Breaking News
Home / Bargarh / Bijayapur Election:

Bijayapur Election:

ବିଜୟପୁର ନିର୍ବାଚନ: ରମ୍ୟ ଉପାଖ୍ୟାନ

ବିଜେପୁର (ବିଜୟପୁର) ଉପନିର୍ବାଚନ ଯୋଗୁଁ ସଂପ୍ରତି ବରଗଡ଼ ଜିଲା ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇ ରହିଛି ।ବିଜେଡ଼ି ହେଉ ବା ବିଜେପି ସଭିଏଁ ଅଙ୍କ କଷାରେ ବ୍ୟସ୍ତ ।ସମ୍ମୁଖ ଲଡ଼େଇରେ ପ୍ରବୀଣଙ୍କୁ ଛାଡ଼ି ନବୀନ ଏଥର ନବୀନ ଚେହେରା ଉପସ୍ଥାପନ କରିଥିବା ଦୃଷ୍ଟିରୁ‘ମହାଜନ ଯେନ ଗତସ୍ୟ ପନ୍ଥା’ ମନନେ କରି ନିଶ୍ଚିତ ବିଜୟ ଆଶାରେ ଅଶୋକ ବିଗତ ଦିନର ଶୋକ ଭୁଲିଯାଇ ନିଜ ରାଜନୈତିକ ଗୁରୁ ବିଜୟ ମହାପାତ୍ରଙ୍କ ପଦାଙ୍କ ଅନୁସରଣ କରି ଏବେ ପଦ୍ମାସନରେ ବସିଥିôବା ‘ମୋଦି ଅମିତ ସିଦ୍ଧି’ ଯୋଗ କରୁଛନ୍ତି ।ନାରଦଙ୍କ ପରାମର୍ଶ କ୍ରମେ ସେ ଇନ୍ଦ୍ରାସନ ଆଶାରେ ଧର୍ମେନ୍ଦ୍ରଙ୍କ ଶରଣାଗତ ହୋଇ ଗାଇ ବୁଲୁଛନ୍ତି ‘ପଦ୍ମଂ ଶରଣଂ ଗଚ୍ଛାମୀ’ । ତାଙ୍କ ସାଧନା ଦେଖି ଭିତତ୍ରସ୍ତ ପଦ୍ମପୁରିଆ ନାରାୟଣ କିଛି ଦିନ ପାତାଳି ହେବା ପରେ ଏବେ ହଠାତ ଶଙ୍ଖପୁରେ ଉଭା ହୋଇଛନ୍ତି ।ବିଜେପୁର ଉପ ନିର୍ବାଚନକୁ କେହି କେହି ମହାଭାରତ ଯୁଦ୍ଧ ସହ ତୁଲନା କରୁଛନ୍ତି । ତେବେ ଏହି ନିର୍ବାଚନୀ ମହାସମରରେ ପାଣ୍ଡବ କିମ୍ବା କୌରବ କାହାର ବିଜୟ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଉଭୟ ଦଳ ଏହାକୁ ଧର୍ମଯୁଦ୍ଧ ବୋଲି କହିବା ସାଙ୍ଗକୁ ନିଜକୁ ଧର୍ମର ରକ୍ଷକ ବୋଲି ପ୍ରଚାରିତ କରୁଥିବାରୁ ସାଧାରଣ ଜନତା ଅସମଞ୍ଜସରେ ପଡ଼ି ଯାଇଛି ।ବିଜୟପୁର ଚାଷୀଙ୍କ ପାଇଁ ସତରେ କଣ ହୀରାକୁଦର କାଚକେନ୍ଦୁ ଜଳ ଉପଲବ୍ଧ ହେବ ନାଁ ବିଶୁଦ୍ଧ ଭାରତୀୟ ତୈଳ କମ୍ପାନୀର ପଦ୍ମଫୁଲିଆ ତେଳରେ ଚାଷ ହୋଇ ପଦ୍ମଫୁଳର ମହକରେ ବିଜୟପୁର ମହକିବ ତାହା ସ୍ପଷ୍ଟ ହୋଇ ନାହିଁ ।ତେବେ ଲୋକେ ଚାତକପରି ଆଁ କରି ବସି ରହିଛନ୍ତି । ଉଭୟପକ୍ଷ ନିଜକୁ ପଦ୍ମଜ ଓ ଶଙ୍ଖଜ ବୋଲି ଅବିହିତ କରି ପ୍ରାକ ନିର୍ବାଚନୀ ମଇଦାନରେ ଆତ୍ମ ଡ଼ିଣ୍ଡିମ ପିଟିବାରେ ଓ ନିଜର ବିଜୟକୁ ସୁନିଶ୍ଚିତ କରିବା ପାଇଁ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ । ଶଙ୍ଖଜ ପକ୍ଷ କୃଷକ ଓ ବୁଣାକାରଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ନାନା ଯୋଜନାର ପ୍ରଲୋଭନ ଦେଉଥିବା ସମୟରେ ପଦ୍ମଜ ପକ୍ଷ ସେମାନେ ହିଁ ବାସ୍ତବରେ କୃଷକ ଓ ବୁଣାକାରଙ୍କ ହିତୈଷୀ ବୋଲି ପ୍ରଚାରିତ କରୁଛନ୍ତି । ହୀରାକୁଦ ଜଳ ସତ୍ୟତା ନୁହେଁ ‘ପ୍ରଲୋଭନ ନୁହେଁ ପ୍ରବଞ୍ଚନା’ ଶଙ୍ଖଜ ଦଳର ସରଳତାର ଛଦ୍ମାବରଣ ଭିତରେ ଧର୍ଷଣକାରୀ ଶଙ୍ଖାସୁରର କୁତ୍ସିତ ଚେହେରା ଛପି ବୋଲି ଅଭିଯୋଗ ଆଣୁଛନ୍ତି । ତେବେ ଶଙ୍ଖଜ ଦଳ ପ୍ରତିଆକ୍ଷେପ କରି କହୁଛି ‘ ଜଗତେ କେବେଳ ଜନେ ହସିବେ’ ବାରମ୍ବାର ମିଥ୍ୟାକୁ ସତ୍ୟ ବୋଲି କୁହାଗଲେ ତାହା ସତ୍ୟ ପ୍ରାୟେ ପ୍ରତୀତ ହୋଇପାରେ ମାତ୍ର ସମ୍ପୂର୍ଣ୍ଣ ସତ୍ୟ ନୁହେଁ ।ଲକ୍ଷ୍ମୀପ୍ରିୟ ଧାନ୍ୟ ଶସ୍ୟଦର ବୃଦ୍ଧିର ପ୍ରତିଶୃତି ଉଲଙ୍ଘନ କରିଥିବା ପଙ୍କଜଙ୍କୁ ଭରସା ନାହିଁ । ତେବେ ବିଜୟପୁରର ଶୀତୁଆ ବାତାବରଣକୁ ଉଷ୍ଣ କରିବା ପାଇଁ ବିଭିନ୍ନ ସ୍ଥାନରେ କୁଶପୁତ୍ତଳିକା ଦାହ କରୁଥିବା ଦେଖାଯାଉଛି । କଣ କଲେ ନିର୍ବାଚନୀ ବୈତରଣୀ ପାରି କରିହେବ ସେସମ୍ପର୍କରେ ରାଜନୈତିକ ସାଧୁ ସନ୍ଥଙ୍କ ଅଙ୍କ କଷା ଓ ଗଣିତ ଚାଲିଛି ।ତେବେ ସାଧୁସନ୍ଥ ବି ଅର୍ଦ୍ଧ ନିମିଳିତ ନେତ୍ରରେ ରାଜନେତାଙ୍କୁ ଦେଖି କେବେ କହୁଛନ୍ତି ‘ବ’ କିମ୍ବା ‘ବି’ । ଏଥିରୁ ଆଶୟୀ ଅନୁମାନ ଓ ବିଷ୍ଲେଷଣ କରି ଅର୍ଥ ବାହାର କରୁଛନ୍ତି । କିଏ କହୁଛି ବାବାଜି କହୁଛନ୍ତି ‘ବ’ ମାନେ ନିର୍ବାଚନରେ ଛିଡ଼ା ହୁଅ ନାହିଁ ପଇସା ନେଇ ବସି ଯା… । ‘ବି’ କହିଲେ ବିଜୟପୁର ଆଗକୁ ହୁଅ ଅଗ୍ରସର.. । କିମ୍ବା ଏଥର ‘ଏ’ ହୋଇ ପାରିବୁ ନାହିଁ ‘ବି’ ହୋଇଯିବୁ ଦେଖିକରି ଖେଲ । ଆଉ କିଏ କହୁଛି ବାବାଜି ‘ବି’ କହିଛନ୍ତି ମାନେ ଭଳ ‘ବିଜିନେସ’ ହେବ କିମ୍ବା ‘ବିଜିନେସ କମ୍ୟୁନିଟି’କୁ ଧର । କାରଣ ଉଭୟ ଦଳ କୃଷକ ବୁଣାକାର ପଛରେ ପଡ଼ିଛନ୍ତି ।ବିଜିନେସ ବାଲାଙ୍କୁ ଭୁଲି ଯାଉଛନ୍ତି । ବାବାଜିଙ୍କ ‘ବି’ ଉପାଖ୍ୟାନର ଅର୍ଥଖୋଜିକୁ ଯାଇ ଜଣେ ନେତା ଅଭିଜ୍ଞତା ବଖାଣୀ କହିଲେ ବାବାଜୀଙ୍କ ‘ବି’ ବୀଜ ର ଗୁଢ଼ ଅର୍ଥ ରହିଛି । ଏ ବିଜିନେସ ମେନ ଗୁଡ଼ାକ ବଡ଼ ଚାଲାଖ ଜଣକୁ କହୁଛନ୍ତି ‘ମୁଁ ଜଣକୁ ଭୋଟ ଦେବି ଓ ଜଣକୁ ନୋଟ ଦେବି’ ଅର୍ଥାତ ମୋର ଭୋଟଟି ପ୍ରକାଶ୍ୟରେ ଶାସକ ଦଳ ପାଇଁ ଉଦ୍ଦିଷ୍ଟ ତେବେ ମୋର ଅର୍ଥବଳ ତମର ଏତଦ୍ୱାରା ତୁମେ ଯେତେଇଚ୍ଛା ଭୋଟ ଖର୍ଦ୍ଦି କରିପାର । ବିଜିନେସ ମ୍ୟାନଙ୍କ ଏ ଗୁଢ଼ ବ୍ୟାପାର ଯିଏ ବୁଢ଼ିପାରିବ ବିଜୟପୁରଟି ତାହାର ।

ସୁରେନ୍ଦ୍ର ହୋତା : ୯୪୩୭୧୧୦୨୫୦

About surendrahota

Leave a Reply

%d bloggers like this:
Skip to toolbar