Breaking News
Home / Culture / Kumar Swami Mahotsav 2017

Kumar Swami Mahotsav 2017

କୁମାରସ୍ୱାମୀ ମହୋତ୍ସବ ଉଦଯାପିତ

ଭବାନୀପାଟଣା, ୨୭/୧୧/୨୦୧୭: ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ସମାରୋହ ତଥା କୁମାରସ୍ୱାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦରଠାରେ ତିନିଦିନ ଧରି ଆୟୋଜିତ ଉକ୍ତ ଲୋକଗୀତ ଓ ଲୋକନୃତ୍ୟ ଉତ୍ସବରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ସହଯୋଗ କରିଥିବାବେଳେ ପ୍ରାୟ ୩୦୦ କଳାକାର ଯୋଗଦେଇଥିଲେ ।ଶୁକ୍ରବାର ପ୍ରସିଦ୍ଧ ଐତିହ୍ୟସ୍ଥଳୀ ଦେବଗିରି ମଠରୁ ମଶାଲ ଆସିବା ପରେ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅପରାହ୍ଣରେ କଳସ ଶୋଭାଯାତ୍ରା ଓ କୁମାରସ୍ୱାମୀଙ୍କ ପୂଜାର୍ଚ୍ଚନା ଆୟୋଜିତ ହୋଇଥିଲା । କାଣ୍ଡେଲ ଫୋକ୍ ଏକାଡେମୀର ଘୁମୁରା ଓ ଡମ୍ସିଲାଟ୍ର ପାରମ୍ପରିକ ଡମ୍ବଜା ସହ କଳାକାରମାନେ ନଗର ପରିକ୍ରମା କରିଥିଲେ । ସାନ୍ଧ୍ୟ ଅଧିବେଶନରେ ଲୋକକବି କମ୍ବୁପ୍ରସାଦ ବାଗ, ଯୁବ କଳାକାର ଗିରିରାଜ ଗଉଡ଼, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୁଖ କଳାହାଣ୍ଡିର ଲୋକକଳାକୁ ବଂଚାଇ ରଖିବା ଦିଗରେ ଜନସାଧାରଣ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ରାତିରେ ପାରମ୍ପରିକ ଲୋକକଳା ‘ପାଲା’ ପରିବେଷିତ ହୋଇଥିଲା ।ଶନିବାର ସନ୍ଧ୍ୟାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି ମୁଖ୍ୟ ଅତିଥି, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇ ବିଶିଷ୍ଟ ଅତିଥି ଓ ରୁପ୍ରାରୋଡ଼ ସରପଂଚ ଚିତ୍ତରଂଜନ ରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ରାକ୍ସି ସରପଂଚ ଚନ୍ଦ୍ରମା ଧଙ୍ଗଡ଼ାମାଝୀ, ନର୍ଲା ସରପଂଚ ଚିରଞ୍ଜବୀ ଗୌଡ଼ିଆ, ସରିଆଁ ସରପଂଚ ଜନନୀ ଭୋଇ, ସରିଆଁ ସମିତି ସଭ୍ୟା ନନ୍ଦିନୀ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ବିଜୟ ଧଙ୍ଗଡ଼ାମାଝୀ ପୌରୋହିତ୍ୟ କରିଥିବାବେଳେ ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ମଂଚ ପରିଚାଳନା କରିଥିଲେ । ଏହି ଅବସରରେ ସଫଳ ଚାଷୀ ପଦ୍ମଚରଣ ନାଏକଙ୍କୁ ଦେବଗିରି କୃଷି ସମ୍ମାନ ପ୍ରଦାନ କରାଯାଇଥିଲା । ପରେପରେ କର୍ଲାଖୁଣ୍ଟାର ଘୁମୁରା ନୃତ୍ୟ, ରାକ୍ସି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା । ରାତିରେ ପଶ୍ଚିମ ଓଡ଼ିଶାର ଲୋକନାଟକ ଦଣ୍ଡନୃତ୍ୟ ପରିବେଷିତ ହୋଇଥିଲା ।ରବିବାର ଅପରାହ୍ଣରେ ଅନୁଷ୍ଠାନର ସଂପାଦକ ସୁନୀଲ ଧଙ୍ଗଡ଼ାମାଝୀଙ୍କ ପୌରୋହିତ୍ୟରେ ଏକ ବ୍ୟଙ୍ଗ କବିତା ଆସର ଆୟୋଜିତ ହୋଇଥିଲା । ଏଥିରେ ବରିଷ୍ଠ କବି ପଦ୍ମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବ୍ୟଙ୍ଗ କବି ବିରଂଚି ନାରାୟଣ ମୁଣ୍ଡ, ସୁଶାନ୍ତ ମିଶ୍ର ଓ ସୋହନଲାଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଯୁବକବି ଯାଦବେନ୍ଦ୍ର ସାହା ସ୍ୱାଗତ ଭାଷଣ ଦେଇଥିବାବେଳେ ଯୁବକବି ଜୟଦ୍ରଥ ସୁନା ଧନ୍ୟବାଦ ଅର୍ପଣ କରିଥିôଲେ । କବି ହେମନ୍ତ ସାହୁ ଓ ଡିଲେଶ୍ୱର ରଣା ମଂଚ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସ୍ୱରଚିତ କବିତା ପାଠ କରିଥିଲେ ।ସନ୍ଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ ସମାରୋହରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ସଂଯୋଜକ ଦ୍ୱିତୀୟା ବନ୍ଛୋର୍ ମୁଖ୍ୟ ଅତିଥି ଓ ନର୍ଲା ଜୋନ୍-୩ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ମାରୱାଡ଼ି ଯୁବା ମଂଚ, ରୁପ୍ରାରୋଡ଼ର ସଭାପତି ଧୀରେନ୍ଦ୍ର ଖେତାନ୍, ନର୍ଲା ଜୋନ୍-୧ ଜିଲ୍ଲାପରିଷଦ ସଦସ୍ୟ ସରୋଜ ମାଝୀ, ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଭାପତି ସ୍ୱାଧୀନ ଭୋଇ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ପୌରୋହିତ୍ୟ କରିଥିବାବେଳେ ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଂଚ ପରିଚାଳନା କରିଥିଲେ ।ଏହି ଅବସରରେ ରାସବିହାରୀ ବେହେରାଙ୍କୁ ଦେବଗିରି ସମ୍ମାନ, ଯାଜ୍ଞସେନୀ ସାହାଙ୍କୁ ଦେବଗିରି ସାହିତ୍ୟ ସମ୍ମାନ, ସାବିତ୍ରୀ ମହାରଣାଙ୍କୁ ଦେବଗିରି ଯୁବ ସମ୍ମାନ, ରବୀନ୍ଦ୍ର ମିଶ୍ରଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ, ଶୁଭେନ୍ଦୁ ବିଶିଙ୍କୁ ଦେବଗିରି ସମାଜସେବା ସମ୍ମାନ, ସନକ ଭୋଇଙ୍କୁ ଦେବଗିରି ନାଟ୍ୟ ସମ୍ମାନ, ଅଜିତ ବେହେରାଙ୍କୁ ଦେବଗିରି କଳା ସମ୍ମାନ ଓ ବିର୍ଜୁ ଛେତ୍ରୀଙ୍କୁ ଦେବଗିରି ଦେଶସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶିଶୁ ଚିତ୍ରଶିଳ୍ପୀ ରୋଶନ୍ ରଣାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେପରେ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ବଜାଶାଲ୍, ମଗଧା ଗଉଡ଼ଙ୍କ ବନାବାଡ଼ି, ଖଞ୍ଜଣୀ ଆଦି ପରିବେଷିତ ହୋଇଥିଲା । ରାତିରେ ଆୟୋଜିତ ନୃତ୍ୟ ଅସରକୁ ସୁଧୀର ନାଏକ ସଂଯୋଜନା କରିଥିଲେ । ଏଥିରେ କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାର କଳାକାରମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ ।

ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯୁଗ୍ମ ସଂପାଦକ , ଦେବଗିରି ସାଂସ୍କୃତିକ ଅନୁଷ୍ଠାନ
Mobile  ୯୭୭୭୯୪୯୮୦୦

About surendrahota

One comment

  1. thank you so much navaratna news

Leave a Reply

%d bloggers like this:
Skip to toolbar