Breaking News
Home / Media / Science of Politics : By Surendra Hota

Science of Politics : By Surendra Hota

ରାଜନୈତିକ ରମ୍ୟରଚନା

ରାଜନୀତି କେତେ ବିଜ୍ଞାନ ସମ୍ମତ?

(ସୁରେନ୍ଦ୍ର କୁମାର ହୋତା)– ରାଜନୀତି ସହ ଜଡ଼ିତ ଜ୍ଞାନକୁ ‘ରାଜନୀତି ବିଜ୍ଞାନ’ କୁହାଯାଉଛି । ତା’ହେଲେ କ’ଣ ବାସ୍ତବରେ ରାଜନୀତି ସହ ବିଜ୍ଞାନ ଅଙ୍ଗାଙ୍ଗୀ ରୂପେ ଜଡ଼ିତ । ରାଜନୀତିର ସଫଳତା ପଛରେ କଣ କିଛି ବୈଜ୍ଞାନିକ ସୁତ୍ର ରହିଛି? ଓଡ଼ିଶା ସମେତ ସମଗ୍ର ଦେଶରେ ଏବେ ନିର୍ବାଚନୀ ପରିବେଷଟାଏ ସୃଷ୍ଟି ହୋଇଥିବା ସମୟରେ ଏ ପ୍ରଶ୍ନର ପ୍ରାସଙ୍ଗିକତା ସ୍ୱାଭାବିକ ।ନେତା ଚାହୁଛନ୍ତି ଏଭଳି କିଛି ବୈଜ୍ଞାନିକ ଫର୍ମୁଲା ଯାହାକୁ ଆଧାର କରି ନିର୍ବାଚନୀ ବୈତରଣୀ ପାରି କରାଯାଇ ପାରିବ ।କେବଳ ନେତା କି ଭୋଟର ନୁହନ୍ତି ବୈଜ୍ଞାନିକ ମାନେ ମଧ୍ୟ ଏହାର ସନ୍ଧାନରେ ରହିଥିôବା ଜଣାପଡ଼ିଛି । ନେତାଙ୍କ ପ୍ରକୃତ ଶକ୍ତି ହେଉଛନ୍ତି ତାଙ୍କର ଅନୁଗାମୀ । ରାମାୟଣରେ ମଧ୍ୟ ବର୍ଣ୍ଣିତ ଅଛି ‘ରାମ’ଙ୍କ ଠାରୁ ‘ରାମ ନାମ’ର ଶକ୍ତି ଅଧିକ ।ଏଣୁ ରାମ ନାମ ଧରି ଭକ୍ତ ହନୁମାନ ବହୁ ଅସାଧ୍ୟ କାର୍ଯ୍ୟ ସିଦ୍ଧି କରିପାରିଥିଲେ ।ଏ ଦୃଷ୍ଟିରୁ ନେତାଙ୍କ ଡାରୁ ତାଙ୍କ ଅନୁଗାମୀଙ୍କ ପ୍ରଭାବ ଅଧିକ ବୋଲି କୁହାଯାଇ ପାରିବ । ଯେଉଁ ନେତାଙ୍କ ପଛରେ ଅନୁଗାମୀଙ୍କ ସଂଖ୍ୟା ଯେତେ ଅଧିକ ତାଙ୍କୁ ସେତେ ବଡ଼ ସଫଳ ନେତା ରୂପେ ବିବେଚନା କରାଯାଇ ପାରିବ । ରାଜନୀତିରେ ନେତା, ଅନୁଗାମୀଙ୍କ ସମ୍ପର୍କକୁ ବୈବାହିକ ସମ୍ପର୍କ ସହ ତୁଲନା କରାଯାଇ ପାରେ । ପରିବାରରେ ଗୃହର ମୂରବି ଯେଭଳି ପରିବାର ଭିତରେ ଏକ ଶକ୍ତ ସାମାଜିକ ବନ୍ଧନ ରକ୍ଷା କରିଥାଏ ଠିକ ସେହିପରି ନେତା ମଧ୍ୟ ପାର୍ଟି ଚଲାଇବାକୁ ବିଭିନ୍ନ ପ୍ରକାର ବନ୍ଧନର ଆଶ୍ରା ନେବାର ପ୍ରୟାସ କରିଥାନ୍ତି । ବିଜ୍ଞାନ କ୍ଷେତ୍ରରେ ଅଣୁ ଭିତରେ ପ୍ରୋଟନ ଓ ନ୍ୟିୁକ୍ଳିୟସର ଚର୍ତୁପାଶ୍ୱର୍ରେ ଇଲେକଟ୍ରନ ପରି ଚରିତ୍ର ରହିଥାଏ ।ସେମାନେ ନିର୍ଦ୍ଧାରିତ କକ୍ଷପଥରେ ଘୁରିବୁଲୁଥାନ୍ତି ଠିକ ସେହିପରି ପ୍ରମୁଖ ନେତାଙ୍କ ନିକଟରେ ତାଙ୍କ ରୁଚି ଅନୁଯାୟୀ ଅନୁରକ୍ତ ଗଣମଧ୍ୟମ ଘୁରୁଥାନ୍ତି ।ପ୍ରୋଟନ ପରି ଲୋକଙ୍କ ଚିନ୍ତାଧାରା ସୃଜନଶୀଳ ବା ଧନାତ୍ମକ ହୋଇଥାଏ ସେମାନେ ନିଉକ୍ଳିୟସରେ ସ୍ଥାନଲାଭ କରି ନୀତି ନିର୍ଦ୍ଧାରଣରେ ସହାୟକ ହୋଇଥାନ୍ତି । ତେବେ ଯେଉଁ ଅନୁରକ୍ତଙ୍କ ଚିନ୍ତାଧାରା ଇଲେକଟ୍ରନ ପରି ନାକାରାତ୍ମକ ବା ବିଯୁ୍‍ତାତ୍ମକ, ଏମାନେ ସଦାସର୍ବଦା ଇଲେକଟ୍ରନ ପରି ଖୁବ ପ୍ରତିକ୍ରିୟାଶୀଳ ଏବଂ ଅସ୍ଥିର ।ଏହା ସତ୍ତେ୍ୱ ସହଜାତ ପ୍ରବୃତ୍ତି ଦୃଷ୍ଟିରୁ ସେମାନେ ନେତାଙ୍କ ଚର୍ତୁପାଶ୍ୱର୍ରେ ଘୁରିବୁଲିଥାନ୍ତି । ଏହା ବ୍ୟତିତ ଚିରିତ୍ରିକ ଦୃଷ୍ଟିରୁ ଆଉଏକ ଗୋଷ୍ଠି ଅଛନ୍ତି ସେମାନେ ନିଉଟ୍ରନ ପରି ସ୍ଥିତପ୍ରଜ୍ଞ ।ଅଣୁ ଭିତରେ ନିଉଟ୍ରନର ଭୂମିକା ପରି ଦଳକୁ ଋଣାତ୍ମକ ଓ ଧନାତ୍ମକ ଶକ୍ତିକୁ ସ୍ଥିର ରଖିବାରେ ସେମାନଙ୍କର ବିଶେଷ ଭୁମିକା ରହିଥାଏ । ଆଣିବିକ ବିଜ୍ଞାନ ପରି ତିନି ବର୍ଗର ଚରିତ୍ରକୁ ନେଇ ଦଳର ପ୍ରାରମ୍ଭିକ ସଂରଚନା ସୃଷ୍ଟି ହୋଇଥାଏ ।ଯେଉଁ କ୍ଷେତ୍ରରେ ନିଉକ୍ଳିୟସଟି ଯେତେ ସୁଦୃଢ଼ ସେ କ୍ଷତ୍ରରେ ତାର ପରିବେଷ୍ଟିନୀରେ ଘୁର୍ଣ୍ଣୟମାନ ଇଲେକଟ୍ରନ ମାନଙ୍କୁ ଧରି ରଖିବାରେ ସେତେ ସକ୍ଷମ ହୋଇଥାନ୍ତି । ସ୍ୱାଭାବିକ ବାତାବରଣରେ ଏହା ବିଜ୍ଞାନ ସମ୍ମତ ରୂପେ କାର୍ଯ୍ୟକରିଥାଏ ।ମାତ୍ର ବାହ୍ୟ ଚାପ କିମ୍ବା ତାପ ଯୋଗୁଁ ଏହାର ବ୍ୟବହାରରେ ପରିବର୍ତ୍ତନ ଘଟିଥାଏ । ନିଉକ୍ଳିୟସର ଚର୍ତୁପାଶ୍ୱର୍ରେ ଘୁରୁଥିବା ଇଲେକଟ୍ରନ ଗୁଡ଼ିକର ଋୁଣାତ୍ମକ ହୋଇଥିବା ଯୋଗୁଁ ସହଜାତ ପ୍ରବ୍ୟତ୍ତି ଯୋଗୁଁ ଧନ ପ୍ରତି ଆକର୍ଷଣ ରହିଥାଏ । ଠିକ ସେହିପରି ନିର୍ବାଚନୀ ପରି ଆୱହାୱା ସମୟରେ ବାହ୍ୟ ଚକ୍ରରେ ଘୁରିବୁଲୁ ଥିବା ଇଲେକଟ୍ରନ ମାନଙ୍କ ପରି ପ୍ରତିକ୍ରିୟାଶୀଳ ଅନୁରକ୍ତ ଗଣ ଅନ୍ୟର ଧାନାତ୍ମକ ଶକ୍ତିର ପ୍ରଭାବରେ ନିଜର ପ୍ରକୃତି ଯୋଗୁଁ ଚିରିତ୍ରିକ ପରିବର୍ତ୍ତନ ଘଟାଇ ମୁଳ ଦଳ ପରିତ୍ୟାଗ କରିଥାନ୍ତି । କିମ୍ବା ନ୍ୟୁକ୍ଳିୟସର ପ୍ରଭାବ ଯୋଗୁଁ ସମ ଭାବାପନ୍ନ ଚରିତ୍ର ଗୁଡ଼ିକ ପରସ୍ପର ନିକଟତର ହୋଇ ଏକ ସୁଦୃଢ଼ ଦଳ ସୃଷ୍ଟିକରିବାରେ ସହାୟକ ହୋଇଥାନ୍ତି ।ଅଣୁର ବିଭିନ୍ନ ଉପଦାନ ପରି ରାଜନୈତିକ ଦଳର ପ୍ରତ୍ୟେକ ସଦସ୍ୟର ଚାରିତ୍ରିକ ଭିନ୍ନତା ରହିଥାଏ ।ଅନେକ ସମୟରେ ଦଳକୁ ଅଧିକ ପ୍ରତିକ୍ରିୟାଶୀଳ ଓ ଚଳଚଞ୍ଚଳ କରିବାକୁ ରସାୟନ ବିଜ୍ଞାନର ଅଣୁଘୋଟକ (କାଟାଲିଷ୍ଟ) ପରି ତୃତୀୟ ଶକ୍ତିର ଆବଶ୍ୟକ ପଡ଼ିଥାଏ ।ଏହି କାରଣରୁ ରାଜନୈତିକ ଦଳ ଗୁଡ଼ିକରେ ବାହ୍ୟ ପ୍ରଭାବଶାଳୀ ବ୍ୟକ୍ତିର ଯୋଗଦାନ କରାଯାଇ ଥାଏ ।ଏମାନଙ୍କ ମଧ୍ୟ ଚାରିତ୍ରିକ ଭିନ୍ନତା ରହିଥାଏ ।ଯଥା କାହାର ଯୋଗଦାନ ଫଳରେ ଦଳରେ ଅସ୍ଥିରତା ସୃଷ୍ଟି ହୋଇ ବିଭାଜନ ଆଡ଼କୁ ଯାଉଥିବା ସମୟରେ ଆଉକିଛି ବ୍ୟକ୍ତିଙ୍କ ଯୋଗଦାନ ଦ୍ୱାରା ପରସ୍ପର ମଧ୍ୟରେ ନିବିଡ଼ତା ବୃଦ୍ଧି ପାଇଥାଏ ଏବଂ ଦଳ ସକ୍ରିୟ ହୋଇଥାଏ । ତେବେ ଏହି ପ୍ରକ୍ରିୟା ମଧ୍ୟ ସାମୟିକ । କେମିକାଲ ଇକ୍ୟୁଲିବ୍ରିୟମ ପରି ରାଜନୀତି କ୍ଷେତ୍ରରେ ମଧ୍ୟ ପୋଲିଟିକାଲ ଇକ୍ୟୁଲିବ୍ରିୟମ ରହିଛି । ଦୀର୍ଘଦିନ ଧରି ପ୍ରତିକ୍ରିୟାହୀନ ଅବସ୍ଥାରେ ରହିବା ଦ୍ୱାରା ଦଳରେ ସ୍ଥାଣୁତା ଦେଖା ଯାଇଥାଏ । ଏଣୁ ଏହି ଦୃଷ୍ଟିରୁ ବିଚାର କରାଗଲେ ରାଜନୀତି କିମ୍ବା ରାଜନୈତିକ ସଂରଚନା ନିଶ୍ଚିତ ରୂପେ ବିଜ୍ଞାନ ସମ୍ମତ ବୋଲି କୁହାଯାଇ ପାରିବ ।

ଭୋଟ ରାଜନୀତି ଓ ପୋଲିଟିକାଲ ମାଇଣ୍ଡ ଚେଞ୍ଜ!

ଭୋଟ ରାଜନୀତି ସହ ଭୋଟରଙ୍କ ମସ୍ତିଷ୍କର ସମ୍ପର୍କ ରହିଛି ।ଏଣୁ କୌଣସି ଦଳର ରାଜନୈତିକ ଏଜେଣ୍ଡା କାହାରିକୁ ଭଲ ଲାଗୁଥିବା ସମୟରେ ଅନ୍ୟ କାହାରିକୁ ତାହା ପସନ୍ଦ ହେଉନାହିଁ । କାହାରିକୁ କିଛି ପସନ୍ଦ ଆସିବା ବା ନାପସନ୍ଦ ହେବା ର ମୂଳ ହେଉଛି ମଣିଷର ମସ୍ତିଷ୍କ ।ଏଣୁ ରାଜନୀତିର ଯେତେକ ପୋଲିଟିକାଲ ଏଜେଣ୍ଡା ବାସ୍ତବରେ ଭୋଟରକୁ ପ୍ରଭାବିତ କରିବା ସହ ପରୋକ୍ଷରେ ତାର ମସ୍ତିଷ୍କକୁ ପ୍ରଲୋଭିତ କରିବାର ପ୍ରୟାସ ଅଟେ । ଏଣୁ ମଣିଷର ମସ୍ତିଷ୍କକୁ ନିୟନ୍ତ୍ରିତ କରିବା କିମ୍ବା ପରୋକ୍ଷରେ ପ୍ରଲୋଭିତ କରି ନିଜର ମନପସନ୍ଦ ନିର୍ଣ୍ଣୟ ନେବାପାଇଁ ନିର୍ଦ୍ଦେଶ ଦିଆଯାଇ ପାରିଲେ ଏ ବ୍ୟୟବହୁଲ ନିର୍ବାଚନୀ ପ୍ରଚାରର ଆଉ କୌଣସି ଆବଶ୍ୟକତା ରହନ୍ତା ନାହିଁ । ଏଭଳି କିଛି ବୈଜ୍ଞାନିକ ଉପାୟ ଯଦି ବାହାରି ପାରନ୍ତା ତାହେଲେ ନିର୍ବାଚନରେ କଳାଧନର ଉପଯୋଗର ଆବଶ୍ୟକତା ନଥାନ୍ତା ।ମାତ୍ର ଦୁର୍ଭାଗ୍ୟ ଏ ପର୍ଯ୍ୟନ୍ତ କିଛି ବୈଜ୍ଞାନିକ ଉପାୟ ବାହାରି ନାହିଁ । ଅବଶ୍ୟ ସାଇଣ୍ଟିଫିକ ଜର୍ଣ୍ଣାଲ ଅନୁଯାୟୀ ଦକ୍ଷିଣ କାଲିଫର୍ଣ୍ଣିଆ ୟୁନିଭାରସିଟିର ‘ଜୋନସ କପଲାନ’ ନାମକ ବୈଜ୍ଞ।।ନିକ ତାଙ୍କ ସହଯୋଗୀ ମାନଙ୍କୁ ନେଇ ମଣିଷ ମସ୍ତିଷ୍କକୁ ନିର୍ଦ୍ଦେଶ ଦେଇ ସେମାନେ ପୁର୍ବରୁ ନେଇଥିବା ସିଦ୍ଧାନ୍ତକୁ କିଭଳି ପରିବର୍ତ୍ତିତ କରାଯାଇ ପାରିବ ସେ ନେଇ ଉଦ୍ୟମ କରିଥିଲେ ।ଏଥି ସକାଶେ ସେମାନେ ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ତାଙ୍କ ପରୀକ୍ଷା ଆରମ୍ଭ କରିଥିଲେ । ଏହି ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ କିଛି ଜଣ ଆମେରିକାର ପ୍ରତିରକ୍ଷା ବଜେଟ ହ୍ରାସ କରିବା ଉଚିତ ବୋଲି ପୁର୍ବରୁ ଦୃଢ଼ୋକ୍ତ୍‍ି ପ୍ରକାଶ କରିଆସୁଥିଲେ । ତେବେ ପରୀକ୍ଷଣ ସମୟରେ ଏମ୍‍ଆରଆଇ ସ୍କେନର ସହାୟତାରେ ସେମାନଙ୍କୁ ମସ୍ତିଷ୍କର ଗତିବିଧିକୁ ନିରୀକ୍ଷଣ କରାଯାଉଥିଲା ଏବଂ ତାଙ୍କୁ ଯେତେବେଳେ ତାଙ୍କୁ ଅତିରଞ୍ଜିତ ତଥ୍ୟ ଦେଇ କୁହାଗଲା ଯେ ଆମେରିକା ଠାରୁ ସୋଭିଏତ ଋଷର ସୈନ୍ୟଶକ୍ତି ଉନ୍ନତ ସେତେବେଳେ ସେମାନଙ୍କର ମସ୍ତିଷ୍କର ନିଦ୍ଦିଷ୍ଟ ଅଂଶରେ ଉତ୍ତେଜନା ଦେଖା ଯାଇଥିଲା । ଏହାପରେ ବୈଜ୍ଞାନିକ ମାନେ ସେମାନଙ୍କ ମସ୍ତିଷ୍କର କିଛି କଣିକା ନଷ୍ଟ କରିଦେଇଥିଲେ । ଏହା ଫଳରେ ସେମାନଙ୍କ ପୂର୍ବ ସ୍ମୃତି ଓ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା ଏବଂ ସେମାନେ ପରୀକ୍ଷଣ ପୂର୍ବରୁ ଯେଉଁ ତଥ୍ୟର ଦୃଢ଼ ସମର୍ଥକ ଥିଲେ ପରୀକ୍ଷଣ ପରେ ସେମାନଙ୍କ ମତପରିବର୍ତ୍ତନ ଘଟିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଏହା ପ୍ରାରମ୍ଭିକ ପରୀକ୍ଷଣ ସ୍ତରରେ ସୀମିତ ରହିଛି । ଏହାର ସଫଳ ପରୀକ୍ଷଣ ହୁଏତ ଆଗାମୀ ଦିନର ରାଜନୀତି ଓ ରାଜନୈତିକ ଚିନ୍ତାଧାରାକୁ ପ୍ରଭାବିତ କରିବ । ସେତେବେଳେ ଭୋଟ ରାଜନୀତିରେ ହାରିଯାଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କ ସମର୍ଥକ ମାନେ ହୁୁଏତ ସଫେଇ ଦେବାକୁ ଯାଇ କହି ପାରିବେ ନାହିଁ ଯେ, ଭୋଟ ପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଥିଲା ‘ଶେଷ ସମୟରେ ଭୋଟରଙ୍କ ମାଇଣ୍ଡ ଚେଞ୍ଜ ହୋଇଗଲା ।

ନେତା ଏକ ସଶରୀର ଅତୃପ୍ତ ଆତ୍ମା ଏବଂ ରାଜନୀତି ଅପୁରଣୀୟ ଇଚ୍ଛାର ମାଧ୍ୟମ

ବାସ୍ତବରେ ରାଜନୀତିର ଅନ୍ତିମ ପରିଣତି କଣ ତାହା ଏବେ ବି ଅବୁଝା ହୋଇ ରହିଯାଇଛି । ଅତୀତରେ ନେପୋଲିୟନ ହୁଅନ୍ତୁ ବା ସମ୍ରାଟ ଆଲେକଜାଣ୍ଡର, ହିଟଲର ହୁଅନ୍ତୁ ବା ସମ୍ରାଟ ଅଶୋକ ସଭିଏଁ ତାଙ୍କ ରାଜନୈତିକ ଇଚ୍ଛାକୁ ଚରିତାର୍ଥ କରିବାକୁ ଯାଇ ଶେଷରେ ଅସଫଳ ହୋଇଛନ୍ତି । ତାହେଲେ ଏ ରାଜନୈତିକ ଇଚ୍ଛା ଓ ଅଭିପସାର ପରିସମାପ୍ତି କେଉଁଠି? ଏହା ଏବେ ମଧ୍ୟ ଯକ୍ଷ ପ୍ରଶ୍ନ । ରାଜନୈତିକ ଇଚ୍ଛା ପାଇଁ ବୟସର ବନ୍ଧନ ନାହିଁ ।ପ୍ରେମ ଓ ଯୁଦ୍ଧରେ ଯେଭଳି ନୀତିର ବନ୍ଧନ ନଥାଏ ଠିକ ସେହିଭଳି ରାଜନୀତିର ନୀତି ଭିତରେ ଅନୀତି ଲୁକ୍କାୟିତ ରୁପେ ରହିଥାଏ । ମହାରାଜା ପରୀକ୍ଷିତଙ୍କ ଶରୀରକୁ କଳିର ପ୍ରବେଶ ପରି କେତେବେଳ ରାଜନୀତିରେ ଅନୀତିର ପ୍ରବେଶ ଘଟେ ତାହା କେହି ଜାଣି ପାରନ୍ତି ନାହିଁ ।ଏ ରାଜନୈତିକ ତୃଷ୍ଣା ମଧ୍ୟ ବଡ଼ ବିଚିତ୍ର । ରାଜନୀତିର ଦିଗବଳୟରେ ଦେଖା ଯାଉଥିବା କ୍ଷମତା ହାସଲ ପାଇଁ ମଣିଷ ୱାର୍ଡ଼ ମେମ୍ବର ଠାରୁ ଆରମ୍ଭ କରି, ସରପଞ୍ଚ,ସମିତି ସଭ୍ୟ,ଜିଲାପରିଷଦ ଅଧ୍ୟକ୍ଷ,ବିଧାୟକ,ଲୋକସଭା ରାଜ୍ୟସଭା ସଦସ୍ୟ, ମନ୍ତ୍ରୀପଦ ପାଇବା ପରେ ମଧ୍ୟ ତାର ରାଜନୈତିକ ତୃଷ୍ଣାର ନିବାରଣ ହେଉ ନାହିଁ । ଯମଦ୍‍ୁଆର ମୁହଁରେ ଥିବା ନେତାବି ଆକୁଳରେ କ୍ଷମତାକୁ ଅନାଇ ବସିଛି । ସମ୍ଭବତଃ ଏହି କାରଣରୁ ନିର୍ବାଚନରେ ବୟସାଧିକ୍ୟ ନେତୃବର୍ଗ ମଧ୍ୟ ଯୁବାବର୍ଗର ପଥରୋଧ କରିବାକୁ ପଶ୍ଚାତପଦ ହେଉ ନାହାନ୍ତି । ସବୁ ଘଟଣାରୁ ଜଣାପଡ଼ୁଛି ସମ୍ଭବତଃ ରାଜନେତା ମାନେ ହେଉଛନ୍ତି ଏକ ସଶରୀର ଅତୃପ୍ତ ଆତ୍ମା ଏବଂ ରାଜନୀତି ସେମାନଙ୍କ ଅପୂରଣୀୟ ଇଚ୍ଛା ପ୍ରାପ୍ତିର ଏକମାତ୍ର ତଥା ପ୍ରକୃଷ୍ଟ ମାଧ୍ୟମ ।

ଶେଷରେ ରାଜନୈତିକ ନେତ୍ରୀଙ୍କ ବର୍ଗୀକରଣ

ପ୍ରତିଟି କ୍ଷେତ୍ରରେ ନାରୀ ପୁରୁଷଙ୍କ ସମସ୍କନ୍ଧ । ଭୋଟ ରାଜନୀତିରେ ମହିଳାଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ ଫଳରେ ହଠାତ ଅଧିକରୁ ଅଧିକ ସଂଖ୍ୟାରେ ନାରୀ ନେତ୍ରୀଙ୍କ ଆର୍ବିଭାବ ଘଟିଛି । ଏତେ ସଂଖ୍ୟକ ନାରୀ ନେତ୍ରୀଙ୍କ ବର୍ଗୀକରଣ ଏକ ସମସ୍ୟା ଦେଖାଯାଇଛି । ତେବେ ଭୋଟ ରାଜନୀତି ଦୃଷ୍ଟିରୁ ନାରୀ ନେତ୍ରୀଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇପାରେ । ତାହା ହେଲା (୧) ପଦ୍ମିନୀ: ଅର୍ଥାତ ପଦ୍ମ ଦଳୀୟ ନାରୀନେତ୍ରୀ (୨) ଶଙ୍ଖିନୀ ବା ଶଙ୍ଖ ଦଳୀୟ ନାରୀ ନେତ୍ରୀ (୩) ହସ୍ତନୀ : ହସ୍ତ ବା ହାତ ଦଳୀୟ ନାରୀ ନେତ୍ରୀ (୪) ଅବଶିଷ୍ଟ ନାରୀନେତ୍ରୀଙ୍କୁ ମସ୍ତିନୀ ଶ୍ରେଣୀଭୁକ୍ତ କରାଯାଇପାରେ । ପୂର୍ବୋକ୍ତ ତିନି ଶ୍ରେଣୀର ନୀତି ଆଦର୍ଶ ଠାରୁ ଯେଉଁ ମାନେ ଭିନ୍ନ ମତବାଦ ଉପରେ ବିଶ୍ୱାସ କରନ୍ତି ଏବଂ ନିଜର ରାଜନୈତିକ ଅଭିପ୍‍ସାର ଚରିତାର୍ଥ କରିବାକୁ ରାଜନୈତିକ ମଇଦାନରେ କେବଳ ରାଜନୈତିକ ମସ୍ତି ସକାଶେ ଅବତୀର୍ଣ୍ଣ ହୋଇଥାଆନ୍ତି ଯେମାନଙ୍କୁ ଏହି ବର୍ଗର ନେତ୍ରୀ ବୋଲି ବିବେଚିତ କରାଯାଇ ପାରିବ ।

About surendrahota

Leave a Reply

%d bloggers like this:
Skip to toolbar