Breaking News
Home / Bhubaneswar / Gopabandhu Jyoti Yatra Concluded

Gopabandhu Jyoti Yatra Concluded

ଗୋପବନ୍ଧୁ ଜ୍ୟୋତିଯାତ୍ରା-୨୦୧୭ ଉଦ୍‍ଯାପିତ :‘ଉକ୍ରଳମଣି ଥିଲେ ଓଡିଶାର ମହାତ୍ମା ଗାନ୍ଧୀ’

ଭୁବନେଶ୍ୱର,୧୧ା୧୧: ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଓଡ଼ିଶାର ମହାତ୍ମା ଗାନ୍ଧି । ତାଙ୍କ ଭଳି ପୁଣ୍ୟାତ୍ମା ଦେଶରେ ଅଦ୍ୱିତୀୟ । ଗୋପବନ୍ଧୁଙ୍କୁ ଦେଶ ଆଜି ଯେଭଳି ସମ୍ମାନ ଦେବା କଥା ତାହା ଦେଇପାରିନାହିଁ । ତଥାପି ତାଙ୍କ ମାନସ ସନ୍ତାନ ‘ସମାଜ’ ଆଜି ତାଙ୍କ ନୀତି, ଆଦର୍ଶ ଓ ବଳିଦାନର ପରାକାଷ୍ଠାକୁ ପ୍ରତ୍ୟେକ ଓଡ଼ିଆଙ୍କ ଜନମାନସରେ ଜାଗ୍ରତ କରି ରଖିବାରେ ସଫଳ ହୋଇଛି ବୋଲି ବିଶିଷ୍ଟ ସାମ୍ବାଦିକ, ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‍’ର ସମ୍ପାଦକୀୟ ନିର୍ଦେଶକ ପ୍ରଭୁ ଚାୱଲା କହିଛନ୍ତି ।ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ୧୪୦ତମ ଜୟନ୍ତୀ ଅବସରରେ ‘ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ଗୋପବନ୍ଧୁ ଜ୍ୟୋତି ଯାତ୍ରା-୨୦୧୭ ଶୁକ୍ରବାର ସନ୍ଧ୍ୟାରେ କିସ୍‍ ପରିସରରେ ଉଦ୍‍ଯାପିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଚାୱଲା କହିଥିଲେ, ଯଦି ଆମେ ଇତିହାସର ଅବଲୋକନ କରିବା ତେବେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭଳି ଦ୍ୱିତୀୟ ବ୍ୟକ୍ତି ଖୋଜି ପାଇବା କଷ୍ଟକର । ଓଡ଼ିଶାବାସୀଙ୍କ ପ୍ରତି ଗୋପବନ୍ଧୁଙ୍କ ଅବଦାନ ପାଇଁ ତାଙ୍କ ଫଟୋଚିତ୍ର ସଂସଦର କେନ୍ଦ୍ରୀୟ ହଲ୍‍ରେ ସ୍ଥାନ ପାଇବା ଉଚିତ । ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ୍‍.ଏନ୍‍ ସୁବ୍‍ବା ରାଓ କହିଥିଲେ, ପଣ୍ଡିତ ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧି, ଭଗତ ସିଂହ, ଖୁଦିରାମ ଏକ ଆଦର୍ଶ ଭାରତ ଗଠନ ପାଇଁ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଆଜିପର୍ଯ୍ୟନ୍ତ ସେମାନଙ୍କର ଏହି ବଳିଦାନ ଚରିତାର୍ଥ ହୋଇ ପାରିନାହିଁ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ, ଆମେ କଦାପି ନିଜ ମା’ ଓ ମାଟିକୁ ଭୁଲିଯିବା ଉଚିତ ନୁହେଁ । ଆମ ସମସ୍ତଙ୍କର ନିଜ ମାତୃଭୂମି ପାଇଁ ଅନେକ କିଛି କରିବାର ଅଛି । ଏହି ଲକ୍ଷ୍ୟ ନେଇ ପଣ୍ଡିତ ଗୋପବନ୍ଧୁ ଯାହା କରି ଯାଇଛନ୍ତି ତାହା ଆଜି ସମଗ୍ର ବିଶ୍ୱ ପାଇଁ ଅନୁକରଣୀୟ । ତାଙ୍କର ସେହି ବାର୍ତ୍ତାକୁ ଜନମାନସରେ ପୁନଃଜୀବିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଆୟୋଜନ କରାଯାଉଛି । ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ, ଜୀବଦ୍ଦଶା ମଧ୍ୟରେ ଗୋପବନ୍ଧୁ ଯେଉଁ ଆଦର୍ଶକୁ ନେଇ କାମ କରୁଥିଲେ ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ । ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ତାଙ୍କରି ମାର୍ଗଦର୍ଶନରେ ପ୍ରତି କାର୍ଯ୍ୟ ସମ୍ପାଦିତ ହେଉଛି । ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି କହିଥିଲେ, ପ୍ରତିବର୍ଷ ଗୋପବନ୍ଧୁ ଜ୍ୟୋତି ଯାତ୍ରା ସମୟରେ ଦେଶ ଗଠନରେ ବଳିଷ୍ଠ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିବିଶେଷଙ୍କୁ ଆମେ ସମ୍ବର୍ଦ୍ଧିତ କରି ଆସୁଛୁ । କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କହିଥିଲେ, କିସ୍‍ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଗୋପବନ୍ଧୁ ଭାବେ ଗଢ଼ି ତୋଳିବା ହେଉଛି ଆମ ଲକ୍ଷ୍ୟ । ଉଦ୍‍ଯାପନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଗୋପବନ୍ଧୁ ଜ୍ୟୋତି ଯାତ୍ରାରେ ସହଯୋଗ କରିଥିବା ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar