Breaking News
Home / Bhubaneswar / 5th Convocation of Sikshya O Anusandhan

5th Convocation of Sikshya O Anusandhan

ସୋଆର ୫ମ ସମାବର୍ତ୍ତନ : ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଆରୋପ

Former president of India Pranab Mukherjee delivers his address at 5th convocation of Sikshya O Anusandhaan (Deemed to be University) in Bhubaneswar on Tuesday.

ଭୁବନେଶ୍ୱର,୨୨ନଭେମ୍ବର ୨୦୧୭ (ଫ୍ରଶାନ୍ତ କୁମାର ଭୁୟାଁ) : ଭାରତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ମୌଳିକ ଗବେଷଣା ଉପରେ ଗୁରୁତ୍ୱ ଆରୋପ ନକଲେ ବିଶ୍ୱର ଅନ୍ୟାନ୍ୟ ଉନ୍ନତ ଦେଶ ସହିତ ସମକକ୍ଷ ହୋଇ ପାରିବ ନାହିଁ ବୋଲି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ କହିଛନ୍ତି ।ଆମ ଦେଶରେ ମେଧାବୀ ଛାତ୍ରଛାତ୍ରୀ ଓ ଉଚ୍ଚକୋଟୀର ଶିକ୍ଷକଙ୍କ ଅଭାବ ନଥିଲେ ମଧ୍ୟ ମୌଳିକ ଗବେଷଣା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇ ନାହିଁ । ଆଇ.ଆଇ.ଟି ପରି ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପୃଥିବୀର ବିଭିନ୍ନ କ୍ଷେତ୍ରରେ ଚାକିରୀ ନିମନ୍ତେ ଯୋଗ୍ୟ ବିବେଚିତ ହେଉଥିଲେ ମଧ୍ୟ ମୌଳିକ ଗବେଷଣା କ୍ଷେତ୍ରରେ ଏହି ଅନୁଷ୍ଠାନ ଗୁଡିକର ଉପଲବ୍ଧି ଯଥେଷ୍ଟ ନୁହେଁ । ଏହି କାରଣରୁ ଭାରତର କୌଣସି ବିଶ୍ୱବିଦ୍ୟାଳୟ ପୃଥିବୀର ଶ୍ରେଷ୍ଠ ୨୦୦ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇ ପାରୁନାହାନ୍ତି ବୋଲି ଶ୍ରୀ ମୁଖାର୍ଜୀ କହିଥିଲେ ।ଶ୍ରୀ ମୁଖାର୍ଜୀ ବୁଧବାର ଏଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମଡ୍ ଟୁ ବି ୟୁନିଭର୍ସିଟିର ୫ମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେଇ ଏହି ମନ୍ତବ୍ୟ ରଖିଥିଲେ ।ଡକ୍ଟର ସି.ଭି ରମଣଙ୍କ ବିଷୟ ଉଲ୍ଲେଖ କରି ତାଙ୍କ ପରେ କୌଣସି ଭାରତୀୟ ବୈଜ୍ଞାନିକ ନୋବେଲ ପୁରସ୍କାର ପାଇବାକୁ ସମର୍ଥ ହୋଇ ନାହାନ୍ତି ବୋଲି ଶ୍ରୀ ମୁଖାର୍ଜୀ କହିଥିଲେ । ଏହାର ଅର୍ଥ ନୁହେଁ ଯେ ଭାରତରେ ଯୋଗ୍ୟ ଶିକ୍ଷକ ଓ ବୁଦ୍ଧିମାନ ଛାତ୍ରଛାତ୍ରୀଙ୍କର ଅଭାବ ଅଛି । ତେବେ ହରଗୋବିନ୍ଦ ଖୋରାନା, ସୁବ୍ରମନ୍ୟନ ଚନ୍ଦ୍ରଶେଖର ଓ ଅମର୍ତ୍ୟ ସେନଙ୍କ ପରି ଭାରତୀୟ ବିଦେଶୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରି କିପରି ନୋବେଲ ପୁରସ୍କାର ଲାଭ କରି ପାରିଲେ ବୋଲି ସେ ପ୍ରଶ୍ନ କରିଥିଲେ । ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକ ସେମାନଙ୍କର ଛାତ୍ରଛାତ୍ରୀମାନଙ୍କୁ କେବଳ ପୁସ୍ତକ ଏବଂ କ୍ଲାସ ରୁମ ମଧ୍ୟରେ ସୀମିତ ରଖିବା ଉଚିତ୍ ନୁହେଁ । ଏହା ବାହାରେ ସେମାନଙ୍କର ମେଧା ଶକ୍ତିକୁ ଉପଯୋଗ କରିବା ପାଇଁ ସୁଯୋଗ ସୃଷ୍ଟି କରିବା ଉଚିତ୍ । ଇତିହାସ ପୃଷ୍ଠା ଓଲଟାଇଲେ ହଜାର ହଜାର ବର୍ଷ ତଳର ଭାରତୀୟ ବିଶ୍ୱବିଦ୍ୟାଳୟ ମାନେ ବିଶ୍ୱ ବ୍ୟାପୀ ଜ୍ଞାନ ବାଂଟୁଥିବା କଥା ଜଣା ପଡେ । ତେଣୁ ଭାରତୀୟ ବିଶ୍ୱବିଦ୍ୟାଳୟମାନେ ବିଶ୍ୱସ୍ତରୀୟ ହେବା ଜରୁରୀ ହୋଇପଡ଼ିଛି । ସେଥିପାଇଁ ସେମାନଙ୍କୁ ନିଜର ପାଠ୍ୟକ୍ରମ, ପାଠ୍ୟଖସଡା ଏବଂ ପାଠ୍ୟ ପରିଚାଳନାରେ ପରିବର୍ତନ କରିବା ଆବଶ୍ୟକ ବୋଲି ଶ୍ରୀ ମୁଖାର୍ଜୀ କହିଥିଲେ ।ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ୍ ଟୁ ବି ୟୁନିଭର୍ସିଟି) ସଫଳତାର ଉଚ୍ଚ ପ୍ରଶଂସା କରି ସେ କହିଥିଲେ ଯେ ଦେଶର ଏହା ଏକ ସର୍ବକନିଷ୍ଠ ବିଶ୍ୱବିଦ୍ୟାଳୟ ହୋଇଥିଲା ବେଳେ ଗୁଣାତ୍ମକ ଦୃଷ୍ଟିରୁ ଏହା ଦେଶର ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ୍ ଫ୍ରେମୱାର୍କ ଦ୍ୱାରା ପ୍ରସ୍ତୁତ ତାଲିକା ଅନୁଯାୟୀ ୨୦ତମ ସ୍ଥାନର ଅଧିକାରୀ । ଏହାର ଶିକ୍ଷାଦାନ ବ୍ୟବସ୍ଥା ଉଚ୍ଚକୋଟିର ଏବଂ ଗବେଷଣା ମଧ୍ୟ ଉନ୍ନତମାନର । ଅଗାମୀ ଦିନରେ ଏହା ଛାତ୍ରମାନଙ୍କର ପୁସ୍ତକ ଏବଂ କ୍ଲାସରୁମ ବାହାର ଜ୍ଞାନର ଉପଯୋଗ ନିଶ୍ଚିତ ଭାବେ କରିପାରିବ ଯାହା ଫଳରେ ଭାରତୀୟ ଯୁବକ ଯୁବତୀମାନେ ବିଶ୍ୱର ସବୁସ୍ଥାନରେ ଶ୍ରେଷ୍ଠତା ହାସଲ କରିପାରିବେ ବୋଲି ଶ୍ରୀ ମୁଖାର୍ଜି କହିଥିଲେ ।ସୋଆରେ ମୌଳିକ ଗବେଷଣା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବା ବିଷୟ ଉଲ୍ଲେଖ କରି ଶ୍ରୀ ମୁଖାର୍ଜୀ କହିଥିଲେ ଯେ ଏହି କାରଣରୁ ଅଳ୍ପ ଦିନ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟ ଏତେ ଅଗ୍ରଗତି କରିପାରିଛି । ଏହି ବିଶ୍ୱବିଦ୍ୟାଳୟର ଉତୋରତର ଉନ୍ନତି କାମନା କରି ଦିନେ ଏହା ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ସ୍ଥାନ ପାଇପାରିବ ବୋଲି ସେ କହିଥିଲେ ।ସମାବର୍ତନ ଉତ୍ସବରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପି.ଏଚ.ଡି ଡ଼ିଗ୍ରୀ, ୨ ଜଣଙ୍କୁ କୁଳାଧିପତିଙ୍କ ସ୍ୱର୍ଣ୍ଣ ପଦକ, ୩୯ ଜଣଙ୍କୁ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ, ୩୨୩ ଜଣଙ୍କୁ ସ୍ନାତକୋତର ଡିଗ୍ରୀ ଓ ୧୯୫୦ ଜଣଙ୍କୁ ସ୍ନାତକ ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା ।ଏହି ସମାବର୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଖଗେଶ୍ୱର ପ୍ରଧାନ ପୌରହିତ୍ୟ କରିଥିଲେ । ଉତ୍ସବରେ ଭାରତ ପୂର୍ବତନ ପ୍ରଧାନ ବିଚାରପତି ନ୍ୟାୟମୂର୍ତୀ କେ.ଜି. ବାଲକ୍ରିଷ୍ଣନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଏମ. ବୀରାପ୍ପା ମୋଇଲି ଓ ଦିଲ୍ଲୀ ସ୍ଥିତ ନ୍ୟାସନାଲ କ୍ୟାନସର ଇନଷ୍ଟିଚ୍ୟୁଟ୍ (ଏମସ)ର ମୁଖ୍ୟ ପ୍ରଫେସର ଗୌର କିଶୋର ରଥଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଥିଲା ।ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ଓ ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ ଉପସ୍ଥିତ ଥିଲେ । କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ବିଶ୍ୱବିଦ୍ୟାଳୟରେ ୧୨ଟି ଗବେଷଣା କେନ୍ଦ୍ର କାର୍ଯ୍ୟରତ ଥିବାବେଳେ ଶୀଘ୍ର ସେଣ୍ଟର ଫର ଏନଭାଇରୋମେଣ୍ଟଟାଲ ସାଇନସ ଆଣ୍ଡ କ୍ଲାଇମେଟ୍ ସ୍ଥାପନ କରାଯିବ ବୋଲି କହିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar