଷର ଏହି ବ୍ରେନୱେଭକୁ ଶକ୍ତିଶାଳୀ କରିବାରେ ତନ୍ତ୍ରଶକ୍ତି ବିଶେଷ ସହାୟତା କରିଥାଏ । କାରଣ ତନ୍ତ୍ର ହେଉଛି ଏକ ସ୍ପିରିଚୁଆଲ ଟେନୋଲୋଜି । ଆମେ କେବଳ ଲୌଳିକ ଚକ୍ଷୁରେ ଦେଖୁଥିବା ଅଥବା ସ୍ପର୍ଶେନ୍ଦ୍ରିୟ ମାଧ୍ୟମରେ ଅନୁଭବ କରୁ୍‌ଥିବା ପଦାର୍ଥକୁ ହିଁ କେବଳ ସତ୍ୟ ରୂପେ ବିଚାର କରିବା ହୁଏତ ଭ୍ରାନ୍ତି ହେବ । ଏଣୁ ଏହାକୁ ଯଦି ଉର୍ଜା ତରଙ୍ଗ ରୂପେ ବିଚାର କରିବା ତାହେଲେ ଆମପାଇଁ ନୂତନ ଉର୍ଜାର ସନ୍ଧାନ ଆଣିଦେବ । ଯାହା ପରମାଣୁ ଉର୍ଜ୍ଜାଠାରୁ ଅଧିକ ପ୍ରଭାବଶାଳୀ ଓ ଅଧିକ ବେଗଗାମୀ । ମହାଭାରତରେ ବର୍ଣ୍ଣିତ ପ୍ରସଙ୍ଗ ଅନୁଯାୟୀ ଯକ୍ଷ ଯେତେବେଲେ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲା ‘ସବୁ ଠାରୁ ଦୃତଗାମୀ କିଏ’ ଏହାର ଉତରରେ ଯୁଧିଷ୍ଠିର କହିଥିଲେ ‘ମନ’ । କାରଣ ମନଦ୍ୱାରା ଜଣେ ନିମିଶକେ ବିଶ୍ୱବ୍ରହ୍ମାଣ୍ଡ ପରିକ୍ରମା କରି ପାରିବ । ଏଣୁ ଆସନ୍ତୁ ସଭିଏଁ ଆମର ଲୁପ୍ତପ୍ରାୟ ଟେକନୋଲୋଜିକୁ ବୁଝିବା ସହ ଏହି ଅଦୃଶ୍ୟ ମାନସିକ ଶକ୍ତିର ସନ୍ଧାନରେ ଲାଗିବା ।

ସୁରେନ୍ଦ୍ର ହୋତା, ସାମ୍ବାଦିକ ବରଗଡ଼

୧୩ ଜାନୁୟାରୀ ୨୦୨୨

ସମ୍ପର୍କ ୯୪୩୭୧୧୦୨୫୦

Leave a Reply

Your email address will not be published.