Breaking News
Home / Bhubaneswar / Mass protest of BJP in various RI Circles

Mass protest of BJP in various RI Circles

ପ୍ରକୃତ କ୍ଷତିଗ୍ରସ୍ତ ଚାଷ ଓ ଚାଷୀ ଚିହ୍ନଟରେ ବ୍ୟାପକ ଅନୀୟମିତତା ପ୍ରସଙ୍ଗରେ ବିଜେପିର ଆରଆଇ କାର୍ଯ୍ୟାଳୟ ଘେରାଓ ଆରଆଇ ଏବଂ ତହସିଲଦାରମାନେ କ୍ଷତିଗ୍ରସ୍ତ ଛାଷ ଓ ଚାଷୀଙ୍କ ପ୍ରକୃତ ତଥ୍ୟ ଦେଇପାରୁ ନାହାନ୍ତି : ବସନ୍ତ ପଣ୍ଡା

 ଦଳୀୟ ଭିତିରେ ନକଲି କ୍ଷତିଗ୍ରସ୍ତ ଚାଷୀ ତାଲିକା ପ୍ରସ୍ତୁତ କରି ଶାସକ ବିଜୁ ଜନତା ଦଳ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରତାରଣା କରିଛି

  ବିଜେପିର ଏହି ତୃଣମୂଳ ସ୍ତରର ଆନ୍ଦୋଳନରେ ଚାଷୀମାନେ ବ୍ୟାପକ ମାତ୍ରାରେ ସାମିଲ ହୋଇଛନ୍ତି

ଭୁବନେଶ୍ୱର, ତା.୦୧/୧୨: ରାଜ୍ୟରେ ସ୍ୱଳ୍ପ ବୃଷ୍ଟି କାରଣରୁ ଫସଲ ହାନି ଓ ପରେ ପରେ ଚକଡା ପୋକ ଆକ୍ରମଣ ଓ ପୁଣି ଅଦିନିଆ ବର୍ଷା କାରଣରୁ  ରାଜ୍ୟର ଚାଷୀ କୂଳ ସଂକଟରେ ଅଛି ।  ଗତ କିଛି ଦିନ ହେଲା ଫସଲ ହାନୀ ଓ ଋଣ ଭାର କାରଣରୁ ଚାଷୀ  ଆତ୍ମହତ୍ୟା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ବିତର୍କର ବିନ୍ଦୁ ହୋଇଛି । ଚାଷୀ ସମୁହର ଏଭଳି ଦୁର୍ଦ୍ଦଶା ସମୟରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣପ୍ରଦାନ କରିବାକୁ ବିଜେପି ତରଫରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀ କରାଯାଇଥିଲା । ଏ ସବୁ ସତ୍ୱେ ରାଜ୍ୟ ସରକାରଙ୍କ ଚାଷୀମାନଙ୍କ ସମସ୍ୟାର ସମାଧାନ ପ୍ରତି କୈାଣସି ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ବରଂ ଦଳୀୟ ଭିତିରେ ନକଲି କ୍ଷତିଗ୍ରସ୍ତ ଚାଷୀ ତାଲିକା ପ୍ରସ୍ତୁତ କରି ଶାସକ ବିଜୁ ଜନତା ଦଳ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରତାରଣା କରିଛି । ଚାଷୀ ମାନଙ୍କର ହକ୍ ର ଲଢେଇକୁ ନିର୍ଣାୟକ ମୋଡ ଦେବା ପାଇଁ ରାଜ୍ୟର ସମସ୍ତ ୨୪୧୩ ଆରଆଇ ଅଫିସ ପର୍ଯ୍ୟନ୍ତ ଜନ ଆନ୍ଦୋଳନକୁ ନେବା ପାଇଁ  ବିଜେପି ନିର୍ଣୟ କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜିଠୁ ରାଜ୍ୟର ବିଭିନ୍ନ ଆରଆଇ ଅଫିସ ଘେରାଓ ଆରମ୍ଭ ହୋଇଛି । ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଆଜି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଆରଆଇ କାର୍ଯ୍ୟାଳୟକୁ ଯାଇ ସରକାରୀ ଅଧିକାରୀଙ୍କ ସହ କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିଥିଲେ । ବାସ୍ତବ କ୍ଷୟକ୍ଷତି ଏବଂ ସରକାରୀ ଅଧିକାରୀଙ୍କ କଥାବାର୍ତରେ ବହୁ ତାରତମ୍ୟ ରହିଛି । ତେଣୁ ରାଜ୍ୟ ସରକାରଙ୍କ କ୍ଷୟକ୍ଷତି ରିପୋର୍ଟର ସତ୍ୟାସତ୍ୟ ଓ ବିଶ୍ୱାସନୀୟତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଏହି ରିପୋର୍ଟ ସଂପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ପଣ୍ଡା କହିଛନ୍ତି ।୧୧୭ ବିଧାୟକ ଓ  ୨୯ ସାଂସଦ  ଏବଂ ସଂଖ୍ୟାଧିକ ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟଙ୍କ ଅହଂକାରରରେ ଚାଷୀଙ୍କୁ ଶାସକ ବିଜେଡି ତାତ୍ସଲ୍ୟ କରୁଛନ୍ତି ।  ଚାଷୀର ଭାବାବେଗ ସହ ଖେଳୁଥିବା ସରକାରଙ୍କ ବିରୁଦ୍ଧରେ ବିଜେପିର ଏହି ତୃଣମୂଳ ସ୍ତରର ଆନ୍ଦୋଳନରେ ଚାଷୀ ମାନେ ବ୍ୟାପକ ମାତ୍ରାରେ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ଜବାବ୍ ମାଗିବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ସମେତ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ, କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ଡାକ୍ତର ବେହେରା, ଦିଲୀପ ସ୍ୱାଇଁ, ଲିଙ୍ଗରାଜ ବାରିକ, କୃଷ୍ନ ବରାଡ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତାମାନେ କଟକ ଜିଲ୍ଲା ସଦର ଅନ୍ତର୍ଗତ ତେଲେଙ୍ଗାପେଣ୍ଠ ଓ ଖଣ୍ଡେଇତା ଆରଆଇ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ଏହି ଅବସରରେ ରାଜ୍ୟ ଉପ ସଭାପତି ଶ୍ରୀ ନୟନ କିଶୋର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ଶ୍ରୀ ସମୀର ଦେ, ବିନୋଦ ଦାଶ, ଜିଲ୍ଲା ସଭାପତି ଲକ୍ଷ୍ମୀୀଧର ପ୍ରଧାନ, ଚୈା. ହେମନ୍ତ ସାହୁ, ହୃଷିକେଶ ଜେନା, କ୍ଷିରୋଦ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ ।କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର କୋଡପଡା ଆରଆଇ ଅଫିସ ଘେରାଓ କରାଯାଇଥିଲା । ଏହି ଅବସରରେ ପୂର୍ବତନ ବିଧାୟକ ଭାଗିରଥୀ ସେଠୀ, ଜିଲ୍ଲା ସଭାପତି ଶ୍ରୀଧର ସାହୁ, ହେମନ୍ତ ମଲ୍ଲିକ, ଆଲୋକ ସେଠୀ, ବିନୋଦ ମିଶ୍ର, ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।କଟକ ଜିଲ୍ଲା ବାଙ୍କି, ଗଂଜାମ ଜିଲ୍ଲାର ଛତ୍ରପୁର, ସମ୍ବଲପୁର ଜିଲ୍ଲା ରେଢାଖୋଲ ସମେତ ରାଜ୍ୟର ଶତାଧିକ ଆରଆଇ ଅଫିସ ଘେରାଓ କରାଯାଇଥିଲା ।

About surendrahota

Leave a Reply

%d bloggers like this:
Skip to toolbar