Breaking News
Home / Bargarh / In Memory of Padmashree Kunja Bihari Meher

In Memory of Padmashree Kunja Bihari Meher

ପବିତ୍ର ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି
ନୂତନତ୍ୱ ଓ ସ୍ୱାତନ୍ତ୍ର୍ୟ ପୂଜାରୀ – କୁଞ୍ଜବିହାରୀ
– ଡ.ରବୀନ୍ଦ୍ର ଗଡ଼ତିଆ
Padmashree kunjabihari meher
ବିଜେପୁର ଥାନା ଅନ୍ତର୍ଗତ ବୁଡ଼ାପାଲି ଗାଁ । ବୁଣାକାର ବ୍ରଜମୋହନଙ୍କ ଅତ୍ୟନ୍ତ ସ୍ୱଚ୍ଛଳ ପରିବାର । ବ୍ରଜମୋହନ କପଟା ବୁଣିବାରେ ସିଦ୍ଧହସ୍ତ । ଏଣେ ପୁଣି ବେଶ୍‌ କିଛି ଚାଷବାସ । ସ୍ୱାଧୀନତା ପୂର୍ବର କଥା ଇଏ । ବଉଳମାଳିଆ, ଚନ୍ଦନକୁରା, କନକପର, ପାଞ୍ଚଫୁଲିଆ, ଦଶଫୁଲିଆ କପଟାର ଯୁଗ । ଶାଢ଼ିର ପ୍ରସ୍ତୁତି ଓ ପ୍ରଚଳନ କାଁ ଭାଁ । ବ୍ରଜମୋହନଙ୍କ ହାତବୁଣା ଦୁଇଫୁଲିଆ କପଟାର ଥିଲା ଖୁବ୍‌ ଆଦର । ଆଗତୁରା ପଇସା ଦେଇ ଦୂର ଦୂରାନ୍ତରୁ ଲୋକ ଆସି କିଣି ନେଇଥାନ୍ତି । ନିଜର ଅଳିଅଳ ପୁଅକୁ ବସ୍ତ୍ର ବୁଣିବାର କୌଶଳ ଶିଖାଇଥିଲେ ବ୍ରଜମୋହନ । ପାରମ୍ପାରିକ କପଟା ବୁଣିବା ପାଇଁ ନିୟୋଜିତ କଲେ । କଳାତ୍ମକ ଅଭିବ୍ୟକ୍ତି ପାଇଁ ଉନ୍ମୁଖ ପୁଅ କିନ୍ତୁ ନୂତନ ଢଙ୍ଗରେ ସୂକ୍ଷ୍ମ ଶାଢ଼ି ବୁଣିବା ପାଇଁ ଜିଦ୍‌ ଧରନ୍ତି । ପରମ୍ପରା ଓ ନୂତନତ୍ୱ ମଧ୍ୟରେ ଦେଖାଦିଏ ସଂଘାତ । ବ୍ରଜମୋହନ କ୍ଷୀରବତୀଙ୍କୁ ବିବାହର ଦଶବର୍ଷ ପରେ ମିଳିଥିବା ଗେହ୍ଲାପୁଅ, ପରିବାରର ଆର୍ଥିକ ସ୍ୱଚ୍ଛଳତା ଓ ସ୍ୱାଚ୍ଛଲ୍ୟ ଛାଡ଼ି ନିଜ ସଙ୍ଗରେ ମାଟି ତାଡ଼ିବା ପାଇଁ ଚାଲିଆସନ୍ତି ବରପାଲି । ନିଜ କ୍ଷେତ୍ରରେ ନୂତନତ୍ୱର ସେ ବେସାଲିସ୍‌ ପୂଜାରୀ ହେଉଛନ୍ତି କୁଞ୍ଜବିହାରୀ ମେହେର ।
ବୁଡ଼ାପାଲିରୁ ବରପାଲି ଆରମ୍ଭ ହୋଇଥିବା ସେ ୮/୯ ମାଇଲର ବୈପ୍ଲବିକ ପଦଯାତ୍ରା ଆଉ ଥମିଲା ନାହିଁ । ପରିଣତ ହେଲା ହଜାର ହଜାର ମାଇଲର ବିମାନ ଯାତ୍ରାରେ । ୧୯୮୬ରେ ପ୍ରଥମ ବିଦେଶ ଯାତ୍ରା । ଜାନୁଆରୀ ୮ ରୁ ଏପି୍ରଲ ୧୪ ଯାଏଁ ଆମେରିକାର ଫିଲାଡ଼େଲଫିଆ ଠାରେ ରହଣି । ଆନ୍ତର୍ଜାତିକ ହସ୍ତଶିଳ୍ପ ପ୍ରଦର୍ଶନୀରେ ଭାରତ ସରକାରଙ୍କ କଳା ପ୍ରତିନିଧି ଭାବରେ ବୟନ ଓ ବାନ୍ଧକଳାର ଜୀବନ୍ତ ପ୍ରଦର୍ଶନ କରନ୍ତି । ପରବର୍ତ୍ତୀ କାଳରେ ସେଇ ସମାନ ଲକ୍ଷ୍ୟରେ ଯାଇଛନ୍ତି ହଂକଂ ଓ ଇଂଲଣ୍ଡ । କଳାନୈପୂଣ୍ୟ ପ୍ରଦର୍ଶନ କରି ଅଜସ୍ର ପୁରସ୍କାର ଓ ପ୍ରଶଂସା ପାଇଛନ୍ତି । ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଠାରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ରାଷ୍ଟ୍ରପତି କେ.ଆର୍‌. ନାରାୟଣନ୍‌ ସମସ୍ତେ ତାଙ୍କର ପ୍ରଶଂସାରେ ମୁଖର । ସେହି ଅନନ୍ୟ ଶିଳ୍ପଗୁରୁ ପଦ୍ମଶ୍ରୀ କୁଞ୍ଜବିହାରୀ ମେହେରଙ୍କ ଆଜି ପବିତ୍ର ପୁଣ୍ୟତିଥି ।
ବାନ୍ଧ କାମକୁ ସୂକ୍ଷ୍ମ, କମନୀୟ ଓ କଳାତ୍ମକ କରିବାରେ କୁଞ୍ଜବିହାରୀ ସଦାସର୍ବଦା ସାଧନାରତ । ନିତ୍ୟ ନୂତନ କଳ୍ପନାକୁ ସାକାର କରିବା ପାଇଁ ନୂତନ ନକ୍ସା ପ୍ରସ୍ତୁତି ଠାରୁ ନୂତନ କୌଶଳର ଉଦ୍‌ଭାବନରେ ସେ ଥିଲେ ନିମଗ୍ନା । ନୂତନତ୍ୱ ସହିତ ସ୍ୱାତନ୍ତ୍ର୍ୟ ଥିଲା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ । ସେଇଥିପାଇଁ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ଆମନ୍ତ୍ରଣକୁ ସେ ସ୍ୱୀକାର କଲେ ନାହିଁ । ସମ୍ବଲପୁରୀ ବସ୍ତ୍ରାଳୟର ଏକ ଲୋଭନୀୟ ପଦରେ ଅବସ୍ଥାପିତ ହେବାକୁ ମଙ୍ଗିଲେ ନାହିଁ । ସୃଜନ ଶିଳ୍ପୀର ଏ ସ୍ୱତନ୍ତ୍ରତା ପାଇଁ ଆଣିଦେଇଛି ଅସୁମାରି ସିଦ୍ଧି । ସୂତାକୁ ରଙ୍ଗ କରିବାରେ ଅପୂର୍ବ କୁଶଳତା ସାଙ୍ଗକୁ ବୟନରେ କବିତା ରଚନାର ପ୍ରୟାସ ତାଙ୍କ ସୃଷ୍ଟିରାଜିକୁ କରିଛି ମହନୀୟ ଓ ପ୍ରସ୍ଫୁଟିତ । ଇନ୍ଦୁମତୀ, ପଦ୍ମାବତୀ, ଭାରତରନô, ପଞ୍ଚକନ୍ୟା, ଶକୁନ୍ତଳମ୍‌ ପ୍ରଭୃତି ପ୍ରାୟ ୩୫ଟି କ୍ଲାସିକ ପର୍ଯ୍ୟାୟର ନୂତନ ଶାଢ଼ିର ସେ ସ୍ରଷ୍ଟା । ଯାହା ରାଜ୍ୟ, ଦେଶ ତଥା ବିଦେଶରେ ପୁରସ୍କୃତ ହୋଇଛି । ଅକ୍ଷର, ପଂକ୍ତି, ଶ୍ଲୋକ ତଥା ମହାପୁରୁଷମାନଙ୍କ ଆକୃତି ଅବିକଳ ବୁଣିବାରେ ସେ ଥିଲେ ସିଦ୍ଧହସ୍ତ । ଗଙ୍ଗାଧର, ଗାନ୍ଧୀ, ଲେଲିନ, ଷ୍ଟେଚୁ୍ୟ ଅଫ୍‌ ଲିବର୍ଟି ସମେତ ଅନେକ ମନୋରମ ୱାଲ ହେଙ୍ଗିଙ୍ଗ୍‌ ତାଙ୍କ ଅନବଦ୍ୟ ପ୍ରତିଭାର ଜୟଗାନ କରୁଛି । ତାଙ୍କର କଳାକୃତି ଆମେରିକା ଓ ଜର୍ମାନୀର ମୁ୍ୟଜିୟମ ମାନଙ୍କରେ ଶୋଭାବର୍ଦ୍ଧନ କରୁଥିବା ଜାଣି ଛାତି ଗର୍ବରେ ଫୁଲି ଉଠୁଛି ।
ଶୁଦ୍ଧ ସୃଜନ ସହିତ ତାହାର ସଂରକ୍ଷଣ ଓ ପ୍ରୋତ୍ସାହନକୁ ଅନୁରୂପ ଗୁରୁତ୍ୱ ଦେଇଥିଲେ କୁଞ୍ଜବିହାରୀ ମେହେର । ଆଗ୍ରହୀ ଯୁବକମାନଙ୍କୁ ବାନ୍ଧକଳାରେ ନିପୁଣ କରିବା ପାଇଁ ପ୍ରଶିକ୍ଷଣ ଓ ଉତ୍ସାହ ପ୍ରଦାନ ଥିଲା ତାଙ୍କ ସହଜାତ ଗୁଣ । ସମ୍ବଲପୁରୀ ବାନ୍ଧଶିଳ୍ପର ଏକ ଅନନ୍ୟ ସଂଗ୍ରହାଳୟ ବେସରକାରୀ ଉଦ୍ୟମରେ ଓଡ଼ିଶାରେ ପ୍ରଥମ କରି ସେ ପ୍ରତିଷ୍ଠା କରିଛନ୍ତି । କଳାଭାରତୀ ଟ୍ରଷ୍ଟ ଦ୍ୱାରା ତାହା ପରିଚାଳିତ । ଟ୍ରଷ୍ଟକୁ ଜମି ଓ ଘର ସେ ପ୍ରଦାନ କରିଛନ୍ତି । ଏହି ସଂଗ୍ରହାଳୟର ଆନୁସଙ୍ଗିକ ଭିତ୍ତିଭୂମି ସରକାରୀ ଅନୁଦାନରେ ପରିମାର୍ଜିତ ଓ ପରିବର୍ଦ୍ଧିତ ହୋଇ ନୂତନ ରୂପରେ ଖୁବ୍‌ଶୀଘ୍ର ଉଦ୍‌ଭାସିତ ଓ ଉନ୍ମୁଖ ହେବାକୁ ଯାଉଛି ।
ଏ ଅଞ୍ଚଳର ବାନ୍ଧକଳାକୁ ଆନ୍ତର୍ଜାତିକ ମାନ ଓ ଗୁଣର କରିବା ଥିଲା କୁଞ୍ଜବିହାରୀ ବାବୁଙ୍କ ଏକ ନିଷ୍ଠ ସ୍ୱପ୍ନ । ସେ ଥିଲେ ବୟନଶିଳ୍ପୀ, କଳାରା ଅନନ୍ୟ ପୂଜାରୀ । କିନ୍ତୁ ମାନବିକତା ଥିଲା ତାଙ୍କ ସୃଜନ ପ୍ରତିଭାର ମୂଳ ସହଜାତ ଆଧାର । ତାଙ୍କ ଅମାୟିକ ନିଷ୍କପଟ ବ୍ୟବହାର, ସରଳ ନିରାଡ଼ମ୍ବର ଜୀବନଚର୍ଯ୍ୟା ଓ ସଦା ହସ ହସ ନିର୍ମଳ ସଂଭାଷଣ ଏବେବି ମନ ଓ ହୃଦୟକୁ ଆପ୍ଲୁତ କରୁଛି । ତାଙ୍କର ଆବର୍ତ୍ତମାନତା ଉଦାସ କରୁଛି ସତ ମାତ୍ର ତାଙ୍କର ଜୀନ୍ତ କଳାକୃତି ସତତ ଉତ୍ସାହିତ କରୁଛି । ଏକ ସଫଳ ସୃଜନଶୀଳ ଜୀବନର ଏହାହିଁ ଚିରନ୍ତନ ସୌନ୍ଦର୍ଯ୍ୟ । ଆଗାମୀ ବଂଶଧର ଏ ସୌନ୍ଦର୍ଯ୍ୟକୁ ଉପଭୋଗ କରି ପ୍ରେରଣାଲାଭ କରିବେ ବୋଲି ଆମେ ଖୁବ୍‌ ଆଶାବାଦୀ । ଏ ଦିଗରେ ସେହି ମହାନ୍‌ ଆତ୍ମାଙ୍କ ଆଶୀର୍ବଦା ଆମର ଏକାନ୍ତ କାମ୍ୟ ।

Writer Dr Rabindra Gadtia working as the Principal of Bargarh Women College & President of Kala Bharati Trust , Barpali

About surendrahota

Profile photo of surendrahota

Leave a Reply

%d bloggers like this:
Skip to toolbar