ତନ୍ତ୍ରମନ୍ତ୍ର ସହ ସେକ୍ସର ସମ୍ପର୍କି ଅଛିକି?

(ଏହି ପୋଷ୍ଟିଙ୍ଗଟି କେବଳ ବୟସ୍କ ମାନଙ୍କ ପାଇଁ ଉଦ୍ଦିଷ୍ଟ)

ତନ୍ତ୍ର ମନ୍ତ୍ର ସମ୍ପର୍କିତ ମୋର ପୂର୍ବ ପୋଷ୍ଟିଙ୍ଗ ଗୁଡ଼ିକ ସମ୍ପର୍କରେ ମୋତେ ବହୁ ଉତ୍ସାହମୂଳକ ପ୍ରତିକ୍ରିୟା ମିଲିଛି । ଲୋକଙ୍କ ପ୍ରତିକ୍ରିୟା ଓ ଜିଜ୍ଞାସା ମଧ୍ୟରେ ବାସ୍ତବରେ ଅନେକ କିଛି ଜାଣିବାର ସୁଯୋଗ ମିଲୁଛି ।ତନ୍ତ୍ର ମନ୍ତ୍ର ନେଇ କୌଣସି ପ୍ରଶ୍ନର ସଠିକ ଉତର ମିଳିବା କଷ୍ଟକର । ଗୋଟିଏ ପ୍ରଶ୍ନର ଉତର ନ ମିଲୁଣୁ ଆହୁରି ଅନେକ ଅସମାହିତ ପ୍ରଶ୍ନ ଆମ ସମ୍ମୁଖରେ ଦଣ୍ଡାୟମାନ ହୋଇଛି । ବୁଢ଼ିଆଣୀର ଜାଳ ପରି ଏସବୁ ଅସମାହିତ ପ୍ରଶ୍ନର ଉତ୍ତର ସହଜସାଧ୍ୟ ନୁହେଁ । ତନ୍ତ୍ର ମନ୍ତ୍ର ଓ ସେକ୍ସ ସମ୍ପର୍କରେ ଅନେକେ ପ୍ରଶ୍ନ କରିଛନ୍ତି । ମୁଁ କୌଣସି ବିଶେଷଜ୍ଞ ନୁହେଁ । କେବଳ ଜଣେ ସାଧାରଣ ସାମ୍ବାଦିକ ମାତ୍ର । ସମାଜରେ ଘଟୁଥିବା ଘଟଣ,ଅଘଟଣ, ସାମାଜିକ ଚଳଣୀ,ପରମ୍ପରା ଆଦି ପ୍ରସଙ୍ଗ ଓ ସମସ୍ୟାକୁ ଆମେ ଯଥା ସମ୍ଭବ ଦର୍ପଣ ସ୍ୱରୂପ ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାଊଁ । ସାମ୍ବାଦିକତାର ଏହି ପ୍ରକ୍ରିୟା ଭିତରେ ଆମକୁ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ମିଲିଥାଏ । ଯେଉଁ ମାନଙ୍କର ବୌଦ୍ଧିକ ସ୍ତର ଭିନ୍ନ ଭିନ୍ନ ଥାଏ । ଏହି ସମୟରେ ବୌଦ୍ଧିକ ସ୍ତରରେ ଯେଉଁ ଦ୍ୱନ୍ଦ,ଶଙ୍କା ଅଥବା ମାନସ ମନ୍ଥନ ହୋଇଥାଏ ଆମର ସିମିତ ଜ୍ଞାନ ଭିତରେ ଯାହା ଆମକୁ ଆପାତତଃ ସତ୍ୟ ପରି ମନେ ହୋଇଥାଏ ତାହାକୁ ଲେଖା ମାଧ୍ୟମରେ ଉପସ୍ଥାପିତ କରିଥାଉଁ ।ତେବେ ଏହାକୁ ସମ୍ପୂର୍ଣ୍ଣ ସତ୍ୟ କୁହାଯାଇ ପାରିବ ନାହିଁ । ଏହା କେବଳ ସ୍ଥୁଳ ଚିତ୍ରଟିଏ ମାତ୍ର । ବାସ୍ତବତା ଜାଣିବା ପାଇଁ ଆହୁରି ଗବେଷଣାର ଆବଶ୍ୟକତା ରହିଛି । ମୋର ପୂର୍ବ ଦୁଇ ପୋଷ୍ଟିିଙ୍ଗ ଉପରାନ୍ତେ ଅନେକ ପାଠକ ଜାଣିବାକୁ ଚାହିଁଛନ୍ତି ଯେ ‘ତନ୍ତ୍ରମନ୍ତ୍ର ସହ ସେକ୍ସର କଣ ସମ୍ପକ’ ରହିଛି । ଟଣ୍ଢେଇ ମାନେ ମୁଣ୍ଡ ତଲ ଓ ଗୋଡ଼ ଉପର କରି ଯଦି ସାଧାନା କରନ୍ତି ତାହା ଯୋଗାସନ ସମ୍ପର୍କିତ କି? ତନ୍ତ୍ର ସାଧନାର ନିଦ୍ଦିଷ୍ଟ ସମୟ ଓ ବିଧି ରହିଛି କି? ପଶ୍ଚିମ ଓଡ଼ିଶାରେ ତନ୍ତ୍ରସାଧାନା ସମ୍ପର୍କିତ କୌଣସି ପ୍ରାମାଣିକ ଐତିହାସିକ ଅବଶେଷ ରହିଛି କି? ଏଭଳି ନାନା ପ୍ରଶ୍ନ ଉତଥାପିତ ହୋଇଛି । ପାଠକୀୟ ପ୍ରତିକ୍ରିୟାକୁ ନେଇ ମୁଁ ମଧ୍ୟ ଏସବୁ ପ୍ରଶ୍ନ ମୋର ସମ୍ପର୍କରେ ଆସିଥିବା ବିଭିନ୍ନ ବର୍ଗର ଲୋକଙ୍କୁ ପ୍ରଶ୍ନ କରିଥିଲି ।ମୋ ଜାଣିବାରେ ତନ୍ତ୍ରବିଜ୍ଞାନ ସମ୍ପର୍କିରେ ଆମ ଅଞ୍ଚଳରେ ସବୁଠାରୁ ଅଧିକ ଗବେଷଣା କରିଥିବା ବ୍ୟକ୍ତି ହେଉଛନ୍ତି ଖରିଆରର ମହାରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ । ଇଂରାଜି ଭାଷାରେ ତାଙ୍କର ଅନେକ ପୁସ୍ତକ ରଚନା ହୋଇଛି ଏବଂ ବିଦେଶରେ ତାର ଆଦୃତି ରହିଛି । ଏହି ପୁସ୍ତକ ଗୁଡ଼ିକର ମୂଲ୍ୟ ଏତେ ବେଶି ଯେ ତାହା ସାଧାରଣ ପାଠକଙ୍କ ପହଞ୍ଚର ବାହାରେ ।ତନ୍ତ୍ର ବିଜ୍ଞାନ ସମ୍ପର୍କରେ ଗବେଷଣା କରୁଥିବା ଦେଶ ବିଦେଶର ବହୁ ବ୍ୟକ୍ତି ମହାରାଜା ଜିତାମିତ୍ର ପ୍ରସାଦ ସିଂଦେଓଙ୍କୁ ରେଫର କରିଥାନ୍ତି । ମହାରାଜା ଜିତାମିତ୍ର ପ୍ରସାଦ ସିଂ ଦେଓ ଓ ମହାରାଣୀ ରାଜଶ୍ରୀ ଦେବୀଙ୍କ ସହ ମୋର ଭଳ ସମ୍ପର୍କ ଅଛି । ମହାରାଣୀ ମଧ୍ୟ ଅନେକ ଥର ବରଗଡ଼ ଆସିଲେ ଆମ ଘରକୁ ଆସିଛନ୍ତି । ମୁଁ ମଧ୍ୟ ଅନେକଥର ଖରିଆର ରାଜବାଟିକୁ ଯାଇ ମହାରାଜାର ଜିତାମିତ୍ର ପ୍ରସାଦ ସିଂଦେଓଙ୍କ ସହ ମିଶିଛି ଏ ସବୁ ପ୍ରସଙ୍ଗ ନେଇ ଆଲୋଚନା କରିଛି । ମହାରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ସ୍ପଷ୍ଟ ମତ ହେଲା ସମଗ୍ର ପଶ୍ଚିମ ଓଡ଼ିଶାର ଭୂଖଣ୍ଡ ତନ୍ତ୍ର ପାଇଁ ପ୍ରଶିଦ୍ଧ ଥିଲା । ଅଧୁନା ନୂଆପଡ଼ା ଜିଲ୍ଲାର ମାରାଗୁଡ଼ା ଉପତ୍ୟକାରୁ ପ୍ରାଚୀନ ଯୋନୀ ଆକୃତିର ‘ସୃଷ୍ଟି ଯନ୍ତ୍ର’ ମିଳିବା ପରେ ଏହା ନିଶ୍ଚିତ ହୋଇ ଯାଇଛି ଯେ ସେହି ଅଞ୍ଚଳରେ ଆଦି ଶକ୍ତି ସ୍ୱରୂପିଣୀ ଯୋନୀ ପୂଜାର ପ୍ରଚଳନ ଥିଲା ।ପଶ୍ଚିମ ଓଡ଼ିଶାର ଧାର୍ମିକ ସାଂସ୍କୃତିକ ପରମ୍ପରାରେ ମଧ୍ୟ ଯୋନୀପୂଜାର ପ୍ରଚଳନ ରହିଥିଲା । ପଶ୍ଚିମ ଓଡ଼ିଶାର ଡ଼ାଲଖାଇ କେବଳ ଏକ ନୃତ୍ୟ ନୁହେଁ ଏହା ଏକ ଧାର୍ମିକ ତାନ୍ତ୍ରିକ ପରମ୍ପରାର ମଧ୍ୟ । ଡ଼ାଲଖାଇ ନୃତ୍ୟ ଓ ଡ଼ାଲଖାଇ ପୂଜା ଦୁଇଟି ଭିନ୍ନ ଭିନ୍ନ ପ୍ରସଙ୍ଗ । କାରଣ ଶାରଦୀୟ ଅଷ୍ଟମୀ ଦିନ ଡ଼ାଲଖାଇ ପୂଜା ଉପରାନ୍ତେ ହିଁ ଡ଼ାଲଖାଇ ନୃତ୍ୟ ହେଉଥିଲା ।ଅଧୁନା ଆମେ କେବଳ ଡ଼ାଲଖାଇ ନୃତ୍ୟ ସ୍ୱରୂପକୁ ଜାଣିଛୁଁ । ମାତ୍ର ଏହାର ପ୍ରାଚୀନ ପୂଜା ବା ଉପସନା ପଦ୍ଧତି ପ୍ରାୟତଃ ବିସୃତ ହୋଇ ସାରିଛି । କିମ୍ବା କେଉଁଠି ତାର ପ୍ରଚଳନ ଥିଲେ ମଧ୍ୟ ଲୋକ ଲୋଚନକୁ ଆସି ପାରୁ ନାହିଁ । ପ୍ରାୟ ୩୦ ବର୍ଷ ତଲେ ମୁଁ ଏସମ୍ପର୍କରେ ବରଗଡ଼ର ସ୍ୱର୍ଗତ ରାଧେଶ୍ୟାମ ଗୌନ୍ତିଆ , ସ୍ୱର୍ଗତ ହରେକୃଷ୍ଣ ପୂଜାରୀ ଗୌନ୍ତିଆ, ସ୍ୱର୍ଗତ ଦାମୋଦର ଦାସ ,ସ୍ୱର୍ଗତ ଲଳିତ ମୋହନ ସାହୁ ସ୍ୱର୍ଗତ ଲେଙ୍ଗୁ ମିଶ୍ର ପ୍ରମୁଖଙ୍କ ସହ ଆଲୋଚନା କରିଥିଲି । ସେମାନଙ୍କ ଠାରୁ ଜାଣିବାକୁ ମିଲିଥିଲା ଯେ କୌଣସି ଗାଁ ରେ ଡ଼ାଲଖାଇ ପୂଜା କରିବାକୁ ହେଲେ ଗାଁର ଗୌନ୍ତିଆଙ୍କ ଠାରୁ ଅନୁମତି ନେବା ପରେ ଗୌନ୍ତିଆ ସେମାନଙ୍କ ପାଇଁ ଦୁଲଦୁଲି ବାଜାର ବ୍ୟବସ୍ଥା କରୁଥିଲେ ।ଏହାପରେ ଗାଁର କୁଆଁରୀ ଝିଅ ମାନେ ନଇକୁ ଯାଉଥିଲେ ।ସେମାନଙ୍କ ସହ ଅଭିଜ୍ଞ ବିବାହିତା ଯୁବତୀ ଯାଉଥିଲେ ଯିଏ ଡ଼ାଲଖାଇ ପୂଜା ପଦ୍ଧତି ସମ୍ପର୍କରେ ଅନ୍ୟମାନଙ୍କୁ ଶିକ୍ଷା ଦେଉଥିଲା । ନଇ ନିକଟସ୍ଥ ଦୁଇ ମୁହାନି ଠାରେ ବାଜାବାଲା ଦୂରରେ ରହୁଥିଲେ ଏବଂ ଯୁବତୀ ମାନେ ସମ୍ପୁର୍ଣ୍ଣ ଉଲଗ୍ନ ହୋଇ ମାଟିରେ ଆଠଟି ପିତୁଲା ନିର୍ମାଣ କରୁଥିଲେ ।ସେଠାରେ ଯୋନୀପୂଜା କରାଯାଉଥିଲା ।ଏହି ପୂଜା ପଦ୍ଧତିକୁ ‘ଗୁପତ ପୂଜା’ କୁହାଯାଉଥିଲା ।ଏହି ଗୁପତ ପୂଜା ସମୟରେ ସମ୍ପୃକ୍ତ ଅଞ୍ଚଳ ପୁରୁଷଙ୍କ ପାଇଁ ନିଷେଧ ଥିଲା । ଗୁପତ ପୂଜା ଉପରାନ୍ତେ ଉକ୍ତ ଯୁବତୀ ମାନେ ଆଠଟି ଚାଙ୍ଗୁଡ଼ିରେ ଆଠଟି ପିତୁଲା ସ୍ଥାପନ କରି ବାଜା ସହ ଗାଁକୁ ପ୍ରତ୍ୟାବର୍ତନ କରୁଥିଲେ ଏବଂ ସେହି ଆଠଟି ପିତୁଲାକୁ କୋଠି ଘରେ ରଖାଯାଉଥିଲା । ଏହି କୋଠୀରେ ଦୁର୍ଗାଙ୍କ ସମେତ ୧୬ ପ୍ରକାର ଦେବାଦେବୀଙ୍କୁ ପୂଜା କରାଯାଥିଲା । ଏହି କାରଣରୁ ଏହାକୁ ‘ଷୋହଲ କୁଠି ପୂଜା’ କୁହାଯାଉଥିଲା । ପୂଜା ସମୟରେ ଷୋହଲ ଦେବାଦେବୀଙ୍କ ପାଇଁ ଷୋହଲ ପ୍ରକାର ଭରନୀ ପାର ବଜା ଯାଉଥିଲା ।ଦେବତାଙ୍କ ଆବାହନ ପାଇଁ ଉଦ୍ଦିଷ୍ଟ ବାଦ୍ୟ ଛନ୍ଦକୁ ‘ଭରନୀ’ ଓ ଦେବତାଙ୍କ ନୃତ୍ୟ ପାଇଁ ଉଦ୍ଦିଷ୍ଟ ପାରକୁ ‘ଝୁମେର’ କୁହାଯାଉଥିଲା । ଅର୍ଥାତ ପ୍ରତ୍ୟେକ ଦେବତା ବା ଦେବୀଙ୍କ ପାଇଁ ନିଦ୍ଦିଷ୍ଟ ଭରନୀ ପାର ରହୁଥିଲା ।ଏହି ସମୟରେ ପ୍ରାଚୀନ ‘ଧୁନକେଲ’ ବାଦ୍ୟ ବଜା ଯାଉଥିଲା । ଏହି ଧୁନକେଲ ବାଦ୍ୟ ମଧ୍ୟ କେବଳ ଆଶ୍ୱିନ ଅଷ୍ଟମୀ ତିଥିରେ ବଜା ଯାଉଥିଲା । ଏହା ପରେ ଦେବୀ ଉପାସନା କରିଥିବା ଯୁବତୀ ଓ ମହିଳା ମାନେ ଆନନ୍ଦ ରସରେ ବୁଡ଼ି ‘ଡ଼ାଲଖାଇ ନୃତ୍ୟ’ କରୁଥିଲେ । ଡ଼ାଲଖାଇ ନୃତ୍ୟ ସମୟରେ ‘ଧୁନକେଲ’ ବାଜୁ ନଥିଲା । ଏଣୁ ପଶ୍ଚିମ ଓଡ଼ିଶାରେ ଡ଼ାଲଖାଇ ନୃତ୍ୟ ପାଇଁ ବର୍ଷରେ କେବଳ ଦଶହରା ଅଷ୍ଟମୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦିନ ନିଧାର୍ଯ୍ୟ ରହିଛି । ଏଥି ପାଇଁ ସ୍ୱତନ୍ତ୍ର ପୂଜା ପଦ୍ଧତି ଓ ସ୍ୱତନ୍ତ୍ର ବାଦ୍ୟ ମଧ୍ୟ ରହିଛି । ଡ଼ାଲଖାଇ ପୂଜା ସମୟରେ କୁଆଁରୀ ଝିଅ ମାନେ ଯେଉଁ ଆଠଟି ପିତୁଲା ନିର୍ମାଣ କରନ୍ତି ତାହା କେଉଁ ଦେବତା ବା ଦେବୀ ଅଟନ୍ତି ଏ କଥା ମୁଁ ସେ ଦିନ ସ୍ୱର୍ଗତ ରାଧେଶ୍ୟାମ ଦାଶ ଓ ସ୍ୱର୍ଗତ ନାଟ୍ୟଚାର୍ଯ୍ୟ ହରେକୃଷ୍ଣ ପୂଜାରୀଙ୍କୁ କରିଥିଲି । ସେମାନେ କହିଥିଲେ ଏହା ବୈଦିକ ଅଷ୍ଟମାତୃକାର ପ୍ରତିକ । ମାତ୍ର ସେମାନଙ୍କ ଉତ୍ତର ମୋତେ ସନ୍ତୁଷ୍ଟି କରି ପାରି ନଥିଲା । କାରଣ ବୈଦିକ ପୂଜା ପଦ୍ଧତି ଠାରୁ ତାନ୍ତ୍ରିକ ପୂଜା ପଦ୍ଧତି ଭିନ୍ନ । ବୈଦିକ ମନ୍ତ୍ରରେ ଯୋନୀପୂଜା ପରମ୍ପରା ଅଛି କି ନାହିଁ ମୁଁ ଜାଣେନା । ମୋର ପ୍ରଶ୍ନର ସଠିକ ଉତ୍ତର ସନ୍ଧାନରେ ମୁଁ ଥିଲି । ଏହାର ଉତର ମିଲିଲା ‘ଶ୍ରୀ ଯୋନୀ ତନ୍ତ୍ର’ ପୁସ୍ତକରୁ । ଏହାର ଇଂରାଜୀ ଅନୁବାଦ ମିଶେଲ ମେଗିଙ୍କ ଦ୍ୱାରା କରାଯାଇଛି ଏବଂ ଏହି ପୁସ୍ତକଟି ‘ୱାର୍ଲଡ଼ ୱାଇଡ଼ ତନ୍ତ୍ର ପ୍ରୋଜେକ୍ଟ’ରେ ୧୯୯୫ରେ ପ୍ରକାଶିତ ହୋଇଛି । ଏହି ବହିଟି ପଢ଼ିବା ପରେ ଆମ ଡ଼ାଲଖାଇ ପୂଜା ପରମ୍ପରାରେ ଥିବା ପ୍ରଚିଳି ଯୋନୀ ପୂଜାର ଗୁଢ଼ ରହସ୍ୟ ଓ ତାର ବୈଶିଷ୍ଟ ସମ୍ପର୍କରେ ଜାଣିବାକୁ ମିଲିଲା ।ଏହି ପୁସ୍ତକରେ ସ୍ୱଷ୍ଟ ରୂପେ ଓଡ଼ିଶାର ସମୃଦ୍ଧ ତନ୍ତ୍ର ପରମ୍ପରା ଓ ସମ୍ବଳକ ରାଜା ଇନ୍ଦ୍ରଭୂତିଙ୍କ ତନ୍ତ୍ର ସାଧାନାକୁ ସ୍ୱିକାର କରାଯାଇଛି । ଏହା ପୂର୍ବରୁ ୧୯୧୩ରେ ଇଂରାଜୀ ଭାଷାରେ Avalon’s Hymn to Kali ଏବଂ Avalon’s Hymn to Kali Gaõ Indian magazine Values,Vol XIX No 5. The Occult World of a Tantrik Guru, ପ୍ରକାଶିତ ହେବା ପରେ ଏ ସମ୍ପର୍କରେ ପାଶ୍ଚାତ୍ୟ ଗବେଷକ ମାନଙ୍କ ଦୃଷ୍ଟି ପଡ଼ିଥିଲା । ଶ୍ରୀ ଯୋନୀ ତନ୍ତ୍ରରେ କୁହାଯାଇଛି ଯେ ମହାଦେବ ଶିଙ୍କ ଦ୍ୱାରା ୬୪ ପ୍ରକାର ତନ୍ତ୍ର ର ଉତ୍ପତି ହୋଇଥିଲା । ୬୪ଟି ଯୋଗୀନୀ ଏହି ତନ୍ତ୍ରବିଦ୍ୟାର ସାଧନା କରୁଥିଲେ । ଭାରତରେ ପ୍ରଚଳିତ ସମସ୍ତ ତନ୍ତ୍ରର ଉତ୍ପତି ଶିବ ଓ ପାର୍ବତୀଙ୍କ ଠାରୁ ହୋଇଛି । ପ୍ରକୃତି ଓ ପୁରୁଷର ମିଳନ ହିଁ ଯୋଗ ,ଯାହା ଅପାର ଶକ୍ତି ସଞ୍ଚାର କରିବାର ସାମଥ୍ୟ ରଖେ । ସୃଷ୍ଟି ପାଇଁ ନାରୀ ଶକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ଏପରିକି ଯୋନୀ ସାଧନା ପାଇଁ ମଧ୍ୟ ସାଧିକା ଙ୍କୁ ଉପଯୁକ୍ତ ସମ୍ମାନ ଓ ପୂଜା କରିବାକୁ ପରାମର୍ଶ ଦିଆଯାଇଛି । ମାତୃ ଯୋନୀ ବ୍ୟତିରେକ ଅନ୍ୟ ସମସ୍ତ ଯୋନୀ ସାଧାନା ପାଇଁ ବ୍ୟବହାର କରାଯାଇ ପାରିବ ବୋଲି କୁହାଯାଇଛି । ଯୋନୀର ଆଠଟି ଅଙ୍ଗକୁ ନେଇ ‘ଶ୍ରୀଯୋନୀ ତନ୍ତ୍ର’ ପୁସ୍ତକରେ ଆଠଟି ପଟଲ (ଅଧ୍ୟାୟ) ରହିଛି ।ଯେଉଁଥିରେ ଯୋନୀର ବିଭିନ୍ନ ସ୍ଥାନରେ ଅବସ୍ଥାନ କରୁଥିବା ଦେବା ଦେବୀଙ୍କ ବର୍ଣ୍ଣନା ରହିଛି । ଯଥା …hairpit yonimula-devifield yoni-naganandiniedge yonicakra-kali Kaliarch yonicakra-tara Taragirdle yonikuntala-chinnamastaka Chinnamastanodule yonisamipato-vagala Bhagalacleft yonisamipato-matangi Matangiwheel yonigarta-mahalakshmi Lakshmithrone yonigarta-sodasi Sodasiroot yonigarta-bhuvanesvari Bhuvaneshvari ସମ୍ଭବତଃ ଡ଼ାଲଖାଇ ପୂଜା ସମୟରେ କୁମାରୀ ମାନଙ୍କ ଯୋନିପୂଜା ଉପରାନ୍ତେ ଅଷ୍ଟ ପୁତୁଲା ଏହି ଦେବା ଦେବୀ ମାନଙ୍କର ପ୍ରତିକ ହୋଇପାରେ । ଏ ସମ୍ପର୍କରେ ଗବେଷକ ମାନଙ୍କର ଅଧିକରୁ ଅଧିକ ଗବେଷଣା ଆବଶ୍ୟକ ।ତନ୍ତ ସାଧନା ସମୟରେ ସଙ୍ଗମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପୁରୁଷ ସାଧକ ମାନଙ୍କ କ୍ଷେତ୍ରରେ ସୃଷ୍ଟି ଉତ୍ପତ୍ତିକାରୀ ‘ଓଜ’ ନର୍ଗମନ ପାଇଁ ଚେଷ୍ଟା କରିଥାଏ । ଏହାକୁ ନିୟନ୍ତ୍ରଣ କରିବା ଅସମ୍ଭବ ମନେହୁଏ । ମାତ୍ର ସାଧକ ମାନେ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାନ୍ତି । ଗବେଷକ ଖରିଆର ମହାରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ଯେ ତାନ୍ତ୍ରିକ ସାଧନା ସମୟରେ ଶରୀରରୁ ନିର୍ଗତ ହେବାକୁ ଥିବା ‘ବିର୍ଯ୍ୟ ବା ରେତ’କୁ ରୋକା ଯାଇ ଶରୀରରେ ଉର୍ଦ୍ଧ୍ୱଗାମୀ କରାଯାଇ ପାରିଲେ ସେହି ଶକ୍ତିସ୍ରୋତ ଶରୀରର ବିଭିନ୍ନ ଚକ୍ରଦେଇ ଉର୍ଦ୍ଧ୍ୱଗତି କରିଥାଏ ଏବଂ ଅପାର ଶକ୍ତି ସଞ୍ଚାର କରିଥାଏ । ଏହି ପ୍ରକ୍ରିୟାକୁ ‘ଉର୍ଦ୍ଧ୍ୱରେତ’ କ଼ୁହାଯାଇଥାଏ । ଏଣୁ ସାଧକ ମାନେ ଯୌଗିକ କ୍ରିୟା ମାଧ୍ୟମରେ ଲିଙ୍ଗକୁ ଅର୍ନ୍ତମୁଖଈ କରାଇବାର କୌଣଳ ଶିକ୍ଷା କରିଥାନ୍ତି । ମହାରାଜା ଜିତାମିତ୍ର ପ୍ରସାଦ ସିଂ ଦେଓଙ୍କ ଚଚର୍ଚ୍ଚା ସମୟରେ ମୋର ମନେପଡ଼ୁଥିଲା । ଅମ୍ବାଭନା ବ୍ଳକ ସୀମାନ୍ତରେ ଥିବା ପୂଜାରୀପାଲି ଗାଁରେ ଏକଦା ଏକ ପ୍ରାଚୀନ ଶକ୍ତିପୀଠ ଥିଲା । ସେଠାରେ ଏବେ ବି ପ୍ରାଚୀନ ଭଗ୍ନ ଇଟା ମନ୍ଦିର ରହିଛି । ବିଭିନ୍ନ ମୂର୍ତିମାନେ ଇତସ୍ତତ୍ ପଡ଼ି ରହିଛନ୍ତି । ସମ୍ବଲପୁର ଇତିହାସରେ ଏଠାରେ ନରବଲି ଦିଆଯାଉଥିବାର ଉଲ୍ଲେଖ ରହିଛି । ଏ ସମ୍ପର୍କରେ ମୁଁ ତତ୍କାଳୀନ ଆଦିବାସୀ ପୂଜକ ଜଗଦଲା ସିଦ୍ଧାରଙ୍କୁ ପ୍ରଶ୍ନ କରିଥିଲି । ସେ ନରବଲିକୁ ସ୍ୱୀକାର କରିଥିଲେ । ସେ କିମ୍ବା ତାଙ୍କ ପିତା ନରବଳି ଦେଇ ନଥିଲେ ହେଁ ତାଙ୍କ ଅଜାଙ୍କ ସମୟରେ ନରବଳି ଦିଆଯାଉଥିବାର କହିଥିଲେ । କେଉଁ ମନ୍ତ୍ରରେ ନରବଲି ଦିଆଯାଉଥିଲା ବୋଲି ପ୍ରଶ୍ନ କରାଯିବାରୁ ସେ ଆଦିବାସୀ ଭାଷାରେ କିଛି ଶବ୍ଦ କହିଥିଲେ ଯାହାକୁ ମୁଁ ଟିପି ରଖିଛି ।ଏହା ଓଡ଼ିଆ କିମ୍ବା ସଂସ୍କୃତ ମନ୍ତ୍ର ନୁହେଁ । ଏବେ ଅବଶ୍ୟ ଜଗଦଲା ସିଦ୍ଧାର ନାହାନ୍ତି ତାଙ୍କର ଦେହାନ୍ତ ହୋଇ ଯାଇଛି । ତାଙ୍କ ବଂଶଜ ଏବେ କିଛି କହି ପାରୁ ନାହାନ୍ତି ।ସେଠାରେ ପଡ଼ିଥିବା କିଛି ଭଗ୍ନ ମୂର୍ତିକୁ ସ୍ଥାନୀୟ ଲୋକେ ଇତସ୍ତତ ବ୍ୟବହାର କରିଛନ୍ତି । ଗାଁକୁ ସିମେଣ୍ଟ ରାସ୍ତା କରାଯିବା ସମୟରେ ଗୋଟିଏ ପଥରକୁ ସ୍ଥାନୀୟ ଠିକାଦାର ମାଇଲ ଖୁଣ୍ଟ ପରି ବ୍ୟବହାର କରିଥିବା ଦେଖାଯାଇଥିଲା । ଏହି ଚତୁଷ୍କୋଣ ଖୁଣ୍ଟରେ ଚାରି ଦିଗରେ ଚାରୋଟି ପୁରୁଷ ମୂର୍ତି ରହିଛି ଏବଂ ସେମାନଙ୍କର ଲିଙ୍ଗ ଉର୍ଦ୍ଧ୍ୱଗାମୀ ଅଟେ । ଅର୍ଥାତ ଏହା ତନ୍ତ୍ର ସାଧନାର ପ୍ରତିକ ବୋଲି ମୋର ମନେ ହେଲା । ଏସବୁ ତଥ୍ୟ ମୋତେ ଚିନ୍ତା କରିବାକୁ ବାଧ୍ୟ କରେ ଯେ ପଶ୍ଚିମ ଓଡ଼ିଶ।। ଏହି ଅଞ୍ଚଳ ତନ୍ତ୍ରସାଧନା ପାଇଁ ପ୍ରଶିଧ୍ଧି ଲାଭ କରିଥିଲା ଏବଂ ଆମର ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ ରୂପେ ରହି ଆସିଥିଲା । ତେବେ ଆଧୁନିକତାକୁ ଆମେ ମୁଢ଼ ରୂପେ ଗ୍ରହଣ କରି ନେଇଥିବାରୁ ଆମର ସମୃଦ୍ଧ ଐଥିହ ଓ ପରମ୍ପରା ସମ୍ପର୍କରେ ଅଜ୍ଞ ଅଟୁଁ । ଏଣୁ ଆସନ୍ତୁ ଆମେ ବାସ୍ତବରେ ଆମର ପ୍ରାଚୀନ ସଭ୍ୟତା ସଂସ୍କୃତିର ମୂଳ ସ୍ୱରୂପକୁ ଖୋଜିବା ଓ ତାର ମହତ୍ୱ ସମ୍ପର୍କରେ ଅବଗତ ହେବା

ସୁରେନ୍ଦ୍ର ହୋତା, ସାମ୍ବାଦିକ, ବରଗଡ଼

ସମ୍ପର୍କ ୯୪୩୭୧୧୦୨୫୦

surendrahota@gmail.com

Leave a Reply

Your email address will not be published. Required fields are marked *