Breaking News
Home / Bhubaneswar / Statement of Dharmendra Pradhan regarding Mahanadi issue is confusing : Prasanna Acharya

Statement of Dharmendra Pradhan regarding Mahanadi issue is confusing : Prasanna Acharya

ମହାନଦୀ ପ୍ରସଂଗରେ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରହେଳିକା ସୃଷ୍ଟିର ଉଦ୍ୟମ ମାତ୍ର: ପ୍ରସନ୍ନ ଆଚାର୍ଯ୍ୟ

Prasanna Acharya

ଭୁବନେଶ୍ୱର,୫/୮/୨୦୧୬:(ମନୋମାନୀ ସିଂ) କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ମହାନଦୀ ପ୍ରସଂଗରେ ଦେଇଥିବା ମନ୍ତବ୍ୟ ଏବଂ ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କରିଥିବା ସମାଲୋଚନାର କଡ଼ା ଜବାବ ଦେଇ ବିଜେଡିର ଉପ-ସଭାପତି ତଥା ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟକୁ ଅବାସ୍ତବ, ହାସ୍ୟାସ୍ପଦ ଏବଂ ପ୍ରକୃତ ସମସ୍ୟାକୁ ଏଡ଼ାଇଯିବା ପାଇଁ ଏକ ସୁଚିନ୍ତିତ ଯୋଜନା ବୋଲି କହିଛନ୍ତି।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ଯେ ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ମହାନଦୀ ମା’ପରି ୪ କୋଟି ୨୦ଲକ୍ଷ ଓଡ଼ିଶାବାସୀଙ୍କୁ ବଞ୍ଚôବାକୁ ଶକ୍ତି ଯୋଗାଇଛି। ମହାନଦୀକୁ ଏ ଜାତି କେବେ ଅଣଦେଖା କରିପାରିବ ନାହିଁ। ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୁରକ୍ଷା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବୁ। ଛତିଶଗଡ଼ ସରକାରଙ୍କ ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ରକୁ ଓ କେନ୍ଦ୍ରର ଦୋମୁହାଁ ନୀତିକୁ ବିରୋଧ କରି ବିଜୁ ଜନତା ଦଳ ଗଣଆନେ୍ଦାଳନର ଆହ୍ୱାନ ଦେଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଶାର ସ୍ୱାର୍ଥକୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ଅନ୍ୟ ରାଜ୍ୟର ସ୍ୱାର୍ଥ ପାଇଁ ଓକିଲାତି କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ମହାନଦୀ ପ୍ରସଂଗରେ ବିଜେପି ଓ ଏହାର ନେତାଙ୍କ ଆଭିମୁଖ୍ୟ “ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି” ସଦୃଶ ହୋଇଛି। ମହାନଦୀ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମହାସଂଗ୍ରାମର ଆହ୍ୱାନରେ ଓଡ଼ିଶାର ଅଗଣିତ ଜନସାଧାରଣ ଝାସ ଦେଉଥିବା ବେଳେ ସେଥିରୁ ଜନମତକୁ ଅପସାରିତ କରିବା ପାଇଁ ଓ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ କିଛି ରାଜନୈତିକ ନେତୃବୃନ୍ଦ ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନେ ଅପଚେଷ୍ଟା କରୁଛନ୍ତି। କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସ୍ୱାର୍ଥ ପ୍ରତି ସଚେତନ ଅଛନ୍ତି ବୋଲି ବିଜେପି ନେତୃତ୍ୱ ଏଠାରେ ଦୃଢ଼ୋକ୍ତି କରୁଛନ୍ତି। ତେବେ ଆମେ ଅନୁରୋଧ କରୁଛୁ, ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ବର୍ତ୍ତମାନ କାମ ଚାଲୁଥିବା ମହାନଦୀର ସମସ୍ତ ପ୍ରକଳ୍ପକୁ ଛତିଶଗଡ଼ ସରକାର ତୁରନ୍ତ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ। ସର୍ବଦଳୀୟ ବୈଠକରେ ବିଜେଡି ଯୋଗ ଦେଇ ନଥିବାର ଅଭିଯୋଗ କରୁଥିବା ଜାତୀୟ ଦଳମାନେ ଏ ସମସ୍ୟା ଉପରେ ପ୍ରଥମେ ନିଜ ଭିତରେ ସହମତି ଆଣନ୍ତୁ। ସର୍ବସାଧାରଣରେ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଥିବା ଏବଂ ପରସ୍ପର ଉପରେ ଦୋଷାରୋପ କରୁଥିବା ଏହି ଦଳର ନେତୃମଣ୍ଡଳୀ ନିଜ ଭିତରେ ସହମତି ସୃଷ୍ଟି କରି ପରେ ବିଜେଡିକୁ ପରାମର୍ଶ ଦେଲେ ଭଲ ହୁଅନ୍ତା। ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ରାଜନୀତି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଯୋଗକୁ ଉଲ୍ଲେଖ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ପାଖାପାଖି ଦୁଇ ଦଶନ୍ଧି ଧରି ଓଡ଼ିଶାର ଜନସାଧାରଣ ଅକୁଣ୍ଠିତ ଚିତ୍ତରେ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ସମର୍ଥନ ଦେଇଆସୁଥିବା ବେଳେ କୌଣସି ନିର୍ବାଚନ ପାଇଁ ବିଜେଡି ଚିନ୍ତିତ ଓ ଭୟଭୀତ ହେବାର ଅଭିଯୋଗ ହାସ୍ୟାସ୍ପଦ ଅଟେ। ବରଂ ଯେଉଁଦଳ ବିଗତ ଦିନ ମାନଙ୍କରେ ନିର୍ବାଚନରେ ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇ ଦାରୁଣ ପରାଜୟର ସମ୍ମୁଖୀନ ହେଲେ ନିର୍ବାଚନ ଭୟ ସେହିମାନଙ୍କୁ ହିଁ ଘାରୁଥିବ ଏବଂ ଓଡ଼ିଶାର ଜନଜୀବନର ଜୀବନ-ମରଣର ସମସ୍ୟାକୁ ନେଇ ସେହିମାନେ ହିଁ ରାଜନୀତିର ରୂପରଙ୍ଗ ଦେଉଛନ୍ତି। ମହାନଦୀ ସମସ୍ୟା ଉପରେ ବିଜେପି ଶ୍ୱେତପତ୍ର ପ୍ରକାଶ କରିବ ବୋଲି ହୋଇଥିବା ଘୋଷଣା ସଂପର୍କରେ ମନ୍ତବ୍ୟ ଦେଇ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଶ୍ୱେତପତ୍ର ପ୍ରକାଶ କରି ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କର ମହାନଦୀ ସଂପର୍କିତ କଳା କାରନାମା ଉପରେ ଧଳା ଚାଦର ଘୋଡ଼ାଇବାର ଏହା ଅପଉଦ୍ୟମ ନୁହେଁ ତ! ମହାନଦୀର ମହାସଂକଟ ସଂପର୍କରେ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ସବୁ ସମୟରେ ଓ ସମସ୍ତଙ୍କ ସହିତ ମୁକ୍ତ ଆଲୋଚନାକୁ ସେ ସ୍ୱାଗତ କରନ୍ତି। ଏହା ହେଉଛି ଗଣତାନ୍ତ୍ରିକ ମନୋବୃତ୍ତି।କ୍ଷମତାର ଗାରିମାରେ ମତାନ୍ଧ ହୋଇ କେନ୍ଦ୍ରରେ ଶାସନ କରୁଥିବା ଦଳର ଯେଉଁ ପ୍ରତିନିଧିମାନେ ଓଡ଼ିଶାରେ ରାଷ୍ଟ୍ରପତି ଶାସନ କରିବାର ଯେଉଁ ଧମକ ଦେଉଛନ୍ତି ସେମାନେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କର ମତ ଓ ମନ୍ତବ୍ୟକୁ ମଧ୍ୟ ଅସମ୍ମାନ କରୁଛନ୍ତି। ଏହାହିଁ ଏକଛତ୍ରବାଦୀ ମନୋବୃତ୍ତି। ଓଡ଼ିଶାବାସୀ ଉପଯୁକ୍ତ ସମୟରେ ଏପରି ଧମକର ଉପଯୁକ୍ତ ଜବାବ ଦେବେ। ମହାନଦୀ କେବଳ ଆମର ସ୍ୱାର୍ଥ ନୁହେଁ, ସ୍ୱାଭିମାନ ମଧ୍ୟ। ଏହା ବିରୋଧରେ ହେଉଥିବା ଷଡ଼ଯନ୍ତ୍ର ସମଗ୍ର ଓଡ଼ିଆ ଜାତି ପ୍ରତି ଏକ ଆହ୍ୱାନ। ଏହାର ଉପଯୁକ୍ତ ଜବାବ ଓଡ଼ିଶାବାସୀ ଦେବେ। ମହାନଦୀର ସୁରକ୍ଷା ପାଇଁ ଏବଂ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଓଡ଼ିଶାଙ୍କ ଏହି ମହାସଂଗ୍ରାମ ଜାରି ରହିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

About surendrahota

Leave a Reply

%d bloggers like this:
Skip to toolbar