Breaking News
Home / Cinema & Music / Rasabihari Behera to Devagiri Samman

Rasabihari Behera to Devagiri Samman

ରାସବିହାରୀ ବେହେରାଙ୍କୁ ଦେବଗିରି ସମ୍ମାନ ଯୁବ ସମ୍ମାନ ପାଇବେ ସାବିତ୍ରୀ ମହାରଣା

ଭବାନୀପାଟଣା, ୧୧/୧୧/୨୦୧୭ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ପାଇଁ ଦେବଗିରି ସମ୍ମାନ ଓ ଦେବଗିରି ଯୁବ ସମ୍ମାନ ଘୋଷଣା କରାଯାଇଛି । ବିଶିଷ୍ଟ ଔପନ୍ୟାସିକ, ରାଜନେତା ତଥା ସଂଗଠକ ରାସବିହାରୀ ବେହେରାଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ୧୯୩୮ ମସିହାରେ କଳାହାଣ୍ଡି ଜିଲ୍ଲାର ମହିଚଲାଠାରେ ଜନ୍ମିତ ଶ୍ରୀ ବେହେରା ପ୍ରାରମ୍ଭିକ ଜୀବନରେ ଶିକ୍ଷକତା ଓ ସମ୍ବାଦିକତା କରିଥିବାବେଳେ ପରେ ସାହିତ୍ୟ ସାଧନା, ସାହିତ୍ୟ ସଂଗଠନ, କ୍ରୀଡ଼ା ସଂଗଠନ, ସଂସ୍କୃତି ସଂଗଠନ ଓ ରାଜନୀତି କ୍ଷେତ୍ରରେ ବେଶ୍ ପାରଦର୍ଶିତା ଦେଖାଇ ପାରିଛନ୍ତି । ଶ୍ରୀ ବେହେରା ଔପନ୍ୟାସିକ ଓ ପ୍ରାବନ୍ଧିକ ଭାବେ ଓଡ଼ିଆ ସାହିତ୍ୟରେ ବେଶ୍ ପରିଚିତ । ଏଯାବତ୍ ତାଙ୍କର ୧୧ଟି ପୁସ୍ତକ ପ୍ରକାଶ ପାଇଥିବାବେଳେ ସାହିତ୍ୟ ସାଧନା ପାଇଁ ସେ ରାଜ୍ୟର ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି । କଳାହାଣ୍ଡି ଲେଖକ କଳା ପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ସମ୍ବାଦପତ୍ର ‘ଅର୍ଜି’, ସାହିତ୍ୟ ପତ୍ରିକା ‘ସାଗର’, ‘ଗିରିଝର’ ପତ୍ରିକା ଆଦି ଆରମ୍ଭ କରି ସେ ଜିଲ୍ଲା ତଥା ରାଜ୍ୟର ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଏକ ନବଜାଗରଣ ସୃଷ୍ଟି କରିପାରିଛନ୍ତି । କୋକସରା ନିର୍ବାଚନମଣ୍ଡଳୀରୁ ସେ ଦୁଇଥର ବିଧାନସଭାକୁ ନିର୍ବାଚିତ ହୋଇଥିବାବେଳେ କୃଷିମନ୍ତ୍ରୀ ଭାବେ ଦେଶରେ ପ୍ରଥମକରି ଫସଲ ବୀମା କ୍ଷେତ୍ରରେ ପଞ୍ଚାୟତକୁ ୟୁନିଟ୍ କରି ସେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ସେହିପରି କଳାହାଣ୍ଡି ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ ଦେଶବିଦେଶର ବିଭିନ୍ନ ଉପକ୍ରମରେ ସାମିଲ ହୋଇଥିଲେ । ବୁଲଗାରିଆରେ ଆୟୋଜିତ ବିଶ୍ୱ ଶାନ୍ତି ସମ୍ମିଳନୀରେ ସେ ଭାରତର ପ୍ରତିନିଧି ଭାବେ ଯୋଗଦେଇଥିଲେ । ବିଶ୍ୱର ଅନେକ ଦେଶ ବୁଲିଥିବା ଶ୍ରୀ ବେହେରା କାନାଡ଼ା ଭ୍ରମଣ ଅନୁଭୂତିକୁ ନେଇ ଲେଖିଥିବା ଭ୍ରମଣ କାହାଣୀ ‘ଅନନ୍ୟ ସୃଷ୍ଟି କାନାଡ଼ା’ ପାଇଁ ୨୦୧୩ ମସିହା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେ ନଗରପାଳ ଥିବାବେଳେ ଭବାନୀପାଟଣା ପୌରପାଳିକା ରାଜ୍ୟରେ ଶ୍ରେଷ୍ଠ ନଗରପାଳିକା ଭାବେ ସ୍ୱେରେଜ୍ ଯୋଜନାରେ କେନ୍ଦ୍ରରୁ ୨୫ଲକ୍ଷ ଟଙ୍କା ପୁରସ୍କାର ପାଇଥିଲା । ଜିଲ୍ଲା ଓ ରାଜ୍ୟର ବିଭିନ୍ନ କ୍ରୀଡ଼ା ସଙ୍ଗଠନର କର୍ମକର୍ତ୍ତା ଭାବେ କାର୍ୟ୍ୟ କରିଥିବା ଶ୍ରୀ ବେହେରା ଜନସାଧାରଣଙ୍କଠାରୁ ଦାନ ସଂଗ୍ରହ କରି ଭବାନୀପାଟଣାରେ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ନିର୍ମାଣ କରାଇ ଇତିହାସ ରଚିଛନ୍ତି । ୧୯୮୨ରେ ଦିଲ୍ଲୀରେ ଆୟୋଜିତ ଏସିଆଡ୍ ଗେମ୍ସ କମିଟିରେ ମଧ୍ୟ ସେ ସଦସ୍ୟ ରହିଥିଲେ । ସେହିପରି ଏବର୍ଷର ‘ଦେବଗିରି ଯୁବ ସମ୍ମାନ’ ପାଇବେ ଯୁବ ସମାଜସେବୀ, କଳାକାର ତଥା ବେତାର ଉପସ୍ଥାପିକା ସୁଶ୍ରୀ ସାବିତ୍ରୀ ମହାରଣା । ଭବାନୀପାଟଣାର ଶ୍ରୀମତୀ ସରୋଜିନୀ ମହାରଣା ଓ ୰ନିରଞ୍ଜନ ମହାରଣାଙ୍କ ସୁପୁତ୍ରୀ ସାବିତ୍ରୀ କଲେଜ ଜୀବନରୁ କଳା ସାଧନା ଓ ସମାଜସେବାରେ ବ୍ରତୀ ହୋଇଥିଲେ । ସ୍ନାତକ ଶ୍ରେଣୀରେ ପଢ଼ିଲାବେଳେ ସେ ଭବାନୀପାଟଣା ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ସଭାନେତ୍ରୀ ଭାବେ ନିର୍ବାଚିତ ହୋଇ ନିଜକୁ ଜଣେ ଉତ୍ତମ ସଂଗଠକ ରୂପେ ପ୍ରତିପାଦିତ କରିପାରିଥିଲେ । ୨୦୦୯ରୁ ସେ ରକ୍ତଦାନ କରିଆସୁଥିବାବେଳେ ୨୦୧୨ ଓ ୨୦୧୬ ମସିହାର ଶ୍ରେଷ୍ଠ ରକ୍ତଦାତା ଭାବେ ରେଡକ୍ରସ୍ ପକ୍ଷରୁ ସମ୍ମାନିତ ହୋଇଛନ୍ତି । ୨୦୧୩ ମସିହାରେ ଗଭର୍ଣ୍ଣର୍ ଟ୍ରଫି ପାଇଁ ସେ ମନୋତୀତ ହୋଇଥିଲେ ମଧ୍ୟ ପିତାଙ୍କ ଦେହାନ୍ତ ଯୋଗୁଁ ତାହା ଗ୍ରହଣ କରିପାରିନଥିଲେ । ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, କଲକାତା, ଛତିଶଗଡ଼, ଝାରଖଣ୍ଡ, ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ସ୍ଥାନରେ ସେ ଲୋକନୃତ୍ୟ ଓ ଲୋକନାଟକରେ ଅଂଶଗ୍ରହଣ କରି ପ୍ରଶଂସିତ ହୋଇଛନ୍ତି । ୨୦୧୬ ମସିହାରେ ବିହାରରେ ଅନୁଷ୍ଠିତ ଭୋଜପୁର ନାଟ୍ୟ ମହୋତ୍ସବରେ ଯୋଗଦେଇ ସେ ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସେ ମହାବୀର ଯୁବ କଳାକାର ସମ୍ମାନ ପାଇବା ସହ ରକ୍ତଦାନ କ୍ଷେତ୍ରରେ ସମ୍ବର୍ଦ୍ଧିତ ହୋଇଛନ୍ତି । ସଂପ୍ରତି ଭବାନୀପାଟଣା ସ୍ଥିତ ଶାସ୍ତ୍ରୀଜୀ ଶିକ୍ଷା ନିକେତନରେ କାର୍ୟ୍ୟରତ ସାବିତ୍ରୀ ଏବର୍ଷ ବିଦ୍ୟାଳୟର ଶ୍ରେଷ୍ଠ ଶିକ୍ଷୟିତ୍ରୀ ସମ୍ମାନ ପାଇଛନ୍ତି । ଆକାଶବାଣୀ ଭବାନୀପାଟଣାର ଯୁବବାଣୀ ବିଭାଗର ଉପସ୍ଥାପିକା ଭାବେ ମଧ୍ୟ ସେ ବେଶ୍ ଜନପ୍ରିୟ ହେବାସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି ପାରିଛନ୍ତି ।କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦରଠାରେ ଆସନ୍ତା ୨୪ରୁ ୨୬ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ ତଥା କୁମାରସ୍ୱାମୀ ମହୋତ୍ସବ ଅବସରରେ ଉପରୋକ୍ତ ସମ୍ମାନ ପ୍ରଦାନ କରାଯିବ । ଅନ୍ୟାନ୍ୟ ବିଭାଗର ସମ୍ମାନ ଖୁବ୍ ଶ୍ରୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି ।

ସୁଧୀର କୁମାର ଧଙ୍ଗଡ଼ାମାଝୀ, ଯୁଗ୍ମ ସମ୍ପାଦକ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ
Mobile  ୯୭୭୭୯୪୯୮୦୦

About surendrahota

Leave a Reply

%d bloggers like this:
Skip to toolbar