Breaking News
Home / Bargarh / Ulgulan of Veer Surendra Sai

Ulgulan of Veer Surendra Sai

ବୀର ସୁରେନ୍ଦ୍ର ସାଏଙ୍କ ଉଲଗୁଲାନ୍ ଏବଂ ପାହାଡ଼ସିର୍ଗିଡ଼ା

– ଶ୍ରୀ ସୁକୋମଳ ଦାଶ

୧୫୬୮ ଖ୍ରୀଷ୍ଟାବଦ୍ଦ ଓଡ଼ିଶା ଇତିହାସର ଏକ ସ୍ମରଣୀୟ ସମ୍ବତ୍ସର । ଏହିବର୍ଷ ଓଡ଼ିଶାର ଗଜପତି ମୁକୁନ୍ଦ ଦେବ ସୁଲେମାନ କର୍ରାଣୀଙ୍କ ଦ୍ୱାରା ଯୁଦ୍ଧରେ ପରାସ୍ତ ହେଲେ ଏବଂ ମୃତ୍ୟୁବରଣ କଲେ । ଓଡ଼ିଶାର ସ୍ୱାଧୀନତା ଲୁପ୍ତ ହେଲା । ମୁସଲମାନ କରାୟତ୍ତ ହେଲା ଓଡ଼ିଶା । ଏହି ବର୍ଷ ପାଟଣାଗଡ଼ କରଦ ରାଜ୍ୟର ଚୌହାନ ବଂଶୀୟ ଦଶମ ରାଜା ହୀରାଧର ଦେବ ତାଙ୍କର ଜ୍ୟେଷ୍ଠପୁତ୍ର ନରସିଂହ ଦେବଙ୍କୁ ରାଜ୍ୟଭାର ଦେଇ ଏବଂ କନିଷ୍ଠପୁତ୍ର ବଳରାମ ଦେବଙ୍କୁ ରାଜ୍ୟର ସେନାପତି ପଦରେ ଅନିଯୁକ୍ତ କରି ତଥା ଅନେକ ସୈନ୍ୟସାମନ୍ତ ପ୍ରଦାନ ପୂର୍ବକ ମୁକୁନ୍ଦ ଦେବଙ୍କୁ ସାହାଯ୍ୟ କରିବାକୁ ପଠାଇଲେ ଏବଂ ସ୍ୱୟଂ ପ୍ରୟାଗରାଜ ତୀର୍ଥାଟନରେ ଗଲେ । ତତ୍ପରେ ତାଙ୍କ ବିଷୟର ଇତିହାସ ନୀରବ । ପ୍ରହଲ୍ଲାଦ ଦୁବେଙ୍କର ‘ଜୟ ଚନ୍ଦ୍ରିକା’ ଗ୍ରଂଥାନୁସାରେ ରାଜମାତା ତାଙ୍କର ପୁତ୍ରଦ୍ୱୟଙ୍କୁ ନେଇ ଦିନେ ଦ୍ୱପ୍ରହର ସମୟରେ ସାଲେଭଟା ନିକଟସ୍ଥ ଅଂଗନଦୀ ମଧ୍ୟରେ ପୂବୟମୁଖା ହୋଇ ଉତ୍ତର ଓ ଦକ୍ଷିଣ ଦିଗକୁ ହସ୍ତ ପ୍ରସାରଣପୂର୍ବକ ଘୋଷଣା କରିଥିଲେ (କିରିଆ କରିଥିଲେ) ଯେ ଦକ୍ଷିଣ ଦିଗସ୍ଥ ପାଟଣାଗଡ଼ ରାଜ୍ୟ ନରସିଂହଦେବଙ୍କର ଏବଂ ଉତ୍ତ୍‍ର ଦିଗସ୍ଥ ‘ହୁମା’ ଦେଶ (ବରଗଡ଼, ସମ୍ବଲପୁର ଇତ୍ୟାଦି) ବଳରାମ ଦେବଙ୍କର । ଏହା ସେଇ ୧୫୮ ମସିହାର ଘଟଣା । ବଳରାମ ଦେବ ପାଟଣାଗଡ଼କୁ ପ୍ରତ୍ୟାବର୍ତ୍ତନ କରି ସେହିଦିନ ହିଁ ସୈନ୍ୟସାମନ୍ତ ଏବଂ ବିଭିନ୍ନ ଆସବାବପତ୍ର ନେଇ ସନ୍ଧ୍ୟାସୁଦ୍ଧା ବରଗଡ଼ ନିକଟସ୍ଥ କନ୍ଗାଁରେ ପହଞ୍ଚିଲେ । ଏହି ଗାଁରେ ଅଦ୍ୟାବଧି ତାଙ୍କର ଇଷ୍ଟଦେବୀ, କଳାମୁଗୁନି ପଥରରେ ନିର୍ମିତ ସିଂହବାହିନୀ ମୂର୍ତ୍ତିଟିଏ ଏକ ଛୋଟ ମନ୍ଦିରରେ ପୂଜା ପାଉଛନ୍ତି ।
ବଳରାମ ଦେବ ଭଟଲି ନିକଟସ୍ଥ ନୂଆଗଡ଼ରେ କିଛିକାଳ ଅବସ୍ଥାନ କରିବା ପରେ ବରଗଡ଼ ରେ ତାଙ୍କର ନୂତନ ରାଜଧାନୀ ସ୍ଥାପନ କଲେ । ଏକଦା ସେ ମୃଗୟା ଉଦ୍ଦେଶ୍ୟରେ ମହାନଦୀର ଦକ୍ଷିଣ ତୀରରେ ବିଚରଣ କରୁକରୁ ଚାଉଁରପୁର ଗ୍ରାମରେ ସନ୍ଧ୍ୟା ହୋଇଯାନ୍ତେ, ସେଠାରେ ହିଁ ରାତ୍ରିଯାପନ କରିବାକୁ ମନସ୍ଥ କଲେ । ମାଁ ସମଲେଇ ତାଙ୍କୁ ସ୍ୱପ୍ନାଦେଶ କଲେ ଯେ, ସେ ମହାନଦୀର ଉତ୍ତର ତୀରରେ ଏକ ଶିମୁଳି ଗଛତଳେ ମାଟି ଭିତରେ ଅଛନ୍ତି । ସକାଳ ହେବାମାତ୍ରେ ରାଜା ବଳରାମ ଦେବ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ଶିମୁଳି ଗଛତଳ ଖୋଳାଇ ଦେବୀ ସମଲାଇଙ୍କୁ ଆଣି ଯଥାବିଧି ପୂଜାର୍ଚ୍ଚନା କରାଇଲେ । ସମ୍ଭବତଃ ୧୫୭୦ରେ ସମ୍ବଲପୁରରେ ମନ୍ଦିର ତିଆରି ହେଲା ଓ ସମ୍ବଲପୁରକୁ ରାଜଧାନୀ ହେଲା । କାଳକ୍ରମେ ବଳରାମ ଦେବ ରତନପୁରର କଳଚୁରି ରାଜା ଲକ୍ଷ୍ମଣ ସହାୟଙ୍କୁ ଯୁଦ୍ଧରେ ପରାସ୍ତ କରି ସାରଙ୍ଗଡ଼, ରାଗଡ଼, ବରଗଡ଼ ଏବଂ ଶକ୍ତି ଅଧିକାର କଲେ । ପାଟଣାଗଡ଼ ରାଜା ନରସିଂହଦେବ ୧୫୭୫ ମସିହାରେ ସ୍ୱର୍ଗାରୋହଣ କଲେ । ତାଙ୍କ ପୁତ୍ର ହମିର ଦେବ ତିନିବର୍ଷ ରାଜୁତି କରିଥିଲେ । ତାଙ୍କର ମୃତ୍ୟୁ ସମୟକୁ ତାଙ୍କର (ହମିର ଦେବଙ୍କ) ପୁତ୍ର ‘ପ୍ରତାପ ଦେବ’ ବାଳୁତ ଥିଲେ । ତେଣୁ ବଳରାମ ଦେବ ତାଙ୍କର ଜ୍ୟେଷ୍ଠପୁତ୍ର ହୃଦୟନାରାୟଣଙ୍କୁ ‘ପ୍ରତାପ ଦେବ’ଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ପଠାଇଲେ । କିନ୍ତୁ ପ୍ରତାପ ଦେବଙ୍କ ମାତା ଭୁଲ ବୁଝି ଭୟରେ ପୁତ୍ରକୁ ଧରି ସ୍ୱପିତ୍ରାଳୟ ନନ୍ଦପୁରକୁ ପଳାଇଗଲେ । ୧୫୯୫ ମସିହାରେ ବଳରାମ ଦେବଙ୍କ ମୃତ୍ୟୁ ସମ୍ବାଦ ପାଇ ହୃଦୟନାରାୟଣ ପ୍ରତାପ ଦେବଙ୍କୁ ଡକାଇ, ପାଟଣାରାଜ୍ୟର ଶାସନଭାର ତାଙ୍କୁ ସମର୍ପଣ କରି ସମ୍ବଲପୁରର ରାଜା ହେଲେ । ସେହିଦିନଠାରୁ ପାଟଣାଗଡ଼ ସମ୍ବଲପୁରର କରଦ ରାଜ୍ୟ ଭାବରେ ରହିଲା ।
ସମ୍ବଲପୁର ରାଜ୍ୟର ପଞ୍ଚମ ରାଜା ବଳୀୟାର ଦେବ ଥିଲେ ଚୌହାନ ବଂଶର ଶ୍ରେଷ୍ଠ ନରପତି । ଜନସାଧାରଣ ତାଙ୍କୁ ‘ହୀରାଖଣ୍ଡ ଛତ୍ରପତି’ ଆଖ୍ୟା ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ସମ୍ବଲପୁର, ପାଟଣାଗଡ଼, ସୋନପୁର, ବଉଦ, ଆଠମଲ୍ଲିକ, ରେଢ଼ାଖୋଲ, ଖଡ଼ିଆଳ, ବାମଣ୍ଡା, ଗାଂଗପୁର, ବଣାଇ, ରାୟଗଡ଼, ବରଗଡ଼, ସାରଙ୍ଗଡ଼, ଶକ୍ତି, ଫୁଲଝର, ଚନ୍ଦରପୁର, ବିନ୍ଦ୍ରା-ନୂଆଗଡ଼ ଏବଂ ସୁରଗୁଜା ଭଳି ଅଠରଟି ରାଜ୍ୟର ଅଧିପତି ଭାବରେ ସେ ଅଠରଗଡ଼ ମଉଡ଼ଣି ଉପାଧି ମଧ୍ୟ ପ୍ରାପ୍ତ କରିଥିଲେ । ପ୍ରକୃତରେ ଦେଖିବାକୁ ଗଲେ ଏହିସବୁ ଅଞ୍ଚଳ ଦକ୍ଷିଣ କୋଶଳର ଅଂଶବିଶେଷ ଏବଂ ସବୁ ଅଞ୍ଚଳ ନବମ, ଦଶମ ଓ ଏକାଦଶ ଶତାବ୍ଦୀରେ ସୋମବଂଶୀ ନରେଶ ଜନମେଜୟ, ଯଯାତିକେଶରୀ ଏବଂ ଉଦ୍ୟୋତ କେଶରୀଙ୍କ ଶାସନାଧିନ ଥିଲା । ଏଣୁ ବଳୀୟା ଦେବଙ୍କୁକୋସଳାଧିପତି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବଳୀୟାର ଦେବଙ୍କ ସମୟରେ ତାଙ୍କର ଭାଇ ମଦନଗୋପାଳ ସୋନପୁର ଜମିଦାରୀ ପାଇଲେ ତଥା ଅନିରୁଦ୍ଧ ସାଏ ରାଜପୁର-ଖିଣ୍ଡା ଜମିଦାରୀ ଲାଭକଲେ । ଉକ୍ତ ଅନିରୁଦ୍ଧ ସାଏ ହିଁ ସୁରେନ୍ଦ୍ର ସାଏଙ୍କ ପୂର୍ବଜ । ବଳୀୟାର ଦେବଙ୍କ ଜ୍ୟେଷ୍ଠପୁତ୍ର ରତନ ସିଂହ ୧୬୯୮ ମସିହାରେ ରାଜା ହେଲେ ଏବଂ ଭାଇ ବିକ୍ରମ ସିଂହ ବରପାଲି ଓ ଫତେସିଂହ ସରିଆ ଜମିଦାରୀ ଲାଭକଲେ । ଭଟଲି ନିକଟସ୍ଥ ଖର୍ସଲ ଗ୍ରାମକୁ ଜମିଦାରୀ ଭାବରେ ବିଶ୍ୱସ୍ତ ସରଦାର ଉଧମ ସିଂହଙ୍କୁ ଦାନ କରିଥିଲେ ବଳୀୟାର ଦେବ । ଉଧମ ସିଂହଙ୍କ ବଂଶଜ ଦିଆଲ ସରଦାର ପରବର୍ତ୍ତୀ କାଳରେ ସୁରେନ୍ଦ୍ର ସାଏଙ୍କ ଉଲଗୁଲାନରେ ଯୋଗଦେଇ ଫାଶୀ ପାଇଥିଲେ ।
ସମ୍ବଲପୁରର ସପ୍ତମ ଚୌହାନ ରାଜା ଛତ୍ର ସାଏ ଖ୍ରୀ:୧୬୯୧ରେ ସିଂହାସନ ଆରୋହଣ କଲେ ଏବଂ ତାଙ୍କ ଭାଇ ରଘୁନାଥ ସାଏ ପଦମ୍ପୁର ଜମିଦାରୀ ଲାଭକଲେ । ଛତ୍ର ସାଏଙ୍କ ଜ୍ୟେଷ୍ଠପୁତ୍ର ଅଜିତ୍ ସିଂହ ଖ୍ରୀ:୧୭୨୫ରେ ସିଂହାସନ ଆରୋହଣ କଲେ ଏବଂ ତାଙ୍କ ଭାଇ ହରିବଂଶ ସିଂହ ଝାରସୁଗୁଡ଼ା ନିକଟସ୍ଥ ରାମପୁର ଜିମଦାରୀ ଲାଭକଲେ । ୧୮୨୦ ମସିହାରେ ଯେତେବେଳେ ମହାରାଜ ସାଏ ଚୌହାନବଂଶର ୧୨ଶ ରାଜା ହେଲେ, ସେତେବେଳେ ସିଂହାସନ ଉପରେ ବ୍ରିଟିଶମାନେ କର୍ତ୍ତୃତ୍ୱ ଜାହିର କରିସାରିଥିଲେ, କାରଣ ମହାରାଜ ସାଏ ଓ ତାଙ୍କ ପିତା ଜୟନ୍ତ ସିଂହଙ୍କୁ ମରହଟ୍ଟା କବଳରୁ ରକ୍ଷାପୂର୍ବକ ଗାଦୀରେ ବସାଇ ସାରିଥିଲେ । ଖ୍ରୀ.ଅ. ୧୮୨୭ରେ ଅପତ୍ୟହୀନ ମହାରାଜ ସାଏଙ୍କ ମୃତ୍ୟୁ ହେଲା । ସମ୍ବଲପୁରର ଚତୁଥ ରାଜା ମଧୁକର ସାଏଙ୍କ ଦାୟାଦ ଧରମ ସଂହଙ୍କ ଜ୍ୟେଷ୍ଠପୁତ୍ର, ତଥା ରାଜପୁର-ଖିଣ୍ଡା ଜମିଦାର ସୁରେନ୍ଦ୍ର ସାଏ ସମ୍ବଲପୁର ରାଜସିଂହାସନ ନିମନ୍ତେ ତାଙ୍କର ଦାବି ଉତ୍ଥାପନ କଲେ । ସୁରେନ୍ଦ୍ର ସାଏ (ଲୋକମୁଖରେ ସୁନ୍ଦର ସାଏ) ଜଣେ ସ୍ୱାଧୀନଚେତା ବ୍ୟକ୍ତି ଥିଲେ ତଥା ଅନେକ ସୁଗୁଣର ଅଧିକାରୀ ଥିଲେ । ମୋଟ ଉପରେ କହିବାକୁ ଗଲେ ରାଜା ହେବା ପାଇଁ ସୁରେନ୍ଦ୍ର ହିଁ ସୁଯୋଗ୍ୟ ବ୍ୟକ୍ତି ଥିଲେ । ତେବେ ବ୍ରିଟିଶ୍ ସରକାରଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କର ଆବଶ୍ୟକତା ଥିଲା, ଯିଏ କେବଳ ନାମକୁମାତ୍ର ସିଂହାସନ ଆରୋହଣ କରି କାଷ୍ଠପୁତ୍ତଳିକା ବତ୍ ନିର୍ବିାଦରେ ଇଂରେଜ ଆଧିପତ୍ୟ ସ୍ୱୀକାର କରିବ । ତେଣୁ ସୁରେନ୍ଦ୍ରଙ୍କ ଦାବି ଉପେକ୍ଷା କରି ବ୍ରିଟିଶ ସରକାର ମହାରାଜ ସାଏଙ୍କ ବିଧବାରାଣୀ ମୋହନ କୁମାରୀଙ୍କୁ ସମ୍ବଲପୁର ସିଂହାସନରେ ଅଭିଷିକ୍ତ କରି ତାଙ୍କ ନାମରେ ବ୍ରିଟିଶ ରାଜନୈତିକ ପ୍ରତିନିଧି ଦ୍ୱାରା ଶାସନ ଚଳାଇଲେ । ପୁରୁଷ ପ୍ରଧାନ ସମାଜରେ ଜଣେ ସ୍ତ୍ରୀର ରାଜତ୍ୱ ସମସ୍ତ ଗୌନ୍ତିଆ ଓ ଜମିଦାରଙ୍କୁ ଅସନ୍ତୁଷ୍ଟ କଲା । ସମ୍ବଲପୁର ରାଜ୍ୟରେ ସର୍ବତ୍ର ଅରାଜକତା ଦେଖାଗଲା ଏବଂ ତତ୍ ସଙ୍ଗେ ସଙ୍ଗେ ସୁରେନ୍ଦ୍ରଙ୍କ ନେତୃତ୍ୱ ସ୍ୱୀକୃତ ହେଲା । କାଳକ୍ରମେ ଇଂରେଜ ସରକାର ଉପଲବ୍ଧି କଲେ ଯେ, ରାଣୀଙ୍କ ଦ୍ୱାରା ଆଉ ଶାସନ କାର୍ଯ୍ୟ ସମ୍ଭବ ନୁହେଁ, ତେଣୁ ଖ୍ରୀ.ଅ.୧୮୩୩ରେ ରାଣୀଙ୍କୁ ମାସିକ ୧୦୦ଟଙ୍କା ପେନସନ ପ୍ରଦାନପୂର୍ବକ କଟକ ପଠାଇ ଦିଆଗଲା । ତତ୍ପରେ ବରପାଲିର ଜମିଦାର ନାରାୟଣ ସିଂହଙ୍କୁ ସମ୍ବଲପୁର ରାଜଗାଦୀରେ ଅଭିଷିକ୍ତ କରାଗଲା । ନାରାୟଣ ସିଂହ ଜଣେ ଅବୈଧ ସନ୍ତାନ, ମୂର୍ଖ, ଜରାଗ୍ରସ୍ତ ତଥା ଅପୁତ୍ରିକ ଥିଲେ । ଦ୍ୱିତୀୟବାର ଉପେକ୍ଷିତ ହେଲେ ସୁରେନ୍ଦ୍ର । ପିତୃହୀନ ସୁରେନ୍ଦ୍ରଙ୍କ ୬ ଭାଇ ଥିଲେ; ଉଦନ୍ତ, ଧ୍ରୁବ, ଉଜ୍ଜ୍ୱଳ, ଛବିଳ, ଜଜ୍ଜ୍ୱଳ ତଥା ମେଦିନୀ । କାକା ବଳରାମ ସାଏ ଥିଲେ ସୁରେନ୍ଦ୍ରଙ୍କ ହିତୈଷୀ, ଉପଦେଷ୍ଟା ତଥା ପଥପ୍ରଦର୍ଶକ । ଏ ସମସ୍ତଙ୍କୁ ନେଇ ସୁରେନ୍ଦ୍ର ଆରମ୍ଭ କଲେ ଉଲ୍ଗୁଲାନ୍ ବିଦ୍ରୋହ । ଭାଇମାନଙ୍କୁ ବିଭିନ୍ନ ଗୌନ୍ତିଆ ଓ ଜମିଦାରଙ୍କ ନିକଟକୁ ପ୍ରେରଣ କରି ସହାୟତା ଲୋଡ଼ିଲେ । ସ୍ୱୟଂ କିଛି ସୈନ୍ୟ ନେଇ ସମ୍ବଲପୁର ଠାରୁ ୧୦ ମାଇଳ ଦୂରସ୍ଥ ଗୋଟିଏ ସ୍ଥାନରେ ନାରାୟଣ ସିଂହଙ୍କ ପଥରୋଧ କରିବାକୁ ମନସ୍ଥ କଲେ । କିନ୍ତୁ ଯେତେବେଳେ ସେ ଦେଖିଲେ ଯେ ନାରାୟଣ ସିଂହ ଅନେକ ଇଂରେଜ ସୈନ୍ୟଙ୍କ ସହ ଆସୁଛନ୍ତି, ସେ ନିଜର ଯୋଜନା ସ୍ଗିତ ରଖି ତାଙ୍କୁ ବାଟ ଛାଡ଼ିଦେଲେ । ଏହି ଘଟଣାକୁ ସୁରେନ୍ଦ୍ରଙ୍କ ଉଲ୍ଗୁଲାନ୍ର ପୂର୍ବାଭାସ ମନେ କରାଯାଇପାରେ । ସୁରେନ୍ଦ୍ର ଭାଇମାନଙ୍କଠୁ ଖବରପାଇଲେ ଯେ, ଝାରସୁଗୁଡ଼ା ନିକଟସ୍ଥ ରାମପୁର ଜମିଦାର ଦୁର୍ଜୟ ସିଂହ ବ୍ୟତୀତ ସମ୍ବଲପୁର ରାଜ୍ୟର ସମସ୍ତ ଜମିଦାର ଓ ଗୌନ୍ତିଆ ସୁରେନ୍ଦ୍ରଙ୍କ ନେତୃତ୍ୱ ସ୍ୱୀକାର କରିଛନ୍ତି ଏବଂ ସହାୟତା ଦେବାପାଇଁ ଆଗ୍ରହୀ । ଥରେ ବାରପାହାଡ଼ରେ ଥିବା ଡେବ୍ରିଗଡ଼ରେ ସୁରେନ୍ଦ୍ର ଲଖନପୁରର ଗଁଡ଼ ଜମିଦାର ବଳଭଦ୍ର ସିଂଦାଓଙ୍କ ସହ କିଛି ଗୁପ୍ତ ମନ୍ତ୍ରଣା କରୁଥିବା ସମୟରେ ରାଜା ନାରାୟଣ ସିଂହ ସେମାନଙ୍କ ଉପରେ ଆକ୍ରମଣ କରିବାକୁ କିଛି ସିପହାରୀଙ୍କୁ ପଠାଇଲେ । ଆକ୍ରମଣର ସୂଚନା ପ୍ରାପ୍ତି ମାତ୍ରେ ସମସ୍ତଙ୍କୁ ଆର୍ଶ୍ଚଚ୍ୟଚକିତ କରି ସୁରେନ୍ଦ୍ର ଅନ୍ତର୍ଦ୍ଧାନ ହୋଇଗଲେ କିନ୍ତୁ ବଳଭଦ୍ର ଦାଓ ନିହତ ହେଲେ । ଏହି ପ୍ରଥମ ସହିଦଙ୍କ ତିନିପୁତ୍ର ନୀଳାମ୍ବର ସିଂହଦାଓ, କମଲ ସିଂହଦାଓ ଏବଂ ଖଗେଶ୍ୱର ସିଂଦାଓ ପରବର୍ତ୍ତୀ କାଳରେ ସୁରେନ୍ଦ୍ରଙ୍କ ଉଲଗୁଲାନରେ ଯୋଗ ଦେଇଥିଲେ । ସୁରେନ୍ଦ୍ର ହୁଏତ ଜାଣିପାରିଲେ ଯେ, ରାମପୁରର ଦୁର୍ଜୟ ସିଂହ ହିଁ ନାରାୟଣ ସିଂହଙ୍କୁ ଖବର ଦେଇଥିଲେ, ତେଣୁ ସେ ରାମପୁରଗଡ଼ ଆକ୍ରମଣ କରି ଭାଙ୍ଗିଦେଲେ । ଆକ୍ରମଣରେ ଦୁର୍ଜୟ ସିଂହ ଗଡ଼ ପରିତ୍ୟାଗ କରି ହିମଗିରିକୁ ପଳାୟନ କଲେ, କିନ୍ତୁ ତାଙ୍କ ପିତା ଓ ପୁତ୍ର ନିହତ ହେଲେ ।ଅତ୍ୟନ୍ତ ଆଗ୍ରହର ସହ ବ୍ରିଟିଶ ସରକାର ଏଭଳି ଏକ ସୁଯୋଗର ଅପେକ୍ଷାରେ ଥିଲେ । ତେଣୁ ସୁରେନ୍ଦ୍ର, ବଳରାମ ଏବଂ ଉଦନ୍ତଙ୍କୁ ଗିରଫ କରି ଜେଲଦଣ୍ଡ ଦେଲା । ୧୮୪୦ ମସିହାରେ ତିନିଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ହଜିରାବାଗ ଜେଲକୁ ପଠାଇ ଦିଆଗଲା । ଜେଲରେ ବଳରାମ ସାଏଙ୍କ ମୃତ୍ୟୁ ହେଲା ।
ସମ୍ବଲପୁର ରାଜ୍ୟ ସ୍ୱୟଂଶାସିତ ରାଜା ଏବଂ ଜମିଦାରମାନଙ୍କ ଏକ ରାଷ୍ଟ୍ରସଂଘ ଥିଲା । ପରସ୍ପର ମଧ୍ୟରେ ସଂପର୍କ ପାରିବାରିକ ଭଳି । ସେମାନଙ୍କ ବାର୍ଷିକ ଦେୟ ମଧ୍ୟ ନଗଣ୍ୟ ଥିଲା । ଯୁଦ୍ଧ ସମୟରେ ଯତ୍ପରୋନାସ୍ତି ସୈନିକ ପଠାଉଥିଲେ । କୋସଲ ବା ସମ୍ବଲପୁରୀ ଭାଷା, ସମଲେଇଙ୍କ ପ୍ରତି ବିଶ୍ୱାସ ଏବଂ କୋଶଳୀ ଚାରିତ୍ରିକତା ସମ୍ବଲପୁର ରାଜ୍ୟକୁ ସଂଘବଦ୍ଧ କରି ରଖିଥିଲା । ସମ୍ବଲପୁର ରାଜ୍ୟର ରାଜାପ୍ରଜା ସଭିଏଁ ଉଲଗୁଲାନ୍ ପାଇଁ ସୁରେନ୍ଦ୍ର ଙ୍କ ଅକ୍ଷୋରେ ରହିଲେ । ଇତିମଧ୍ୟରେ ଇଂରେଜ ସାର୍ବଭୌମତ୍ୱ ମହାରାଜ ସାଏଙ୍କ ସମୟରୁ ଆରମ୍ଭ ହୋଇସାରିଥିଲା । ମହାରାଜ ସାଏଙ୍କ ଠାରୁ ଆରମ୍ଭ କରି ସମସ୍ତ ଜମିଦାର ଓ ଗୌନ୍ତିଆ ମାନଙ୍କୁ ସନନ୍ଦ ଦେଇ ଇଂରେଜ ସରକାର ସ୍ୱାଧୀନ କରିଥିଲେ । ତେଣୁ ୧୮୪୯ ମସିହାରେ ଯେତେବେଳେ ନିଃସନ୍ତାନ ନାରାୟଣ ସିଂହଙ୍କର ମୃତ୍ୟୁ ହେଲା, ଡେଲହାଉସୀଙ୍କ ରାଜସତ୍ୱ ଲୋପ ନୀତି ବଳରେ ସମ୍ବଲପୁର ରାଜ୍ୟ ଇଂରେଜ ସାମ୍ରାଜ୍ୟରେ ମିଶିଲା ଏବଂ ରାଜା, ଜମିଦାର ଓ ଗୌନ୍ତିଆମାନେ ଇଂରେଜ ସରକାରର ପ୍ରତ୍ୟକ୍ଷ ଶାସନାଧୀନ ହେଲେ । ଅସନ୍ତୋଷ ବଢ଼ିବାକୁ ଲାଗିଲା । ସୁରେନ୍ଦ୍ର ଦୀର୍ଘ ୧୭ବର୍ଷ ହଜାରୀବାଗ ଜେଲରେ ରହିଲେ । ତାଙ୍କ ଅନୁପସ୍ଥିତିରେ ଜମିଦାରମାନେ ଏକତା ବଜାୟ ରଖିଥିଲେ । ପରସ୍ପର ବିଚାରାଲୋଚନା କରି କୌଣସି ଏକ ଚୌହାନ ଜମିଦାରଙ୍କୁ ସମ୍ବଲପୁରର ଶାସନଭାର ଦେବାକୁ ଡେପୁଟି କମିଶନର କେଡ଼େନହେଡଙ୍କ ଜମରିଆରେ ମକିଶନର କ୍ରଫୋର୍ଡ଼ଙ୍କ ପାଖକୁ ଦରଖାସ୍ତ ପଠାଉଥିଲେ । ଇଂରେଜ ସରକାର ଏହିସବୁ ଦରଖାସ୍ତ ଦ୍ୱାରା ଖୁବ୍ ବ୍ୟତିବ୍ରସ୍ତ ହୋଇପଡ଼ିଲେ । ସାରଙ୍ଗଡ଼ ରାଜାଙ୍କ ଦରଖାସ୍ତକୁ ଫେରାଇ ଦେଇ ଭବିଷ୍ୟତରେ ତାର ପୁନରାବୃତ୍ତି ନ କରିବାକୁ ତାଗିଦ୍ କଲେ ।
୧୮୫୭ ର ସିପାହୀ ବିଦ୍ରୋହ ସମୟରେ ସିପାହୀମାନେ ହଜାରୀ ବାଗ ଜେଲର କବାଟ ଝରକା ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ଏହି ସୁଯୋଗରେ ସୁରେନ୍ଦ୍ର ଭୋଇ ଉଦନ୍ତଙ୍କ ସହ ସମ୍ବଲପୁର ଅଭିମୁଖେ ପଳାୟନ କଲେ । ସୁରେନ୍ଦ୍ରଙ୍କ ଆଗମନ ସମ୍ବାଦ ଅଚିରେ ସମଗ୍ର ସମ୍ବଲପୁରରେ ବ୍ୟାପିଗଲା । ମଧ୍ୟ ସେପ୍ଟେମ୍ବରରେ ସୁରେନ୍ଦ୍ର ସମ୍ବଲପୁରରେ ପହଞ୍ଚିବା ପରେ ଜମିଦାର, ଗୌନ୍ତିଆ, ବିଦ୍ରୋହୀ ଏବଂ ସାଧାରଣଜନତା ସମସ୍ତେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କଲେ । ୧୩.୧୦.୧୮୫୭ଦିନ ଏକ ବିରାଟ ପଟୁଆରରେ ସୁରେନ୍ଦ୍ର ତାଙ୍କର ୨ଟି ଦାବି ଉତ୍ଥାପନ ପାଇଁ ଇଂରେଜ ସାହେବ କେପ୍ଟେନ୍ ଲିଙ୍କ ନିକଟକୁ ଗଲେ । ପ୍ରଥମତଃ ତାଙ୍କର ଓ ଭାଇ ଉଦନ୍ତର ଆଜୀବନ କାରାଦଣ୍ଡ ଖାରଜ୍ କରିବା ଏବଂ ସୁରେନ୍ଦ୍ରଙ୍କୁ ସମ୍ବଲପୁରର ରାଜଗାଦୀ ପ୍ରଦାନ କରିବା । ଲି ସାହେବ ସୁରେନ୍ଦ୍ରଙ୍କ ଅନୁଚରମାନଙ୍କୁ ଦେଖି ହତୋତ୍ସାହିତ ହୋଇପଡ଼ିଲେ । ସେ ଜିଦ୍ ଧରିଲେ ଯେ ସୁରେନ୍ଦ୍ର ନିଜ ଅନୁଚରଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦିଅନ୍ତ୍ୁ ତଥା ଅନ୍ୟ ସରକାରୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ସମ୍ବଲପୁରରେ ରହନ୍ତୁ । ସୁରେନ୍ଦ୍ର ମାନିନେଲେ । କହିବାବାହୁଲ୍ୟ ବୀର ସୁରେନ୍ଦ୍ର ସମ୍ବଲପୁରରେ ଗୃହବନ୍ଦୀ ହେଲେ । ଯେତେବେଳେ ସେ ଜାଣିବାକୁ ପାଇଲେ ଆହୁରି ଅଧିକ ସଂଖ୍ୟକ ସୈନ୍ୟ ସମ୍ବଲପୁର ଆସୁଛନ୍ତି, ସେତେବେଳେ ସେ ଗୃହରୁ ପଳାୟନ କଲେ ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ।
ସୁରେନ୍ଦ୍ର ତାଙ୍କର ଅନୁଚରମାନଙ୍କୁ ବିଭିନ୍ନ ଦଳରେ ବିଭକ୍ତ କରି ଭିନ୍ନ ଭିନ୍ନ ସ୍ଥାନରେ ରଖିଲେ ଏବଂ ସମୟ ସମୟରେ ସେହି ସ୍ଥାନମାନଙ୍କୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ଉଦନ୍ତଙ୍କ ନେତୃତ୍ୱରେ ଗୋଟିଏ ଦଳ ଝାରଘାଟିରେ ହଜାରୀବାଗ ଓ ରାଂଚିରୁ ଆସୁଥିବା ସୈନ୍ୟଙ୍କୁ ବାଧା ଦେବା ପାଇଁ ରହିଥିଲେ । ଲୋଇସିଂହାର ଜମିଦାରଙ୍କ ନେତୃତ୍ୱରେ ଦଳେ ସୈନ୍ୟ କଟକରୁ ଆସୁଥିବା ଇଂରେଜସେନାଙ୍କୁ ରୋକିବାକୁ ବଡ଼ଘାଟିରେ ରହିଲେ । ରାୟପୁରରୁ ଆସୁଥିବା ଇଂରେଜ ସେନାଙ୍କ ମୁକାବିଲା ନିମନ୍ତେ ଘେଁସ ଜମିଦାର ମାଧୋ ସିଂହ ନିଜ ପୁତ୍ରମାନଙ୍କ ସହ ସିଂଘୋଡ଼ା ଘାଟିରେ ଜଗିରହିଲେ । ରେଙ୍ଗାଲି ନିକଟସ୍ଥ ‘ମୌଲା ଭନ୍ଜା’ ଗିରିପଥରେ ଦଳେ ସୈନ୍ୟ ବଳଭଦ୍ର ଦାଓଙ୍କ ତିନିପୁତ୍ର ଡେବ୍ରିଗଡ଼ର ସୁରକ୍ଷା ଦାୟିତ୍ୱରେ ରହିଲେ । କେତେ ସଂଗଠିତ ଏବଂ ଯୋଜନାବଦ୍ଧ ଥିଲା ସୁରେନ୍ଦ୍ରଙ୍କ ରଣକୌଶଳ ।
ବାରପାହାଡ଼ ପାଦଦେଶରେ ଥିବା ପାହାଡ଼ସିରଗିଡ଼ା ଗ୍ରାମ ସୁରେନ୍ଦ୍ରଙ୍କ ଏକ ମୁଖ୍ୟ ଘାଟିଥିଲା । ଏହି ଆଦିବାସୀବହୁଳ ଗ୍ରାମଟି ବର୍ତ୍ତମାନ ଅତାବିରା ତହସିଲ ତଥା ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅଟେ । ସୁରେନ୍ଦ୍ର ସାଏଙ୍କ ସମୟରେ ଏଠାକାର ଜମିଦାର ଥିଲେ ଗଁଡ଼ ସଂପ୍ରଦାୟର ଜନାର୍ଦ୍ଦନ ସିଂହ । ଆଦିବାସୀବହୁଳ ଗ୍ରାମମାନଙ୍କ ନାମକରଣକୁ ଲକ୍ଷ କଲେ ଜଣାଯାଏ ଯେ, ସେ ଗ୍ରାମର ମୁଖ୍ୟ ଜାତିର ନାମାନୁସାରେ ସେହି ଗ୍ରାମର ନାମକରଣ ହୋଇଥାଏ । ପାହାଡ଼ସିର୍ଗିଡ଼ାରେ ପାହାଡ଼ ଅର୍ଥାତ୍ ପାହାଡ଼ ନିକଟସ୍ଥ ସିର୍ ଅର୍ଥାତ୍ ଆଦିବାସୀ ଜାତି ବିଶେଷ ଏବଂ ଗିଡ଼ା ଅର୍ଥାତ୍ ଗୁଡ଼ା (ଘର) । ସାମଗ୍ରିକ ଭାବରେ ଏହାର ଆକ୍ଷରିକ ଅର୍ଥ ହେବ ପାହାଡ଼ ନିକଟସ୍ଥ ସିର୍ମାନଙ୍କର ଘର । ସେପରି କ୍ରମରେ ଝାରସୁଗୁଡ଼ା (ସିର୍-ସୁର୍-ସୁ) ମୁନିଗୁଡ଼ା, ମୁଖୀଗୁଡ଼ା, ଲୁଇସିରା (ଲୁଇ+ସିର୍), ତାଲ୍ସିର୍ଗିଡ଼ା, ଜଟଲା ସିର୍ଗିଡ଼ା ଇତ୍ୟାଦି । ପୂର୍ବରୁ ଏ ସମସ୍ତ ଗ୍ରାମର ନାମ ଗୁଡ଼ା ଥିଲା । କ୍ରମେ ଲୋକମୁଖରେ ଅପଭ୍ରଂଶ ହୋଇ ଗିଡ଼ା ହୋଇଅଛି ।
ବରପାଲି ନିକଟସ୍ଥ ପାଟକୁଲୁଣ୍ଡା ଗାଁର ଜଣେ ଗଁଡ଼ ଜମିଦାର ସମ୍ବଲପୁର ରାଜାଙ୍କ ଏକାନ୍ତ ଅନୁଗତ ଥିଲେ । ପ୍ରତ୍ୟହ ସମ୍ବଲପୁର ଯାଇ ରାଜାଙ୍କ ଦର୍ଶନ ସାରି ସନ୍ଧ୍ୟାକୁ ଫେରୁଥିଲେ । ତାଙ୍କର ଏତାଦୃଶ ଆନୁଗତ୍ୟରେ ପ୍ରୀତ ହୋଇ ସମ୍ବଲପୁର ରାଜା ୫ଟି ଗ୍ରାମ- ପାହାଡ଼ସିର୍ଗିଡ଼ା, ଅମଲିପାଲି, ରେଙ୍ଗାଲି, ରୁଝେନ୍ମାଲ ଏବଂ ଆମଝଏରକୁ ପାହାଡ଼ସିର୍ଗିଡ଼ା ଜମିଦାରୀରେ ପରିଣତ କରି ତାଙ୍କୁ ପ୍ରଦାନ କରିଥିଲେ । ସେ ବା ତାଙ୍କର ଭାଇ,ବନ୍ଧୁ କେହି ପାହାଡ଼ସିର୍ଗିଡ଼ାର ପ୍ରଥମ ଜମିଦାର ହୋଇଥିବେ । ତେବେ ୧୮୩୦ ମସିହା ମାର୍ଚ୍ଚ ୫ ତାରିଖରେ ପାହାଡ଼ସିରଗିଡ଼ାର ତଦାନୀନ୍ତନ ଜମିଦାର ତ୍ରିଲୋଚନ ସିଂହ ରାଣୀ ମୋହନକୁମାରୀଙ୍କ ଠାରୁ ତାଙ୍କ ଜମିଦାରୀର ପଟ୍ଟା ପାଇଥିଲେ । ଏହି ଜମିଦାରୀର କ୍ଷେତ୍ରଫଳ ଥିଲା ୧୭ ସ୍କୁୟାର ମାଇଲ । ସମ୍ବଲପୁର ପାଶ୍ୱର୍ରୁ ଡ଼େବ୍ରିଗଡ଼ ଓ ବାରପାହାଡ଼ର ଅନ୍ୟସ୍ଥାନକୁ ଯିବା ପାଇଁ ପାହାଡ଼ସିର୍ଗିଡ଼ା ମୁଖ୍ୟଦ୍ୱାର ଅଟେ ।
ବିଭିନ୍ନ ତଥ୍ୟରୁ ଜଣାପଡ଼େ ଗଁଡ଼ମାନେ ସାତଶହ ବର୍ଷ ପୂର୍ବେ ଗଡ଼ ମଣ୍ଡଳରୁ (ମଧ୍ୟପ୍ରଦେଶରୁ) ଆସିଥିବା ଦ୍ରାବିଡ଼ ଜନଜାତି ଅଟନ୍ତି । ଏମାନଙ୍କ ମାତୃଭାଷାରେ ଅନେକ ଦକ୍ଷିଣ ଭାରତୀୟ ଭାଷାର ଶବ୍ଦ ରହିଛି । ମଧ୍ୟଯୁଗୀୟ ଜମିଦାରୀ ସଂରଚନାରେ ରଜା ତଥା ଜମିଦାରମାନେ ଜନଜାତିମାନଙ୍କୁ ତାଙ୍କର ସୈନିକ ସେବା ପାଇଁ ଜମିଦାନ କରୁଥିଲେ ।
ଗଁଡ଼ମାନଙ୍କ ଭିତରେ ତିନୋଟି ସଂପ୍ରଦାୟ ଦେଖିବାକୁ ମିଳେ । ଯଥା ରାଜଗଁଡ଼, ଦୁରିଆ ଗଁଡ଼ ଓ ଧୋକର ଗଁଡ଼ । ରାଜା, ଜମିଦାର ଓ ଗୌନ୍ତିଆମାନଙ୍କ ବଂଶଧରମାନେ ରାଜଗଁଡ଼ । ସମ୍ବଲପୁର ରାଜ୍ୟର ଜମିଦାରମାନେ ନିଜକୁ ରାଜଗଁଡ଼ ମନେ କରନ୍ତି ଏବଂ ଅନ୍ୟ ଗଁଡ଼ମାନଙ୍କୁ ଧୁର (ଦୁର ବା ଦୁରିଆ) ମନେ କରନ୍ତି । ବଡ଼ଦେଓ, ଦୁଲ୍ହା ଦେଓ ଏବଂ ମାଁ ସମଲେଇ ସେମାନଙ୍କ ଆରାଧ୍ୟ ଦେବ ଓ ଦେବୀ ଅଟନ୍ତି ।
ପାହାଡ଼ଶ୍ରୀଗିଡ଼ା ଜମିଦାରଙ୍କ ଗଡ଼ ସଂରଚନା ଉଚ୍ଚକୋଟୀର ଥିଲା । ପଟନିଗଡ଼, ରାନୀଗୁମ୍ଫା, ରାଜାବସା, ଦୁଆନ୍ଡ଼େରା ଯୁଦ୍ଧ ସମୟରେ ଆଶ୍ରୟସ୍ଥଳ ଭାବରେ ବ୍ୟବହୃତ ହେଉଥିଲା । ଏସବୁର ସୁରକ୍ଷା ନିମନ୍ତେ ସବୁଠୁ ଆଗରେ ଥିଲା ମୋର୍ଚ୍ଚବଂଧା । ମୋର୍ଚ୍ଚବଂଧା ସମ୍ମୁଖରେ ୭ଫୁଟ ଉଚ୍ଚ ତଥା ୩୦ ଫୁଟ୍ ଲମ୍ବର ଏକ ବିରାଟ ଏବଂ ଶକ୍ତ କାନ୍ଥ ଥିଲା । ସୈନିକମାନେ ମୋର୍ଚ୍ଚାବଂଧା ମଧ୍ୟରୁ ସମ୍ମୁଖସ୍ଥ ବିସ୍ତୀର୍ଣ୍ଣ ସମତଳ ପ୍ରାନ୍ତରକୁ ସ୍ପଷ୍ଟଭାବରେ ଦେଖିପାରୁଥିଲେ । ସୁରେନ୍ଦ୍ର ଯେତେବେଳେ ୧୮୫୭ରେ ହଜାରୀବାଗରୁ ମୁକୁଳି ସମ୍ବଲପୁର ପହଞ୍ଚିଲେ ମଚିଦା, ଲଇଡ଼ା, ଲୋଇସିଂହା ପ୍ରଭୃତିର ଜମିଦାରଙ୍କ ସହ ପାହାଡ଼ସିରଗିଡ଼ାର ଜମିଦାର ମଧ୍ୟ ତାଙ୍କ ସହ, ତାଙ୍କ ଉଲଗୁଲାନ୍ରେ ଯାଗଦେଲେ । ୧୮୬୨ ପର୍ଯ୍ୟନ୍ତ ଚାଲିଥିବା ଏହି ଉଲଗୁଲାନ୍ ଯଦିଓ ସଫଳ ହେଲା ନାହି, ତଥାପି ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହା ଏକ ସ୍ମରଣୀୟ ଅଧ୍ୟାୟ ଭାବରେ ଲିପିବଦ୍ଧ ହୋଇ ରହିଗଲା ।
୧୯୫୮ ମସିହା ଫେବ୍ରୁଆରୀ ୧୨ ତାରିଖରେ ପାହାଡ଼ସିର୍ଗିଡ଼ା ଠାରେ ଏକ ସ୍ମରଣୀୟ ଯୁଦ୍ଧ ହୋଇଥିଲା । କେପ୍ଟେନ୍ ଉଡ୍ବ୍ରିଜ ଏବଂ କେପ୍ଟେନ୍ ଉଡ୍ ପାହାଡ଼ସିର୍ଗିଡ଼ା ଆକ୍ରମଣ କଲେ । ଜମିଦାର ଜନାର୍ଦ୍ଦନ ସିଂହ ଏବଂ ତାଙ୍କ ଭାଇମାନେ; ଖଗେଶ୍ୱର ସିଂହ (ନହ୍ନା ସିଂହ) ଏବଂ ଫତେ ସିଂହ ଅତ୍ୟନ୍ତ ବୀରତ୍ୱର ସହ ଲଢ଼େଇ କରିଥିଲେ । ଏହି ଯୁଦ୍ଧରେ କେପ୍ଟେନ୍ ଉଦ୍ବ୍ରିଜ ନିହତ ହେଲେ ଏବଂ ଇଂରେଜ ସୈନ୍ୟମାନେ ପଳାୟନ କଲେ । ଦୁଇଦିନ ପରେ ଏନ୍ସିନ୍ ୱାରଲୋ ଉଡ଼ବ୍ରିଜ୍ଙ୍କ ମୁଣ୍ଡୀନ ନଗ୍ନ ଶରୀର ଉଦ୍ଧାର କଲେ । ୧୮୬୨ ମସିହାର ପୂର୍ବଭାଗରେ ଜନାର୍ଦ୍ଦନ ସିଂହ ମୃତ୍ୟୁବରଣ କଲେ ।

Skip to toolbar