Breaking News
Home / Bhubaneswar / BJD political agenda

BJD political agenda

ଓଡ଼ିଶାର ସ୍ୱାର୍ଥ ବିରୋଧୀ ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ବିରୁଦ୍ଧରେ ରାଜଭବନ ସମ୍ମୁଖରେ ଗଣବିକ୍ଷୋଭ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଧାରଣା ଓ ହରତାଳ: ବିଜୁ ଜନତା ଦଳ

bjd-press-meet-at-bjd-party-office-bbsr-photo-1
ଭୁବନେଶ୍ୱର,୧୧/୯/୨୦୧୬: (ବିଶ୍ୱରଞ୍ଜନ ମିଶ୍ର /ଶେଖ ମୁସୀର ମୁବୀନ)-ପୋଲାଭରମ୍‌ ପ୍ରକଳ୍ପ ନିର୍ମାଣ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ଆନ୍ଧ୍ର ସରକାରଙ୍କ ଦ୍ୱାରା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦକ୍ଷିଣ ଓଡ଼ିଶାର ଅର୍ଦ୍ଧାଧିକ ଅଞ୍ଚଳ ବୁଡିଯିବ। ଏହା ଦ୍ୱାରା ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବ। ମୋଟ ଉପରେ ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବ, ଯେଉଁଥିରେ ୫୯୧୬ ଜଣ ଆଦିବାସୀ ଅନ୍ତର୍ଭୁକ୍ତ। ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ। ଓଡ଼ିଶାର ଜନଜାତିଙ୍କ ଜୀବନ ଏବଂ ଜୀବିକା ଉପରେ ଏହାର ପ୍ରଭୁତ ପ୍ରତିକୂଳ ପ୍ରଭାବ ପଡ଼ିବ।ଏ ସଂପର୍କରେ ଓଡ଼ିଶା ସରକାର ବାରମ୍ବାର ପତ୍ରଲେଖି ପୋଲାଭରମ୍‌ ପ୍ରକଳ୍ପର ପୁନର୍ବିଚାର ପାଇଁ କେନ୍ଦ୍ରକୁ ଅନୁରୋଧ କରିଥିଲେ। ପୋଲାଭରମ୍‌ ପ୍ରସଂଗରେ ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ ଯେ ପ୍ରସ୍ତାବିତ ପ୍ରକଳ୍ପରେ ଗୋଦାବରୀ ଜଳ ବିବାଦ ଟି୍ରବୁ୍ୟନାଲ୍‌ ଆଦେଶ ଓ ଜାତୀୟ ମାନକଗୁଡିକୁ ଉଲ୍ଲଂଘନ କରାଯାଇଛି। ଆଶ୍ଚର୍ଯ୍ୟ କଥା ଯେ ପ୍ରକଳ୍ପଟି ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ହୋଇଥିବାରୁ ଓ ବହୁସଂଖ୍ୟାରେ ଆଦିବାସୀ ଏହାଦ୍ୱାରା ପ୍ରଭାବିତ ହେଉଥିବାରୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାହା ନିଆଯାଇନାହିଁ ଏବଂ ସେହି ଅଞ୍ଚଳରେ ପଲ୍ଲୀସଭା, ଯାହାକି ନିହାତି ଆବଶ୍ୟକ ତାହା କରାଯାଇନାହିଁ। ଏହି ସମସ୍ତ ବିଷୟକୁ ନେଇ ଓଡ଼ିଶା ସରକାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୩୧ ଆଧାରରେ ୯.୧୦.୨୦୦୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କୁ କରିଥିବା ଆବେଦନରେ ଓଡ଼ିଶା ସରକାର ଦର୍ଶାଇଥିଲେ ଯେ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହେଉଥିବାରୁ ଓ ଅନେକ ଲୋକ ପ୍ରଭାବିତ ହେଉଥିବାରୁ ଏହାକୁ ରାଜ୍ୟ ବିରୋଧ କରୁଛି। ଓଡ଼ିଶାବାସୀଙ୍କ ସ୍ୱାର୍ଥର ପରିପନ୍ଥୀ ଏହି ପ୍ରକଳ୍ପ ପ୍ରଚଳିତ ନିୟମର ଉଲ୍ଲଂଘନ କରୁଥିବାରୁ ପ୍ରକଳ୍ପ ପାଇଁ ଭାରତ ସରକାର ପ୍ରଦାନ କରିଥିବା ପରିବେଶ ମଞ୍ଜୁରୀ ରଦ୍ଦ କରାଯାଉ।ଏହା ସହିତ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ୧୭.୪.୨୦୦୭ରେ ଦେଇଥିବା ଅନୁମୋଦନକୁ ମଧ୍ୟ ରଦ୍ଦ କରାଯାଉ। ପ୍ରକଳ୍ପର ଉଚ୍ଚତା ହ୍ରାସ କରାଯାଉ। ବୈଷୟିକ ମାନ ଓ ତଥ୍ୟ ଉଲ୍ଲଂଘନ କରୁଥିବାରୁ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ଅନୁମୋଦିତ ଆଡ଼ିବନ୍ଧ ଯୋଜନାକୁ ରଦ୍ଦ କରାଯାଉ। ଏହାପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଦରଖାସ୍ତ ଦେଇ ପ୍ରକଳ୍ପ ବିରୋଧରେ ପୁଣି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦ୍ୱାରା ମଞ୍ଜୁର ପରାମର୍ଶ କମିଟିର ଅନୁମୋଦନ ଓ ଜଙ୍ଗଲ ମଞ୍ଜୁରୀକୁ ରଦ୍ଦ କରାଯିବା ସହିତ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ଘୋଷଣା ଉପରେ ନିଷେଧାଜ୍ଞା ଜାରି କରିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଦରଖାସ୍ତରେ ଆବେଦନ କରାଯାଇଥିଲା। ଏହାପରେ ୨୨.୭.୨୦୧୩ରେ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ବୈଠକରେ ଯୋଗଦେଇ ଓଡ଼ିଶା ସରକାର ପୋଲାଭରମ୍‌ ପ୍ରକଳ୍ପର ପ୍ରତିକୂଳ ଦିଗ ସଂପର୍କରେ ଅବଗତ କରାଇଥିଲେ। ଏହାଦ୍ୱାରା ଗୋଦାବରୀ ଜଳ ବିବାଦ ଟ୍ରିବୁ୍ୟନାଲ୍‌ ଆଦେଶ ଉଲ୍ଳଂଘନ ହେଉଥିବା ମଧ୍ୟ ଅବଗତ କରାଇଥିଲେ। ସେହିଦିନ ପ୍ରସ୍ତାବିତ ପ୍ରକଳ୍ପର କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ପୁଣି ଏକ ଆବେଦନ କରିଥିଲେ। ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ସତ୍ତ୍ୱେ କେନ୍ଦ୍ର ସରକାର ସେଥିପ୍ରତି ଭ୍ରୂକ୍ଷେପ ନକରି ପୋଲାଭରମ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ) ଗଠନ ପାଇଁ ଅନୁମୋଦନ ଦେଇଛନ୍ତି। ୨୦୧୪ ଜୁଲାଇ ୨୮ରେ ଓଡିଶା ବିଧାନସଭାରେ ପୋଲାଭରମ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଥିଲା ଯେ ପୋଲାଭରମ୍‌ ପ୍ରକଳ୍ପ ରାଜ୍ୟର ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ। ସେମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏହି ପ୍ରକଳ୍ପ ସଂପର୍କରେ ପୁନର୍ବିଚାର କରିବା ସହ ପୋଲାଭରମ୍‌ ନିର୍ମାଣ ବନ୍ଦ କରିବାକୁ ଅନୁରୋଧ କରାଯିବ। ଜଳସଂପଦ ବିଭାଗ କେନ୍ଦ୍ରକୁ ସ୍ମାରକପତ୍ର ଦେବାକୁ ସ୍ଥିର ହୋଇଥିଲା। ତେବେ ଏ ସଂକ୍ରାନ୍ତ ଗୃହ କମିଟି ସେ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଏ ଯାବତ୍‌ ଅନୁମତି ପାଇଲେ ନାହିଁ। ପଞ୍ଚଦଶ ବିଧାନସଭାର ତୃତୀୟ ଅଧିବେଶନରେ ପୋଲାଭରମ୍‌ ସଂକ୍ରାନ୍ତ ଗୃହ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଗତ ଜୁନ୍‌ ୧୮ ତାରିଖରେ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ ତଥ୍ୟକୁ ଆଧାର କରି ଓଡ଼ିଶା ସରକାର ସୁପି୍ରମକୋର୍ଟରେ ଗତ ୬.୧୧.୨୦୧୫ରେ ଏକ ସଂଶୋଧିତ ମାମଲା ଦାୟର କରିଛନ୍ତି।ଗତ ବିଧାନସଭା ଅଧିବେଶନରେ ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କରି କେନ୍ଦ୍ର ସରକାର ପୋଲାଭରମ୍‌ ପ୍ରକଳ୍ପ ଲାଗି ଆନ୍ଧ୍ରକୁ ଆଖିବୁଜା ସମର୍ଥନ କରୁଥିବା ପ୍ରତିବାଦରେ ବିଜେଡି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ବିଭିନ୍ନ ସମୟରେ ପ୍ରସ୍ତାବିତ ପ୍ରକଳ୍ପ ବିରୋଧରେ ଉଠିଥିବା ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ପ୍ରଦାନ କରିବା, ଅବିଭକ୍ତ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ୧୯୭୮ ଡିସେମ୍ବର ୧୫ତାରିଖରେ ହୋଇଥିବା ରାଜିନାମା ଅନୁଯାୟୀ ବନ୍ଧର ଉଚ୍ଚତା ୧୫୦ ଫୁଟରେ ସୀମିତ ରଖିବା, ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ବାତିଲ କରିବା, ବୈଷୟିକ ମାନ ଓ ପ୍ରଭାବ ଯାଞ୍ଚ ବିନା ପ୍ରକଳ୍ପ ନିର୍ମାଣ ବାରଣ କରିବା, ପ୍ରସ୍ତାବିତ ପ୍ରକଳ୍ପରୁ ଜାତୀୟ ମାନ୍ୟତା ପ୍ରତ୍ୟାହାର କରିବା, ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ୧୭,୦୦୦ କୋଟି ଟଙ୍କା ପାଇଁ ବୈଷୟିକ କମିଟି ଦେଇଥିବା ସୁପାରିସ ବାତିଲ କରିବା, ସୁପ୍ରିମକୋର୍ଟଙ୍କ ରାୟ ପରେ ଜନଶୁଣାଣି ପ୍ରସ୍ତାବ, ଟେଣ୍ଡର ପ୍ରକ୍ରିୟା ଆଦି ବାତିଲ ପାଇଁ ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି।ସ୍ୱାଧୀନତା ପରଠାରୁ କ୍ରମାଗତ ଭାବରେ କେନ୍ଦ୍ରୀୟ ଅବହେଳାର ଶିକାର ହୋଇ ଆସୁଥିବା ଓଡ଼ିଶା ଉପରେ ପୁଣି ପୋଲାଭରମ୍‌ ପ୍ରକଳ୍ପର ଦୁଃସହ ବୋଝ ଲଦି ଦିଆଯାଇଛି। ଏପରିକି ପୋଲାଭରମ୍‌ ପ୍ରକଳ୍ପ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ କେନ୍ଦ୍ର ସରକାର ସେଥିପ୍ରତି ଭ୍ରୂକ୍ଷେପ କରୁନାହାନ୍ତି। ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସବୁ ପ୍ରକାର ନୀତି ନିୟମକୁ ଜଳାଞ୍ଜଳି ଦିଆଯାଉଛି। ସବୁଠାରୁ ଉଦ୍‌ବେଗଜନକ ପ୍ରସଂଗ ହେଉଛି ଯେ ଏହି ପ୍ରକଳ୍ପ ଯୋଗୁଁ ହଜାର ହଜାର ଏକର ଜମି ଓ ଶତାଧିକ ଗାଁ ଗଣ୍ଡା ବୁଡ଼ିଯିବା ନିଶ୍ଚିତ ଥିଲେ ମଧ୍ୟ ସେଥିପ୍ରତି କେନ୍ଦ୍ର ସରକାର ତିଳେ ହେଲେ ବି ଚିନ୍ତିତ ଥିବାଭଳି ଜଣା ପଡୁନାହାନ୍ତି। ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ଗରିବ ଆଦିବାସୀଙ୍କ ଜୀବନ ଜୀବିକା ପ୍ରତି ଆଖି ବୁଜି ଦେଇଛନ୍ତି।ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ୨୦୦୬ ମସିହାରୁ ତକ୍ରାଳୀନ ଆନ୍ଧ୍ର ଓ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ, ଜଳ ସଂପଦ ମନ୍ତ୍ରାଳୟ, ଯୋଜନା କମିଶନ ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାନ କରି ସୁପ୍ରିମକୋର୍ଟଙ୍କ ବିଚାରାଧୀନ ପୋଲାଭରମ୍‌ ପ୍ରକଳ୍ପକୁ ବିରୋଧ କରିଆସିଛନ୍ତି। ଆନ୍ଧ୍ରର ସ୍ୱାର୍ଥ ରକ୍ଷା ଲାଗି ପୋଲାଭରମ୍‌ ପ୍ରକଳ୍ପର ସଂଶୋଧିତ ନକ୍ସାକୁ କେନ୍ଦ୍ରୀୟ ଜଳ କମିଶନ ଏକତରଫା ଭାବେ ଅନୁମୋଦନ କରିଛନ୍ତି, ଯାହା ଗୋଦାବରୀ ଜଳ ବିବାଦ ଟ୍ରିବୁ୍ୟନାଲ୍‌ ରାୟର ପରିପନ୍ଥୀ। ସେହିପରି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଓଡ଼ିଶାର ଜଙ୍ଗଲ ସଂପଦ କ୍ଷୟକ୍ଷତି ପ୍ରତି ଦୃଷ୍ଟି ନଦେଇ ପୋଲାଭରମ୍‌ ପ୍ରକଳ୍ପକୁ ପରିବେଶ ଅନୁମତି ଦେବା ଦୁର୍ଭାଗ୍ୟଜନକ। ମାଲକାନଗିରି ଓ ରାୟଗଡ଼ା ଜିଲ୍ଳାର କିଛି ଅଂଶରେ ସ୍ଥାନୀୟ ଅଧିବାସୀ ଓ ବିଶେଷକରି ଆଦିବାସୀଙ୍କୁ ବାସଚୁ୍ୟତ କରିବା ପାଇଁ ଆନ୍ଧ୍ର ଓ କେନ୍ଦ୍ର ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଯେଉଁ ଓଡ଼ିଶା ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି ତାହାର ପ୍ରତିବାଦରେ ବିଜୁ ଜନତା ଦଳ କାର୍ଯ୍ୟକ୍ରମ ଘୋଷଣା କରୁଛି।

bjd-press-meet-at-bjd-party-office-bbsr-photo-5
    ଆସନ୍ତା ୧୪ ସେପ୍ଟେମ୍ବରରେ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇ ମହାମହିମ ରାଷ୍ଟପ୍ରତିଙ୍କ ଉଦେ୍ଦଶ୍ୟରେ ମାନନୀୟ ରାଜ୍ୟପାଳଙ୍କୁ ସ୍ମାରକପତ୍ର।
    ୨୦ ସେପ୍ଟେମ୍ବର ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ।
    ୧ ଅକ୍ଟୋବରରେ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ଜିଲ୍ଲାବ୍ୟାପୀ ଶାନ୍ତିପୂର୍ଣ୍ଣ ହରତାଳ କରାଯିବ।
୭ଟି ଜିଲ୍ଲାରେ ଧାରଣା ଓ ହରତାଳ କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ଓ ସହ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପ-ସଭାପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ଯୁବ ବିଜେଡି ସଭାପତି ତଥା ମନ୍ତ୍ରୀ ସଂଜୟ ଦାସବର୍ମା, ମୁଖପାତ୍ର ରବିନାରାୟଣ ନନ୍ଦ, ମନ୍ତ୍ରୀ ଲାଲବିହାରୀ ହିମିରିକା, ସାଂସଦ ଝିନ୍ନ ହିକ୍‌କା, ଛାତ୍ର ବିଜେଡି ସଭାପତି ବିଧାୟକ ବ୍ୟୋମକେଶ ରାୟ ଓ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ପ୍ରମୁଖ ସୂଚନା ଦେଇଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar